Home News in Odia ବେଗ ଧାର୍ଯ୍ୟ ନେଇ ସୂଚନା ନାହିଁ

ବେଗ ଧାର୍ଯ୍ୟ ନେଇ ସୂଚନା ନାହିଁ

ଭୁବନେଶ୍ୱର : ଦ୍ରୁତ ଗାଡିଚାଳକଙ୍କ ଉପରେ ଲଗାମ ଲଗାଇବାକୁ କମିଶନରେଟ ଟ୍ରାଫିକ ବିଭିନ୍ନ ସ୍ଥାନରେ ଯାନର ବେଗ ଧାର୍ଯ୍ୟ କରିଥିବାବେଳେ ଏହାର କୌଣସି ସୂଚନା ନଥିବାରୁ ଚାଳକମାନେ ଅଜାଣତରେ ଜୋରିମାନା ଗଣିବାରେ ଲାଗିଛନ୍ତି । ଗୋଟିଏ ପଟେ ଟ୍ରାଫିକର ଆୟ ବଢୁଥିବାବେଳେ ଅନ୍ୟ ପଟେ କେଉଁ ସ୍ଥାନରେ ଯାନର ବେଗ କେତେ ରହିବା ଆବଶ୍ୟକ ତାହାର ଫଳକ ଲଗାଯାଉ ନାହିଁ ।

ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ ଗାଡିର ବେଗ କେତେ ରହିବ ତାହା ଧାର୍ଯ୍ୟ କରାଯାଇଛି । ଦ୍ରୁତ ଗାଡିଚାଳକମାନଙ୍କୁ ଠାବ କରିବାପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ସହିତ ସେନ୍ସର ଲଗାଯାଇଛି । ଯଦି କୌଣସି ଗାଡି ଚାଳକ ଧାର୍ଯ୍ୟ ବେଗ ଠାରୁ ଅଧିକ ଗତିରେ ଯାଉଛି ତେବେ ସେହି ଗାଡିର ଫଟୋ ଉଠିବା ସହିତ ତୁରନ୍ତ ଗାଡିଚାଳକଙ୍କ ମୋବାଇଲ୍‍କୁ ଜୋରିମାନା ପଇଠ ପାଇଁ ମେସେଜ ଆସିଯାଉଛି । ଦୁଇ ଚକିଆ ଯାନ ପାଇଁ ୧୦୦୦ ଓ ଚାରିଚକିଆ ପାଇଁ ୨୦୦୦ ଟଙ୍କା ଦେବାକୁ ପଡୁଛି ।

ତେବେ ରାଜଧାନୀର କେଉଁ ସ୍ଥାନରେ ଗାଡିର ବେଗ କେତେ ରହିବ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ । ଚାଳକମାନଙ୍କୁ ଏ ସଂକ୍ରାନ୍ତରେ ସଚେତନ କରିବା ବଦଳରେ କମିଶନରେଟ ପୁଲିସ୍‍ ଜୋରିମାନା ଆଦାୟ କରିବାରେ ଲାଗିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ କେଉଁ ରାସ୍ତାରେ ଗାଡିର ବେଗ କେତେ ଧାର୍ଯ୍ୟ ହୋଇଛି ତାହାର ସୂଚନା ଫଳକ ଲଗାଇବାପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିବାବେଳେ ତାହା ଏପର୍ଯ୍ୟନ୍ତ ଲାଗିପାରୁ ନାହିଁ ।

ଅନ୍ୟ ପକ୍ଷରେ ତର ତର ହୋଇ ଡାକ୍ତରଖାନା କିମ୍ବା ଅନ୍ୟ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ଏବେ ଜୋରିମାନା ଗଣିବାରେ ଲାଗିଛନ୍ତି । ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଶୀଘ୍ର ପହଞ୍ଚାଇବାକୁ ଯାଇ ଜଣେ ଅଟୋଚାଳକ ୨ହଜାର ଟଙ୍କାର ଜୋରିମାନାର ସମ୍ମୁଖୀନ ହୋଇଛନ୍ତି । ବହୁ ଗାଡିଚାଳକଙ୍କର ସମାନ ଅବସ୍ଥା ।

ଅନ୍ୟ ପକ୍ଷରେ କିଛି ଗାଡିଚାଳକଙ୍କ କହିବାକଥା ଯେ ଜାଭିୟର ଛକରୁ ଜୟଦେବବିହାର ଛକ ମଧ୍ୟରେ ଏଭଳି କ୍ୟାମେରା ଓ ସେନ୍ସର ଲଗାଯାଇଛି । ଏହି ରାସ୍ତାଟି ‘ୱାନ ୱେ’ ହୋଇଥିବାରୁ ଖରାବେଳେ କିମ୍ବା ଅନ୍ୟ ଫାଙ୍କା ସମୟରେ ଚାରିଚକିଆ ଯାନର ବେଗ ସାଧାରଣତଃ ଅଧିକ ରହିଥାଏ । ହେଲେ ଏଠାରେ ୫୦ କିଲୋମିଟରରୁ ଅଧିକ ବେଗରେ ଯାତାୟତ କଲେ ଜୋରିମାନା ଗଣିବାକୁ ପଡୁଛି । ତେଣୁ ଏଭଳି ଏକପାଖିଆ ସଡକ ପାଇଁ ଗାଡିର ବେଗ ଭିନ୍ନ ଭାବେ ଧାର୍ଯ୍ୟ କରାଯାଉଛି ।

ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ଯେଭଳି ଲେନ୍‍ ଡ୍ରାଇଭିଂ ଓ ଅଂଶଘାତକୁ ନେଇ ମାଇକ ଯୋଗେ ପ୍ରଚାର ଚାଲିଛି ଅନୁରୂପ ଭାବେ ଗାଡିର ବେଗ ଧାର୍ଯ୍ୟ ଓ ଜୋରିମାନା ସଂକ୍ରାନ୍ତରେ ମଧ୍ୟ ଚାଳକମାନଙ୍କୁ ସଚେତନ କରାଯାଉ । ଏଥି ସହିତ ଯେଉଁ ବ୍ୟକ୍ତିମାନେ ଡାକ୍ତରଖାନା ଭଳି ଜରୁରୀ କାର୍ଯ୍ୟରେ ଯାଉଛନ୍ତି ସେମାନଙ୍କ ପାଇଁ ଅଲଗା ନିୟମ କରାଯାଉ । କାରଣ ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି କିମ୍ବା ଅନ୍ୟ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ କେହି ସାହାଯ୍ୟ କରିବାକୁ ଯାଇ ଏଭଳି ତଣ୍ଡର ଶିକାର ହେବେ ତେବେ ଆଗାମୀ ଦିନରେ ଆଉ ଏଥିପାଇଁ ରାସ୍ତାଘାଟରେ କେହି ଆଗେଇ ଆସିବେ ନାହିଁ । (ତଥ୍ୟ)