Home Agriculture ବିହନ ନିଗମକୁ ବିପଦ ଘରୋଇ ଧାନ ବିହନ

ବିହନ ନିଗମକୁ ବିପଦ ଘରୋଇ ଧାନ ବିହନ

ଭୁବନେଶ୍ୱର : ଘରୋଇ ଧାନ ବିହନ ବ୍ୟବସାୟୀ ଓ କିଛି କୃଷି ଅଧିକାରୀଙ୍କ ମଧ୍ୟରେ ସଲାସୁତରା ଯୋଗୁଁ ଚାଷୀମାନେ ସରକାରୀ ବିହନ ପ୍ରତି ବିମୁଖ ହେଉଥିବାବେଳେ ରାଜ୍ୟ ବିହନ ନିଗମ ଓ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଏହା କାଳ ହେଲାଣି । ଏହି ଧାରା ଜାରି ରହିଲେ ଆଗାମୀ ଦିନରେ ବିହନ ନିଗମ ଦେବାଳିଆ ହେବା ସହିତ ଉନ୍ନତମାନର ବିହନ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି ।

ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଚାଷୀଙ୍କୁ ପ୍ରାୟ ୫ଲକ୍ଷ କୁଇଣ୍ଟାଲ ଧାନ ବିହନ ଯୋଗାଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହା ତୁଳନାରେ ଅଧିକ ପରିମାଣରେ ଧାନ ବିହନ ବ୍ୟବହାର ହେଉଥିବାବେଳେ ବେସରକାରୀ ବିହନ ବ୍ୟବସାୟୀଙ୍କ ବିହନ ବଜାରରେ ଜୋରସୋରରେ ବିକ୍ରି ହେଉଛି । ଆଉ ଏହି କାରବାର ପଛରେ ବିହନ ବେପାରୀଙ୍କ ସହିତ କୃଷି ବିଭାଗର କିଛି କ୍ଷେତ୍ର ଅଧିକାରୀ ହାତ ମିଳାଇଛନ୍ତି । ସରକାରୀ ଅଫିସରଙ୍କ ଠାରୁ ଅଭୟବାଣୀ ପାଇବାପରେ ଚାଷୀମାନେ ବେସରକାରୀ ବିହନ ଖରିଦ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବେସରକାରୀ ବିହନ ଗୁଡିକ ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନଥିବାରୁ ଅନେକ ସ୍ଥଳରେ ସାଧାରଣ ଧାନକୁ ବିଭିନ୍ନ ପ୍ରକାର ଚକଚକିଆ ବସ୍ତାରେ ପୂରାଇ ବିକ୍ରି କରାଯାଉଛି । ଅବସ୍ଥା ଏଭଳି ହେଲାଣି ଯେ କେତେକ ରାଇସ ମିଲ୍‍ କର୍ତ୍ତୃପକ୍ଷ ବି ବିହନ ବ୍ୟବସାୟରେ ପାଦ ଦେଲେଣି । ଆକର୍ଷଣୀୟ ନାମ ଓ ପ୍ୟାକିଂକୁ ଆଧାର କରି ଏମାନେ ବଜାରରେ ପ୍ରବେଶ କରୁଥିବାବେଳେ କିଛି କୃଷି କର୍ମଚାରୀ ଏମାନଙ୍କର ଏକ ପ୍ରକାର ଏଜେଣ୍ଟ ସାଜିଛନ୍ତି । ଏଭଳି ବିହନ ପ୍ୟାକିଂର ପେଣ୍ଠସ୍ଥଳ ଏବେ ରାଜ୍ୟର ପଶ୍ଚିମଓଡିଶା ପାଲିଟିଥିବା ଜଣାଯାଇଛି ।

ଅନ୍ୟ ପକ୍ଷରେ ସରକାର ଯୋଗାଉଥିବା ପ୍ରାମାଣିକ ଓ ପିଣ୍ଡ ବିହନ ବିଭିନ୍ନ ପର୍ଯ୍ୟାୟ ଦେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲାପରେ ତାହାକୁ ଚାଷୀଙ୍କୁ ଯୋଗାଯାଉଛି । ଧାନ ବିହନ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ସରକାର ତାହା ଉପରେ କଡା ନଜର ରଖିବା ସହିତ ବିହନର ମାନ ପରୀକ୍ଷାପରେ ହିଁ ଚାଷୀଙ୍କୁ ଅର୍ଥ ପ୍ରଦାନ କରାଯାଇଥାଏ । ଯଦି କୌଣସି ଠାରେ ବିହନ ଖରାପ ପଡିଲା ତେବେ ସେଥିପାଇଁ ସରକାର ଦାୟୀ ରହିଥାନ୍ତି । ହେଲେ ବେସରକାରୀ ବିହନ କ୍ଷେତ୍ରରେ ଏଥିରୁ ଗୋଟିଏ ହେଲେ କାର୍ଯ୍ୟକାରୀ ହୁଏନାହିଁ ।

ବର୍ତ୍ତମାନ ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ଜିଲ୍ଲାରେ ସରକାରୀ ବିହନ କମ୍‍ ପରିମାଣରେ ବିକ୍ରି ହେଉଥିବାରୁ ସେହିସବୁ ଜିଲ୍ଲାରେ ବିହନ ଉତ୍ପାଦନ ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି । ଏହାର ଏକ ବଡ ଉଦାହରଣ ହେଲା ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା । ଏହି ତିନି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବିହନ ଚାଷୀମାନଙ୍କୁ ସରକାର ପିଣ୍ଡ ବିହନ ଯୋଗାଇବାରେ ଟାଳଟୂଳ ନୀତି ଗ୍ରହଣ କରୁଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରମୁଖ କାରଣ ହେଉଛି ଏହିସବୁ ଜିଲ୍ଲାରେ ପୂର୍ବାପେକ୍ଷା କମ୍‍ ପରିମାଣରେ ସରକାରୀ ଧାନ ବିହନ ବିକ୍ରି । ତେଣୁ ତୁରନ୍ତ ବେସରକାରୀ ଧାନ ବିହନର ମାନ ପରୀକ୍ଷା ସହିତ ଏହାକୁ ସରକାର ନିଜ ନିୟନ୍ତ୍ରଣକୁ ନେବାପାଇଁ ଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)