Home General ବେପାରୀଙ୍କୁ ଧାନ ଦେଉଛନ୍ତି ଚାଷୀ

ବେପାରୀଙ୍କୁ ଧାନ ଦେଉଛନ୍ତି ଚାଷୀ

ଭୁବନେଶ୍ୱର : ନିଜର ଉତ୍ପାଦିତ ଧାନ ବିକ୍ରି ପାଇଁ ଏକାଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀ ଏବେ ବେପାରୀଙ୍କୁ ଧାନ ବିକିବାରେ ଲାଗିଛନ୍ତି । ବେପାରୀମାନେ ବି ଏହି ମଉକାରେ ଚାଷୀଙ୍କ ଠାରୁ କମ୍‍ ଦାମରେ ଧାନ କିଣିବାରେ ଲାଗିଛନ୍ତି ।

ଚଳିତବର୍ଷ ଚାଷୀଙ୍କ ଠାରୁ ଧାନ କୁଇଣ୍ଟାଲ ୨୧୮୩ ଟଙ୍କାରେ ଖରିଦ ପାଇଁ ସରକାରୀ ଦର ଧାର୍ଯ୍ୟ ହୋଇଛି । ତେବେ ଏତିକି ପଇସାରେ ଚାଷୀ ତାର ଧାନକୁ ନେଇ ମଣ୍ଡିରେ ଦେବ । ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କୁ ଅଖା ଯୋଗାଇଦେବାର ବ୍ୟବସ୍ଥା ଥିବାବେଳେ ତାହା ପ୍ରାୟତଃ କେଉଁଠାରେ ମିଳୁନାହିଁ । ଅଖା ମିଳୁନାହିଁ କି ଏ ବାବଦରେ ଅର୍ଥ ବି ମିଳୁନାହିଁ । ଫଳରେ ଚାଷୀମାନେ ନିଜ ନିଜ ଅଖାରେ ୭୦ ରୁ ୮୦ କିଲୋ କରି ଧାନ ନେଇ ଆସୁଛନ୍ତି ।

ତେବେ ମଣ୍ଡିରେ ପହଞ୍ଚାଇବାପରେ ତାହାକୁ ଓଜନ କରିବାପାଇଁ ଥିବା ଲୋକେ ବସ୍ତାଗୁଡିକ ୫୦ କିଲୋରୁ ଅଧିକ ଓଜନର ହୋଇଥିବା ଦର୍ଶାଇ ଅଖା ପ୍ରତି ୩୦ ଟଙ୍କା କରି ନେଉଛନ୍ତି । ଅଧିକାଂଶ ଚାଷୀ ମଣ୍ଡିକୁ ବଡ ବଡ ଅଖାରେ ଧାନ ଆଣିଥିବାରୁ ଏ ବାବଦରେ ଟଙ୍କା ଗଣୁଛନ୍ତି ।

ଖଳାର ମଣ୍ଡିକୁ ଧାନ ଆଣିବାପାଇଁ ଗାଡି ଭଡା, ମଣ୍ଡିରେ ପହଞ୍ଚିବା ପରେ କୁଇଣ୍ଟାଲ ପ୍ରତି ପ୍ରାୟ ୩ କିଲୋ କାଟ ହେବା, ଧାନରେ କଣ୍ଠା ଓ ଅନ୍ୟାନ୍ୟ ସାମଗ୍ରୀ ଥିବାର ଅଭିଯୋଗ, ଓଜନ ପାଇଁ ବସ୍ତା ପ୍ରତି ୩୦ ଟଙ୍କା ପର୍ଯ୍ୟନ୍ତ ଗଣିବା, ଅଖା ବାବଦରେ ଅର୍ଥ ଖର୍ଚ୍ଚ କରିବା ଏବଂ ଆବଶ୍ୟକ ସ୍ଥଳେ ନିଜ ଧାନବସ୍ତାକୁ ଶୀତ କାକରରେ ଜଗି ରହିବା ଭଳି କାର୍ଯ୍ୟ କରିବାକୁ ପଡୁଛି ।

