Home News in Odia ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇ-ଅଫିସ ପ୍ଲାଟଫର୍ମ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇ-ଅଫିସ ପ୍ଲାଟଫର୍ମ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ଆହୁରି ଦକ୍ଷ ହେବ । ସରକାରୀ କାଗଜପତ୍ର କାମ ଆଜିଠାରୁ ଇ-ଅଫିସ ପ୍ଲାଟଫର୍ମ ମାଧ୍ୟମରେ କରାଯିବ । ୱାଲïର୍ ସ୍କିଲ ସେଣ୍ଟରରେ ଇ-ଅଫିସ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, ପଲିଟେକ୍‌ନିକ୍‌, ଆଇଟିଆଇ ଭଳି ଶିକ୍ଷାନୁଷ୍ଠାନରେ ମଧ୍ୟ ଇ-ଅଫିସ ପ୍ଲାଟଫର୍ମ ଲାଗୁ କରାଯିବ ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହା ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଅଫିସ ପରିଚାଳନା ପାଇଁ ସୁବିଧା ସହ କାମରେ ସ୍ୱଚ୍ଛତା ଆସିବ ବୋଲି ପ୍ରମୁଖ ସଚିବ ଶ୍ରୀ ଶର୍ମା କହିଛନ୍ତି ।

ଇ-ଅଫିସ ମାଧ୍ୟମରେ ୱାଲïର୍ ସ୍କିଲ ସେଣ୍ଟର ଡିଜିଟାଲ ପ୍ଲାଟଫର୍ମରେ ପରିଣତ ହେବ ବୋଲି ସିଏମ୍‌ଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସତ୍ୟପ୍ରିୟ ରଥ ଯୋଗଦେଇ କହିଛନ୍ତି । ସେ କହିଛନ୍ତି ଯେ ସ୍ୱଚ୍ଛତା, ଦକ୍ଷତା, ପ୍ରଭାବଶାଳିତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବା ପାଇଁ ଇ-ଅଫିସ୍‌ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପକରଣ । ଡ. ରଥ ଏହା ମଧ୍ୟ କହିଛନ୍ତି ଯେ କର୍ମଚାରୀଙ୍କ ପାଇଁ ଇ-ଅଫିସ୍‌ ଅତ୍ୟନ୍ତ ସୁବିଧାଜନକ ବ୍ୟବସ୍ଥା, ଯାହା କାର୍ଯ୍ୟଭାରକୁ ହ୍ରାସ କରିବା ସହିତ କର୍ମଚାରୀଙ୍କ ଦକ୍ଷତା ସୁନିଶ୍ଚିତ କରିବାରେ ସହାୟକ ହେବ ।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ, ଶ୍ରୀ ରେଘୁ ଜି କହିଛନ୍ତି ଯେ ଏଭଳି ବ୍ୟବସ୍ଥାର କାର୍ଯ୍ୟକାରିତା ଦ୍ୱାରା ଡବ୍ଲୁଏସ୍‌ସିରେ ବିନା କାଗଜପତ୍ରରେ ଅଫିସ କାର୍ଯ୍ୟ ପରିଚାଳିତ ହେବ ଏବଂ ଅଧିକାରୀଙ୍କ ସହ ଆଲୋଚନା କରି ସଠିକ୍‌ ସମୟରେ ନିଷ୍ପତ୍ତି ନେବାରେ ସହାୟକ ହେବ ।

ଇ-ଅଫିସ୍‌ ବିଷୟରେ ଏନ୍‌ଆଇସିର ଏସ୍‌ଆଇଓ ଶ୍ରୀମତୀ କବିତା ରୟ ଦାସ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ୨୦୦୯ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନା ଅନ୍ତର୍ଗତ ଇ-ଅଫିସ୍‌ ଏକ ମିଶନଭିତ୍ତିକ ପ୍ରକଳ୍ପ ଅଟେ ବୋଲି ଶ୍ରୀମତୀ ରୟ ସୂଚନା ଦେଇଛନ୍ତି । ନାସ୍‌ନାଲ ଇନ୍‌ଫୋରମେଟିକ୍ସ ସେଣ୍ଟର (ଏନ୍‌ଆଇସି) ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ପ୍ଲାଟଫର୍ମ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନସ୍ଥ ସିଏମ୍‌ଜିଆଇ ଦ୍ୱାରା ପରିଚାଳିତ ହେଉଛି ।

ଏହି ଅବସରରେ ଡବ୍ଲୁଏସ୍‌ସି ପ୍ରିନ୍ସିପାଲ୍‌ ଶ୍ରୀ ସଙ୍ଗରନ୍‌ ଗୋପାଲ ସ୍ୱାଗତ ଭାଷଣ ପ୍ରଦାନ କରି କହିଛନ୍ତି ଯେ ଡବ୍ଲୁଏସ୍‌ସିରେ ଇ-ଅଫିସ ଆରମ୍ଭ କରିବା ଏକ ଗର୍ବର ବିଷୟ ଏବଂ ଆଜି ସୁଦ୍ଧା ୧୪୯ଟି ସରକାରୀ କାର୍ଯ୍ୟାଳୟରେ ଇ-ଅଫିସ୍‌ ଲାଗୁ କରାଯାଇଛି । ବିଶେଷ କରି ଏହା ମହାମାରୀ ସମୟରେ କାର୍ଯ୍ୟାଳୟଠାରୁ ଦୂରରେ ରହି କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଏସ୍‌ଡିଟିଇ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ଡବ୍ଲୁଏସ୍‌ସି ଭାଇସ୍‌ ପ୍ରିନ୍ସପାଲ୍‌ ଡକଫର ସୁଭାଙ୍ଗ କିଶୋର ଦାସ, ସିଟିଓ ଶ୍ରୀ ଶଶାଙ୍କ ଶେଖର ଚୌଧୁରୀ, ଆଇଟି ଏକ୍ସପର୍ଟ ଶ୍ରୀ ଧନଞ୍ଜୟ ଷଡଙ୍ଗୀ, ସିଏମ୍‌ଜିଆଇ ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ପିନାକି ମହାନ୍ତି ଏବଂ ଏନ୍‌ଆଇସି ବୈଷୟିକ ନିର୍ଦ୍ଦେଶକ ଶ୍ରୀ ବି. ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।