Home Finance ବୃଦ୍ଧି ପାଉଛି ବନ୍ଦର ରାଜସ୍ୱ

ବୃଦ୍ଧି ପାଉଛି ବନ୍ଦର ରାଜସ୍ୱ

ଭୁବନେଶ୍ୱର : ରାଜ୍ୟରେ ଥିବା ଅଣବୃହତ ବନ୍ଦରଗୁଡିକରୁ ସରକାରଙ୍କ ରାଜସ୍ୱ ଆୟ ବଢିବାରେ ଲାଗିଛି । ବିଶେଷକରି ଧାମରା, ଗୋପାଳପୁର ସମେତ ସୁବର୍ଣ୍ଣରେଖା ବନ୍ଦରରୁ ବି ରାଜସ୍ୱ ମିଳୁଛି । ଧାମରା ବନ୍ଦରରୁ ସର୍ବାଧିକ ରାଜସ୍ୱ ଆସୁଥିବାବେଳେ ସୁବର୍ଣ୍ଣରେଖା ବନ୍ଦରରୁ ୨୦୧୭-୧୮ ବର୍ଷରୁ ରାଜସ୍ୱ ଆସିବା ଆରମ୍ଭ ହୋଇଛି ।

ମିଳିଥିବା ସରକାରୀ ସୂଚନା ଅନୁଯାୟୀ ରାଜ୍ୟରେ ତିନିଟି ଅଣବୃହତ ବନ୍ଦରରୁ ସରକାର ରାଜସ୍ୱ ପାଉଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଧାମରା ବନ୍ଦରରୁ ୬୯୧ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ମିଳିଥିବାବେଳେ ଗୋପାଳପୁର ବନ୍ଦରରୁ ୬୮କୋଟିରୁ ଅଧିକ ରାଜସ୍ୱ ମିଳିଛି । ସେହିଭଳି ସୁବର୍ଣ୍ଣରେଖା ବନ୍ଦରରୁ ପାଖାପାଖି ୬କୋଟି ଟଙ୍କାର ରାଜସ୍ୱ ମିଳିଛି ।

୨୦୧୧-୧୨ ବର୍ଷରେ ଧାମରା ବନ୍ଦରରୁ ୧୦କୋଟି ଟଙ୍କାରୁ କମ୍‍ ରାଜସ୍ୱ ମିଳିଥିବାବେଳେ ୨୦୧୮-୧୯ ବର୍ଷ ପର୍ଯ୍ୟନ୍ତ ଏହା ଶହେ କୋଟି ତଳେ ରହିଥିଲା । ତେବେ ୨୦୨୦-୨୧ ବର୍ଷରେ ରାଜସ୍ୱ ବାବଦରେ ୧୪୪କୋଟି ୭୨ ଲକ୍ଷ ଟଙ୍କା ଆଦାୟ ହୋଇଛି । ଏହି ବନ୍ଦରରୁ ଗତ ୧୦ବର୍ଷରେ ମୋଟ୍‍ ୬୯୧କୋଟି ୩୯ଲକ୍ଷ ଟଙ୍କାର ରାଜସ୍ୱ ମିଳିପାରିଛି ।

ସେହିଭଳି ଗୋପାଳପୁର ବନ୍ଦରରୁ ୨୦୧୧-୧୨ ବର୍ଷରେ ସରକାର ମାତ୍ର ୨୭ଲକ୍ଷ ଟଙ୍କାର ରାଜ୍ୟସ୍ୱ ପାଇଥିବାବେଳେ ୨୦୧୮-୧୯ ପର୍ଯ୍ୟନ୍ତ ଏହା ୬କୋଟି ଟଙ୍କାରୁ କମ୍‍ ରହିଥିଲା । ତେବେ ୨୦୨୦-୨୧ ବର୍ଷରେ ଏହି ବନ୍ଦରରୁ ରାଜ୍ୟ ସରକାର ୩୩କୋଟି ୫୩ଲକ୍ଷ ଟଙ୍କାର ରାଜସ୍ୱ ପାଇଛନ୍ତି ।

ସୁବର୍ଣ୍ଣରେଖା ବନ୍ଦରରୁ ୨୦୧୭-୧୮ ବର୍ଷରୁ ରାଜସ୍ୱ ମିଳିବା ଆରମ୍ଭ ହୋଇଥିବାବେଳେ ସେହିବର୍ଷ ରାଜକୋଷକୁ ମାତ୍ର ୩୪ଲକ୍ଷ ଟଙ୍କା ଆସିଥିଲା । ୨୦୨୦-୨୧ ବର୍ଷରେ ଏଠାରୁ ଏକ କୋଟି ୮୭ଲକ୍ଷ ଟଙ୍କାର ରାଜସ୍ୱ ମିଳିପାରିଛି ।

ଧାମରା ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଦୁଇ ପର୍ଯ୍ୟାୟରେ ଦେଢ ହଜାର ଏକରରୁ ଅଧିକ ଜମି ଯୋଗାଇଥିବାବେଳେ ରେଳପଥ ନିର୍ମାଣ ପାଇଁ ୧୩୭ଏକର ଜମି ଯୋଗାଇଛନ୍ତି । ସେହିଭଳି ଗୋପାଳପୁର ବନ୍ଦର ପାଇଁ ୩୯୩ ଏକର ଓ ସୁବର୍ଣ୍ଣରେଖା ବନ୍ଦର ପାଇଁ ୬୯୨ ଏକର ଜମି ଯୋଗାଇ ଦିଆଯାଇଛି ।

ଧାମରା ବନ୍ଦରରେ ଥିବା ମୋଟ୍‍ ୪୦୬୯ ଜଣ କର୍ମଚାରୀଙ୍କ ମଧ୍ୟରୁ ଓଡିଶାର ୩୪୭୮ ହୋଇଥିବାବେଳେ ଭଦ୍ରକ ଜିଲ୍ଲାରୁ ୨୩୧୯ ଜଣ ରହିଛନ୍ତି । ଓଡିଶା ବାହାରୁ ୫୯୧ ଜଣ ଏହି ବନ୍ଦରରେ କାର୍ଯ୍ୟ କରୁଛନ୍ତି । ସେହିଭଳି ଗୋପାଳପୁର ବନ୍ଦରରେ ୪୨୫ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ଓଡିଶାର ୩୯୪ଜଣ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୯୨ ଜଣ ଅଛନ୍ତି । ତେବେ ତାଲିକାଭୁକ୍ତ ୪୭୯୫ ଜଣ କର୍ମଚାରୀ ସମସ୍ତେ ଓଡିଶାର ହୋଇଥିବା ଜଣାଯାଇଛି । (ତଥ୍ୟ)