Home General ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ

ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ

ଭୁବନେଶ୍ୱର : ବେପରୁଆ ଗାଡିଚାଳକ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ହେଲେଣି । ରାଜଧାନୀରେ ଯେତେ ଯାନବାହାନ ଦୁର୍ଘଟଣା ହେଉଛି ସେଥିରୁ ସଂଖ୍ୟାଧିକ ଘଟୁଛି ଏହି ବେପରୁଆ ଚାଳକଙ୍କ ପାଇଁ । ଏମାନଙ୍କ ପାଇଁ ଅନେକ ଜୀବନ ବି ଚାଲିଯାଉଛି ।

କେବଳ ରାଜଧାନୀର ଏକ ନମ୍ବର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ ଅଧିନରେ ଥିବା ଅଞ୍ଚଳରେ ବେପରୁଆ ଗାଡିଚାଳକମାନେ ଶହ ଶହ ଦୁର୍ଘଟଣା ଘଟାଉଛନ୍ତି । ୨୦୧୯ ରେ ଏଭଳି ଚାଳକଙ୍କ ଯୋଗୁଁ ଏହି ଇଲାକାରେ ୩୨୭ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୦ ରେ ୨୬୯ଟି ଦୁର୍ଘଟଣା ରେକର୍ଡ ହୋଇଛି । ଗତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଏଭଳି ଦୁର୍ଘଟଣା ସଂଖ୍ୟା ଶହେରୁ ଅଧିକ ରହିଛି ।

କେବଳ ବେପରୁଆ ଗାଡିଚାଳନା ନୁହେଁ, ଗାଡି ଚଢାଇଦେବା, ଦ୍ରୁତ ଗତିରେ ଚଳାଇବା, ବୁଲା ଗାଇଗୋରୁଙ୍କ ସମେତ ଖରାପ ରାସ୍ତା ଯୋଗୁଁ ବି ଦୁର୍ଘଟଣା ଘଟୁଛି । ହେଲେ ଏହି ସଂଖ୍ୟା ବେପରୁଆ ଗାଡିଚାଳନା ତୁଳନାରେ ଢେର କମ୍‍ ରହିଛି । ବର୍ତ୍ତମାନ ବଜାରରେ ମିଳୁଥିବା ଦ୍ରୁତଗାମୀ ଗାଡିଗୁଡିକୁ ଅତି ବେପରୁଆ ଭାବେ ଯୁବବର୍ଗ ଚଳାଉଛନ୍ତି । ଗହଳି ରାସ୍ତାରେ ଏମାନଙ୍କ ବେରୁଆ ଗାଡିଚାଳନା ଯୋଗୁଁ ସାଧାରଣ ଲୋକେ ବି ମୃତ୍ୟୁମୁଖରେ ପଡୁଛନ୍ତି ।

୨୦୧୯ ବର୍ଷରେ ଆରଟିଓ-୧ ଇଲାକାରେ ୩୮୨ଟି ଦୁର୍ଘଟଣା ରେକର୍ଡ ହୋଇଥିବାବେଳେ ୧୮୦ଜଣ ଏଥିରେ ମୃତ୍ୟୁବରଣ କରିଥିଲେ ଓ ୨୩୫ ଜଣ ଆହତ ହୋଇଥିଲେ । ୨୦୨୦ ରେ ଦୁର୍ଘଟଣା ସଂଖ୍ୟା ୩୩୧ ଥିବାବେଳେ ମୃତ ଓ ଆହତଙ୍କ ସଂଖ୍ୟା ଯଥାକ୍ରମେ ୧୨୧ ଓ ୨୩୨ ରହିଥିଲା । ତେବେ ଗତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୦ମାସ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ୨୪୨ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୧ ରେ ସୀମିତ ଥିଲା । ତେବେ ଏହି ସମୟରେ ଦୁର୍ଘଟଣାରେ ୧୭୩ ଜଣ ଆହତ ହୋଇଥିଲେ ।

ତେବେ ଯେତେସବୁ ଦୁର୍ଘଟଣା ଘଟୁଛି ତାହାର ସିଂହଭାଗ ଜାତୀୟ ରାଜପଥରେ ଘଟୁଥିବା ଜଣାଯାଇଛି । ୨୦୧୯ରେ ଜାତୀୟ ରାଜପଥରେ ୯୬ଟି ଦୁର୍ଘଟଣା ଘଟିଥିବାବେଳେ ୨୦୨୦ରେ ୭୧ ଓ ଗତବର୍ଷ ଦଶମାସ ମଧ୍ୟରେ ୪୫ଟି ଦୁର୍ଘଟଣା ଘଟିଛି । ଏକ ନମ୍ବର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସୀମା ମଧ୍ୟରେ ଏକାଧିକ ଜାତୀୟ ରାଜପଥ ଯାଇଥିବାରୁ ଏଠାରେ ଦୁର୍ଘଟଣାର ସଂଖ୍ୟା ଅଧିକ ରହୁଥିବା ଜଣାଯାଇଛି ।

ତେବେ ବେପରୁଆଗ ଗାଡିଚାଳକଙ୍କ ଜବତ କରିବାପାଇଁ ପରିବହନ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢଉ କରିବା ସହିତ ଲାଇସେନ୍ସ ଓ ଗାଡିର ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛନ୍ତି । ଏଭଳି ଚାଳକଙ୍କ ଲାଇସେନ୍ସ ଜବତ ସହିତ ସେମାନଙ୍କ ଉପରେ ଜୋରିମାନା ବି ଲଗାଯାଉଛି । ତେବେ ସହରରେ ଦ୍ରୁତଗାମୀ ଗାଡି ସଂଖ୍ୟା ବୃଦ୍ଧି ସହିତ ଯୁବବର୍ଗଙ୍କ ବେପରୁଆ ଗାଡିଚାଳନା ମନୋଭାବ ଏବେ ସାଧାରଣ ଲୋକେ ବିଶେଷକରି ସତର୍କତାର ସହ ଗାଡି ଚଳାଉଥିବା ଲୋକଙ୍କ ପାଇଁ କାଳ ହୋଇଛି । ଏମାନଙ୍କୁ ସାବାଡ ପାଇଁ ପରିବହନ ଅଧିକାରୀଙ୍କ ସହିତ କମିଶନରେଟ ପୁଲିସ୍‍ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି । (ତଥ୍ୟ)