Home Education ବୈପ୍ଲବିକ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷା ନୀତି

ବୈପ୍ଲବିକ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷା ନୀତି

ନୂଆଦିଲ୍ଲୀ : ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ୨୦୪୭ ଆଧାରରେ ଆଗାମୀ ୨୫ ବର୍ଷ ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି ଗୁରୁ ଦିବସ ଅବସରରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ)ର ବିଭିନ୍ନ ପୁରସ୍କାର ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ୧୭ ଜଣ ଅଧ୍ୟାପକଙ୍କୁ ଏଆଇସିଟିଇର ବିଶ୍ୱେଶ୍ୱରାୟା ଶ୍ରେଷ୍ଠ ଶିକ୍ଷକ ପୁରସ୍କାର, ମ୍ୟାନେଜମେଂଟ୍ ଶିକ୍ଷା ପାଇଁ ୩ ଜଣ ଅଧ୍ୟାପକଙ୍କୁ ଡ଼ା ପ୍ରୀତମ ସିଂହ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି । ଏହା ସହ ଶ୍ରୀ ପ୍ରଧାନ ବିଜେତାଙ୍କୁ ଛାତ୍ର ବିଶ୍ୱକର୍ମା ପୁରସ୍କାର, ସ୍ୱଚ୍ଛ ଏବଂ ସ୍ମାର୍ଟ କ୍ୟାମ୍ପସ ପୁରସ୍କାର-୨୦୨୦ରେ ମଧ୍ୟ ସମ୍ମାନିତ କରିଛନ୍ତି । ସେ କହିଛନ୍ତି ଯେ ଏହି ପୁରସ୍କାର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମନୋବଳକୁ ଦୃଢ଼ କରିବା ସହ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରେରଣା ଦେବ ଏବଂ ଭାରତକୁ ଜ୍ଞାନର ମହାଶକ୍ତି ଭାବରେ ପରିଣତ କରିବ ।

କେନ୍ଦ୍ରମନ୍ତ୍ରୀ ଶିକ୍ଷା ଦ୍ୱାରା ସମସ୍ତଙ୍କୁ ଉତରଦାୟୀ ଏବଂ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ଭାରତକୁ ଜ୍ଞାନର ପେଣ୍ଠସ୍ଥଳି ଭାବରେ ପରିଣତ କରିବାକୁ ହେଲେ ଆମ ପୂର୍ବପୁରୁଷଙ୍କ ଅତ୍ୟାଧୁନିକ କୁଶଳ ଏବଂ ନବସୃଜନ କୁଶଳକୁ ପୁଣି ଥରେ ହାସଲ କରିବାକୁ ହେବ ବୋଲି ସେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅଧ୍ୟାପକଙ୍କ ସହଯୋଗରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ଡ୍ରୋନ, ପ୍ଲାଷ୍ଟିକର ବାୟୋ-ଡ଼ିସପୋଜାଲ, ପିପିଇ କିଟ୍ ପାଇଁ ପୋର୍ଟେବଲ ଏୟାର କଣ୍ଡିସନିଂ, ଜିରୋ ୱାଟର ୱେଷ୍ଟେଜ୍‌, ମେଡ଼ିକାଲ ପାଇଁ ରୋବୋଟିକ, ସ୍ମାର୍ଟ ମାକ୍ସକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟିରେ ସେମାନେ ଉଦ୍ୟମ କରୁଥିବା ଏବଂ ଏହି ନୂଆ ଆଇଡ଼ିଆ ଏବଂ ଇନୋଭେସନ ଜୀବନ ରକ୍ଷାକାରୀ ଷ୍ଟାର୍ଟ ଅପରେ ବଦଳାଇବ, ଯାହା ଜୀବନକୁ ସୁଗମ କରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱକର୍ମା ପୁରସ୍କାର ପାଇଥିବା ୨୪ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ରାଜକୁମାର ରଞ୍ଜନ ସିଂହ, ଉଚ୍ଚ ଶିକ୍ଷା ସଚିବ ଅମିତ ଖାରେ,ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନିଲ ଡ଼ି ସହସ୍ରବୁଦ୍ଧେ, ଉପାଧ୍ୟକ୍ଷ ପ୍ର.ଏମପି ପୁନିଆ, ସଦସ୍ୟ ସଚିବ ଏଆଇସିଟିଇ ପ୍ର. ରାଜୀବ କୁମାର ପ୍ରମୁଖ ଉପସ୍ଥିତ ରହି ଦେଶ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।