Home Agriculture ବୁଡିଲାଣି ପାନ ଚାଷ ବେଉସା

ବୁଡିଲାଣି ପାନ ଚାଷ ବେଉସା

ଭୁବନେଶ୍ୱର : ପାନ ଚାଷ କ୍ଷେତ୍ରରେ ଦେଶର ତୃତୀୟ ସ୍ଥାନରେ ଥିବା ଓଡିଶାର ପାନଚାଷୀଙ୍କ ବେଉସା ଏବେ ବୁଡିଲାଣି । ଗୋଟିଏ ପଟେ ବେଆଇନ୍‍ ଗୁଟ୍‍ଖା ବେପାର ପାନ କାରବାରକୁ ବୁଡାଇଥିବାବେଳେ ଅନ୍ୟ ପଟେ କରୋନା ପରଠାରୁ ରପ୍ତାନି ଏକ ପ୍ରକାର ବନ୍ଦ ହୋଇଯାଇଛି । ଫଳରେ ପାନଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ଅନେକ ପାନଚାଷୀ ଏବେ ଅନ୍ୟ ପେଶାକୁ ଆଦରିବାରେ ଲାଗିଛନ୍ତି ।

ପାନ ଚାଷ କ୍ଷେତ୍ରରେ ପଶ୍ଚିମବଙ୍ଗ ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ କର୍ଣ୍ଣାଟକ ଦ୍ୱିତୀୟ ଓ ଓଡିଶା ତୃତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗରେ ପ୍ରାୟ ୨୦ହଜାର ହେକ୍ଟର ଜମିରେ ପାନ ଚାଷ ହେଉଥିବାବେଳେ କର୍ଣ୍ଣାଟକରେ ୬ହଜାର ହେକ୍ଟରରୁ ଅଧିକ ଜମିରେ ପାନଚାଷ ହେଉଛି । ତେବେ ଓଡିଶାରେ ପାଖାପାଖି ୩ହଜାର ହେକ୍ଟର ଜମିରେ ପାନଚାଷ ହେଉଥିବାବେଳେ ଧିରେ ଧିରେ ତାହା ହ୍ରାସ ପାଇଚାଲିଛି ।

ଏକଦା ଓଡିଶାର ପାନ ରାଜ୍ୟ ଭିତରେ ଭଲ ବିକ୍ରିବଟା ହେଉଥିବାବେଳେ ରାଜ୍ୟ ବାହାରକୁ ବି ରପ୍ତାନି ହେଉଥିଲା । ମୁମ୍ବାଇ, ସୁରଟ ଆଦି ସହରରେ ଓଡିଶା ପାନର ବେଶ୍‍ ଚାହିଦା ବି ଥିଲା । ଓଡିଶାର ଉଭୟ ପାଚିଲା ଓ କଞ୍ଚାପାନ ରପ୍ତାନି ହେଉଥିଲା । ଜଗତ୍‍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପାଚିଲା ପାନର ବେଶ୍‍ ଚାହିଦା ଦେଶ ଭିତରେ ଏପରିକି ବିଦେଶରେ ମଧ୍ୟ ଥିଲା । ଏଠାରୁ ଉତ୍ପାଦିତ ପାନକୁ ଭାଟିରେ ପଚାଯାଉଥିଲା । ପାନ ପାଚିବା ପରେ ହଳଦୀଆ ରଙ୍ଗରେ ପରିଣତ ହେଉଥିଲା ଏବଂ ତାହାକୁ ବାହାରକୁ ପଠାଯାଉଥିଲା । କୁଜଙ୍ଗ ଅଞ୍ଚଳରେ ପାନ ପଚାଇବା କାର୍ଯ୍ୟରେ ମୟୁରଭଞ୍ଜ ଜିଲ୍ଲାରେ ଅନେକ ଶ୍ରମିକ ନିୟୋଜିତ ହୋଇଥିଲେ । ତେବେ ମହାବାତ୍ୟା ଏବଂ ପରେ ପରେ ପୋସ୍କୋ ବିବାଦ ପରଠାରୁ ସେଠାରେ ଏହି ବେଉସାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିଛି ।

ପାନ ଚାଷୀଙ୍କ କହିବାକଥା ରାଜ୍ୟରେ ଏବେ ପାନ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି । କାଁ ଭାଁ କିଛି ଲୋକଙ୍କୁ ବାଦ୍‍ ଦେଲେ ଆଉ କେହି ପାନ ଖାଉ ନାହାନ୍ତି । ଯେଉଁମାନେ ପାନ ଖାଉଥିଲେ ସେମାନେ ଏବେ ଗୁଟ୍‍ଖା ସହିତ ଅଭ୍ୟସ୍ତ । ଫଳରେ ପୂର୍ବରୁ ଯେଉଁ ପାନ ଦୋକାନରେ ଦିନକୁ ତିନି ଚାରି କଡା ପାନପତ୍ର ବିକ୍ରି ହେଉଥିଲା ସେଠାରେ ଏବେ କଡାଏ ପାନପତ୍ର ବି ବିକ୍ରି ହେଉନାହିଁ ।

ସେହିଭଳି ପୂର୍ବରୁ ମୁମ୍ବାଇ, ସୁରଟ ଆଦି ସହରକୁ ରପ୍ତାନି ପାଇଁ ଭୁବନେଶ୍ୱର, କଟକ ଆଦି ରେଳଷ୍ଟେସନରେ ଗଦା ଗଦା ପାନ ବୋଝେଇ ଝୁଡି ପଡି ରହୁଥିଲା । ଏପରିକି ଗୋଟିଏ ଗୋଟିଏ ବଗି ବି ଭର୍ତ୍ତିହୋଇ ଯାଉଥିଲା । ଏବେ ଆଉ ସେ ଦୃଶ୍ୟ ନାହିଁ । ସେହିସବୁ ବଜାରକୁ ଅନ୍ୟ ରାଜ୍ୟର ପାନ ବ୍ୟବସାୟୀମାନେ ଦଖଲ କରିନେଇଛନ୍ତି ।

ତେବେ ପାନ ଚାଷ ହେଉଥିବା ପୁରୀ, ଜଗତ୍‍ସିଂହପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ବାରମ୍ବାର ଆସୁଥିବା ସାମୁଦ୍ରିକ ଝଡ ବାତ୍ୟା ମଧ୍ୟ ପାନଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ପୂର୍ବଭଳି ରୋଜଗାର ନଥିବାରୁ ଅନେକ ଚାଷୀ ଏବେ ଅନ୍ୟ ବେଉସାକୁ ଆପଣେଇ ନେଲେଣି । କେତେକ ପାନଚାଷୀ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାପାଇଁ ବି ପଳାଉଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାର ଯଦି ଗୁଟ୍‍ଖା କଟକଣାକୁ କଡାକଡି କରନ୍ତେ ଓ ପାନ ରପ୍ତାନି ପାଇଁ କିଛି ପଦକ୍ଷେପ ଗ୍ରହଣ କରନ୍ତେ ତେବେ ପାନ ଚାଷ ପାଇଁ ଲୋକେ ପୁଣିଥରେ ଆଗେଇ ଆସନ୍ତେ ବୋଲି କିଛି ପାନଚାଷୀ ମତ ଦେଇଛନ୍ତି । (ତଥ୍ୟ)