ତେଣୁ ଏଥିରୁ ମୁକୁଳିବାପାଇଁ ଉପକୂଳର ଚାଷୀମାନେ ଏବେ ବେପାରୀଙ୍କୁ କୁଇଣ୍ଟାଲ ପ୍ରତି ୧୮୦୦ ରୁ ୧୯୦୦ ଟଙ୍କାରେ ଧାନ ବିକ୍ରି କରୁଛନ୍ତି । କିଛି ଚାଷୀଙ୍କ କହିବାକଥା ଯେ ଗାଡିଭଡା, ଧାନ କାଟ୍‍, ଓଜନ ଖର୍ଚ୍ଚ, ଦିନେ ଦୁଇ ଦିନର ସମୟ ନଷ୍ଟ, ଅତିରିକ୍ତ ମଜୁରୀଆ ଆଦି ବାବଦରେ ଯେଉଁ ଖର୍ଚ୍ଚ ହେଉଛି ତାହାକୁ ବେପାରୀମାନେ ଦେଉଥିବା ଅର୍ଥ ସହିତ ମିଶାଇଲେ ସରକାରୀ ଦର ସହ ପ୍ରାୟତଃ ସମାନ ।

ଅନ୍ୟ ପକ୍ଷରେ ବେପାରୀମାନେ ଘରୁ ଆସି ଧାନ ଓଜନ କରି ନେଇଯିବା ସହିତ ନଗଦ ଅର୍ଥ ପ୍ରଦାନ କରୁଛନ୍ତି । ସେମାନେ ସାଙ୍ଗରେ ଆଣିଥିବା ଶ୍ରମିକ ଧାନ ଓଜନ କରିବାଠାରୁ ଗାଡିରେ ଲଦିବା ପର୍ଯ୍ୟନ୍ତ ସବୁକିଛି କରୁଛନ୍ତି । ତେଣୁ ଧାନ ବିକ୍ରି ପାଇଁ ମଣ୍ଡିରେ ଯେଉଁ ଟେନ୍‍ସନ ରହୁଛି ତାହା ଘରେ ନାହିଁ ବୋଲି କିଛି ଚାଷୀ ସିଧାସଳଖ ମତଦେବା ସହିତ ମଣ୍ଡିକୁ ଆଉ ଯିବେନାହିଁ ବୋଲି ବି ଶୁଣାଇ ଦେଉଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ବାହାରର ବ୍ୟବସାୟୀମାନେ ଯେତେଶୀର୍ଘ ପାରୁଛନ୍ତି ଛାଷୀଙ୍କ ଠାରୁ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି । କାରଣ ଗତବର୍ଷ ବିଳମ୍ବରେ ବେପାରୀମାନେ ଚାଷୀଙ୍କ ଠାରୁ ସରକାରୀ ଦାମ୍‍ରୁ ଅଧିକ ଦରରେ ଧାନ ଖରିଦ କରିଥିଲେ । କାଳେ ଚାଷୀମାନେ ମଣ୍ଡିରେ ଧାନ ଦେଇଦେବେ କିମ୍ବା ଧାନ ଦର ବୃଦ୍ଧିପାଇବ ସେଥିପାଇଁ ସେମାନେ ଗାଁ ଗାଁରେ ଡେରା ପକାଇ ଧାନ ସଂଗ୍ରହ କରିବାରେ ଲାଗିଛନ୍ତି । ଉପକୂଳ ବିଶେଷକରି ଜଗତ୍‍ସିଂହପୁର, କଟକ ଓ ପୁରୀ ଆଦି ଜିଲ୍ଲାରୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀମାନେ ଆସି ଧାନ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଥିବାବେଳେ ଚାଷୀମାନେ ବି ମଣ୍ଡି ଚିନ୍ତାରୁ ମୁକ୍ତି ପାଇଁ ସେମାନଙ୍କ ହାତରେ ଧାନ ଟେକି ଦେଉଛନ୍ତି । (ତଥ୍ୟ)