Home Covid ବୁଷ୍ଟର ଡୋଜ୍‍ ପାଇଁ ବରିଷ୍ଠଙ୍କ ଧାଁ ଦଉଡ

ବୁଷ୍ଟର ଡୋଜ୍‍ ପାଇଁ ବରିଷ୍ଠଙ୍କ ଧାଁ ଦଉଡ

ଭୁବନେଶ୍ୱର : କରୋନାର ବୁଷ୍ଟର ଡୋଜ ଟିକା ନେବାପାଇଁ ବରିଷ୍ଠ ନାଗରିକମାନେ ଅପେକ୍ଷା କରି ରହିଥିବାବେଳେ ସେମାନଙ୍କ ଟିକାକରଣ ଲାଗି ପଞ୍ଜିକରଣ ଆରମ୍ଭ ହୋଇନାହିଁ । ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ସହ କରୋନାର ଡେଲ୍‍ଟା ଓ ଅନ୍ୟ ପ୍ରଜାତି କାୟା ବିସ୍ତାର କରି ଚାଲିଥିବାବେଳେ ବୟସ୍କମାନଙ୍କ ପାଇଁ ତୃତୀୟ ଡୋଜ୍‍ ଟିକାକରଣ ଡେରିହେବା ଘେନି ଲୋକେ ବିଭିନ୍ନ ଡାକ୍ତରଖାନା ଦୌଡିବାରେ ଲାଗିଛନ୍ତି ।

୧୮ବର୍ଷରୁ ଉର୍ଦ୍ଧ୍ୱ ସବୁ ବର୍ଗର ଲୋକଙ୍କ ପାଇଁ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକାକରଣ ଅଭିଯାନ ଅବ୍ୟାହତ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ ୧୫ରୁ ୧୮ବର୍ଷ ବୟସର ପିଲାଙ୍କ ଲାଗି ଏବେ ଟିକାକରଣ ଅଭିଯାନ ପୂରା ଦମ୍‍ରେ ଚାଲିଛି । ତେବେ ୧୫ ବର୍ଷରୁ କମ୍‍ ପିଲାଙ୍କ ଲାଗି ଟିକାକରଣ ଏଯାବତ୍‍ ଆରମ୍ଭ ହୋଇନାହିଁ ।

ବୈଜ୍ଞାନିକମାନେ ବାରମ୍ବାର ଚେତାବନୀ ଦେଉଛନ୍ତି ଯେ ଯେଉଁମାନେ ପୂର୍ବରୁ ଦ୍ୱିତୀୟ ଡୋଜ୍‍ କରୋନା ଟିକା ନେଇଛନ୍ତି ସେମାନଙ୍କ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ୬ମାସ ପରେ ଆଉ ପ୍ରାୟ ରହୁନାହିଁ । ଏ ପରିପ୍ରେକ୍ଷୀରେ ବୟସ୍କମାନଙ୍କ ପ୍ରତି ଅଧିକ ବିପଦ ଥିବା କାରଣରୁ ଜାନୁୟାରୀ ୧୦ତାରିଖ ପରେ ବରିଷ୍ଠ ନାଗରିକମାନଙ୍କୁ ବୁଷ୍ଟର ବା ତୃତୀୟ ଡୋଜ୍‍ ଟିକାର ଦେବାଲାଗି ପୂର୍ବରୁ ସୂଚନା ଦିଆଯାଇଛି ।

ବିଭାଗୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁମାନେ ଅତୀତରେ ଯେଉଁ ବ୍ରାଣ୍ଡ୍‍ର ଟିକା ନେଇଥିଲେ ସେମାନେ ବୁଷ୍ଟର ଡୋଜ୍‍ରେ ସେହି ବ୍ରାଣ୍ଡ୍‍ର ଟିକା ନେବାକୁ ପଡିବ । ଅର୍ଥାତ୍‍ ଯେଉଁମାନେ କୋଭାକ୍ସିନ ଟିକା ନେଇଥିଲେ ସେମାନେ ବୁଷ୍ଟର ଭାବେ ସେହି କୋଭାକ୍ସିନ୍‍ ଓ ଅନ୍ୟ ଯେଉଁମାନେ କୋଭିସିଲ୍ଡ ନେଇଥିଲେ ସେମାନେ କେବଳ କୋଭିସିଲ୍ଡ ନେବେ । ପୂର୍ବରୁ ସରକାରୀ ଡାକ୍ତରଖାନା ସମେତ ବିଭିନ୍ନ ବେସରକାରୀ ଡାକ୍ତରଖାନାକୁ କରୋନା ଟିକା ଯୋଗାଇ ଦିଆଯାଇଥିଲା । ସରକାରୀ ଡାକ୍ତରଖାନାରେ ଲୋକେ ମାଗଣାରେ ଟିକାକରଣ ସୁଯୋଗ ପାଇଥିବାବେଳେ ବେସରକାରୀ ଡାକ୍ତରଖାନାଗୁଡିକରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଟିକା ଦିଆଯାଇଥିଲା ।

ଏବେ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ କେଉଁଠୁ କିଭଳି ଟିକା ନେବେ ସେଥିଘେନି ବିଭିନ୍ନ ସ୍ଥାନକୁ ଧାଁ ଧପଡ କରୁଛନ୍ତି । ଅନ୍ୟ ପକ୍ଷରେ କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ୍‍ ଦିଆଯିବ ଏବଂ କେଉଁମାନଙ୍କୁ ଏହି ଟିକା କେବେ ଦିଆଯିବ ସେ ସଂକ୍ରାନ୍ତରେ କର୍ତ୍ତୃପକ୍ଷ ସୂଚାଇବେ ବୋଲି କୁହାଯାଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କେହି ବି କିଛି ସୂଚନା ଦେଇପାରୁ ନାହାନ୍ତି ।

ଆମେରିକାରେ ଏବେ ଦୈନିକ କୋଭିଡ ସଂକ୍ରମଣ ୧୦ଲକ୍ଷରୁ ଅଧିକ ରହୁଥିବାବେଳେ ଭାରତରେ ଓମିକ୍ରନର ପ୍ରଭାବ ବୃଦ୍ଧି ସହିତ ସଂକ୍ରମଣ ହାର ବି ହୁ ହୁ ବଢିବାରେ ଲାଗିଛି । ଯେଉଁମାନେ ଟିକା ନେଉଛନ୍ତି ସେମାନେ କରୋନାରେ କମ୍‍ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସରକାରୀ ଭାବେ ବାରମ୍ବାର କୁହାଯାଉଥିବା ପରିପ୍ରେକ୍ଷୀରେ ତୃତୀୟ ଲହରର ଭୟାବହତାକୁ ଆଖିଆଗରେ ରଖି ଲୋକେ ଟିକା ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ୧୮ରୁ ୬୦ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କୁ ବୁଷ୍ଟର ଡୋଜ୍‍ ଦିଆଯିବ କି ନାହିଁ ସେ ସଂକ୍ରାନ୍ତରେ ଏ ଯାବତ୍‍ କେହି କିଛି ସୂଚନା ଦେଇପାରୁ ନାହାନ୍ତି । (ତଥ୍ୟ)