Home Infrastructure ବେଙ୍ଗାଲୁରରେ ଓଡିଶା ଭବନ

ବେଙ୍ଗାଲୁରରେ ଓଡିଶା ଭବନ

ଭୁବନେଶ୍ୱର : ବେଙ୍ଗାଲୁରରେ ଓଡିଶା ଭବନ ଆସନ୍ତାବର୍ଷ ଠାରୁ କାର୍ଯ୍ୟକାରୀ ହୋଇପାରେ । ଏଥିପାଇଁ କର୍ଣ୍ଣାଟକ ସରକାରଙ୍କ ଠାରୁ ଓଡିଶା ସରକାର ବେଙ୍ଗାଲୁରର ଅର୍କବଟୀ ଅଞ୍ଚଳରେ ପ୍ରାୟ ୩୭୫୦ ବର୍ଗମିଟର ପରିମାଣର ଜମି ନେଇଛନ୍ତି ।

ଏହି ଜମି କିଣିବା ବାବଦରେ ପ୍ରାୟ ୪କୋଟି ଟଙ୍କା ଦିଆଯାଇଥିବାବେଳେ ଘର ତିଆରିପାଇଁ ପ୍ରାୟ ୧୫କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆସରିଛି । ମୋଟାମୋଟି ଭାବେ ବେଙ୍ଗାଲୁର ଓଡିଶା ଭବନ ନିର୍ମାଣ ପାଇଁ ୨୭କୋଟି ୬୨ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମୋଦନ ଦିଆଯାଇଥିବାବେଳେ ନିର୍ମାଣ ଶେଷ ବେଳକୁ ଖର୍ଚ୍ଚ ୩୦ରୁ ୩୫କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ ବୋଲି କୁହାଯାଉଛି । କ୍ରିଏଟିଭ ଆର୍କିଟେକ କମ୍ବାଇନ୍‍ ନାମକ ଏକ ସଂସ୍ଥା ଏହି ଭବନର ନକ୍ସା ପ୍ରସ୍ତୁତ କରିଥିବାବେଳେ ଓଡିଶା ସରକାରଙ୍କ ଓଡିଶା ସରକାରଙ୍କ ରାଜ୍ୟ ପୁଲିସ୍‍ ଗୃହ ନିର୍ମାଣ ନିଗମ ଭବନ ନିର୍ମାଣ କଥା ବୁଝୁଛି ।

ବେଙ୍ଗାଲୁରରେ ଓଡିଶା ଭବନ ନିର୍ମାଣ ପାଇଁ ଅନେକ ବର୍ଷ ତଳୁ ଦାବିହୋଇ ଆସୁଥିଲା । ଏଠାରେ ଉଲ୍ଲେଖନୀୟ ଯେ ଏହି ମହାନଗରୀରେ ସୂଚନା ପ୍ରଯୁକ୍ତି ଶିଳ୍ପର ଦ୍ରୁତ ବିକାଶ ଘଟି ଚାଲିଥିବାବେଳେ ସେଠାରେ ଲକ୍ଷାଧିକ ଓଡିଆ କାମ କରୁଛନ୍ତି । ଏହାଛଡା ସୂଚନା ପ୍ରଯୁକ୍ତି କାମରେ ବି ଓଡିଶାରୁ ସରକାରୀ ଓ ବେସରକାରୀ ସ୍ତରରେ ବେଙ୍ଗାଲୁରର ବିଭିନ୍ନ ଆଇଟି କମ୍ପାନୀଙ୍କ ସହ ନିୟମିତ ଯୋଗାଯୋଗ ରହିଛି ।

ବେଙ୍ଗାଲୁର ଆର୍ନ୍ତଜାତିକ ଦୃଷ୍ଟିରୁ ଏକ ଆକର୍ଷଣୀୟ ସ୍ଥାନ ହୋଇଥିବାବେଳେ ସେଠାରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ଓ ରେଳସେବା ରହିଛି ଏବଂ ଏହାର ଉପଯୋଗ କରାଯାଇ ଓଡିଶାକୁ ଅଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଅଣାଯିବାର ମଧ୍ୟ ସମ୍ଭାବନା ରହିଛି ।

ଇତି ମଧ୍ୟରେ ଚେନ୍ନାଇର ଓଡିଶା ଭବନ ପ୍ରାୟ ଅଢେଇବର୍ଷ ହେଲା କାର୍ଯ୍ୟକାରୀ ହୋଇଥିବାବେଳେ ମୁମ୍ବାଇରେ ନିର୍ମିତ ହୋଇଥିବା ଓଡିଶା ଭବନ ପ୍ରାୟ ୧୦ବର୍ଷ ହେବ କାର୍ଯ୍ୟକ୍ଷମ ଅଛି । ବିଶେଷକରି ଚିକିତ୍ସା ପାଇଁ ମୁମ୍ବାଇ ଓ ଚେନ୍ନାଇକୁ ଯାଉଥିବା ଓଡିଶାର ଲୋକମାନେ ଏହି ଦୁଇ ଭବନ ଯୋଗୁଁ ଉପକୃତ ହେଉଛନ୍ତି । ଏବେ ନଭିମୁମ୍ବାଇର ଓଡିଶା ଭବନ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ଏଥିଲାଗି ମହାରାଷ୍ଟ୍ର ସରକାର ମଧ୍ୟ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ଏହାଛଡା ଦିଲ୍ଲୀରେ ଓଡିଶା ଭବନ ଓ ନିବାସ ଓ କୋଲକତାରେ ଉତ୍କଳ ଭବନ ବହୁ ପୂର୍ବରୁ ସେବା ଯୋଗାଇ ଆସୁଥିବାବେଳେ ସୁରତ, ରାୟପୁର, ହାଇଦ୍ରାବାଦ, ବିଜୱାଡା ଆଦି ସ୍ଥାନରେ ଲକ୍ଷ ଲକ୍ଷ ଓଡିଆ କାର୍ଯ୍ୟ କରୁଥିବା ପରିପ୍ରେକ୍ଷୀରେ ସେଠାରେ ବି ଓଡିଶା ଭବନ ନିର୍ମାଣ ପାଇଁ ପ୍ରବାସୀ ଓଡିଆମାନେ ଦାବି କରୁଛନ୍ତି । (ତଥ୍ୟ)