Home News in Odia ବୁଥ୍‍ ସ୍ତରରେ ସଙ୍ଗଠନ ସୁଦୃୃଢ କର

ବୁଥ୍‍ ସ୍ତରରେ ସଙ୍ଗଠନ ସୁଦୃୃଢ କର

ଭୁବନେଶ୍ୱର : ବୁଥ୍‍ ସ୍ତରରେ ସଂଗଠନକୁ ସୁଦୃଢ କରିବାପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ସେ କହିଛନ୍ତି ଯେ ଆଗାମୀ ଦିନରେ ରାଜ୍ୟର ତୃଣମୂଳସ୍ତ ରରେ ବିଜେପିର ସଙ୍ଗଠନକୁ ଆହୁରି ସୁଦୃଢ କରାଯିବ । ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ଏବଂ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ରାଜ୍ୟରେ ଆଗାମୀ ଦିନରେ କିପରି ବିଜେପି ସରକାର ଗଠନ କରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ପ୍ରଭାରୀ କହିଛନ୍ତି ।

ଆଜି ରାଜ୍ୟକାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ୩୬ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ସାଂସଦ ଓ ସାଂସଦ ପାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପାର୍ଥୀ ମାନଙ୍କୁ ସଙ୍ଗଠନ ସୁଦୃଢ କରିବା ନେଇ ଦିଶା ନିର୍ଦ୍ଦେଶ କରିଛନ୍ତି । ଗତ କାଲି ରାଜ୍ୟ ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ ପଦାଧିକାରୀ ବୈଠକରେ ଯୋଗ ଦେଇ ଦଳର ଆଗାମୀ ରଣନୀତି ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।

ରାଜ୍ୟ ପ୍ରଭାରୀଙ୍କ ନିର୍ଦ୍ଦେଶାନୁଯାୟୀ ବିଜେପିର ସମସ୍ତ କାର୍ଯ୍ୟକର୍ତା ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ । ରାଜ୍ୟରେ ମହିଳା, ଯୁବକ, କୃଷକ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତୃଣମୂଳସ୍ତରରେ ବିଭିନ୍ନ ବର୍ଗର ଲୋକଙ୍କୁ ଦଳରେ ସାମିଲ କରାଇ ଏକ ନୂଆ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆସନ୍ତାକାଲି ସକାଳେ ଶ୍ରୀମତୀ ପୁରନ୍ଦେଶ୍ୱରୀ ପୁରୀ ଗସ୍ତ କରିବେ । ପୁରୀରୁ ଫେରିବା ପରେ ସକାଳ ୧୧ ଟାରେ ରାଜ୍ୟ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସମ୍ଭୋଧିତ କରିବେ ।