Home General ବିଶ୍ୱଗୁରୁ ରୂପେ ଉଭା ହେବ ଭାରତ

ବିଶ୍ୱଗୁରୁ ରୂପେ ଉଭା ହେବ ଭାରତ

ଭୁବନେଶ୍ୱର : ସନାତନ ଧର୍ମର ମୂଳ ଭାବ ହେଉଛି ଶାଶ୍ୱତ ସହ ସଂଯୋଗ । ଆମେ ଯେଉଁ ଉତ୍ସରୁ ଆସିଛେ, ସେହି ଉତ୍ସ ସହ ସଂଯୁକ୍ତ ହୋଇ ରହିବା ହେଉଛି ଧର୍ମର ସାରବତ୍ତା । ସଂସାରକୁ ଆସିଲା ପରେ ଅନେକଙ୍କର ସଂଯୋଗରେ ବ୍ୟାଘାତ ହୁଏ । ସେମାନେ ଅଳୀକ ମାୟାରେ ପଥଭ୍ରଷ୍ଟ ହୁଅନ୍ତି । କେବଳ ସଦ୍‍ଗୁରୁ ହିଁ ଉପଯୁକ୍ତ ମାର୍ଗଦର୍ଶନ କରାଇଥାନ୍ତି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱରରେ ଏକାମ୍ର ସାରସ୍ୱତ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ, ଭାରତ ହେଉଛି ସନ୍ଥଙ୍କ ଦେଶ । ସମାଜକୁ ସଠିକ ଦିଶା ଦେଖାଇବା ପାଇଁ ସନ୍ଥମାନେ ଅବତରିତ ହୁଅନ୍ତି ।

ନିଗମାନନ୍ଦଙ୍କ ସାଧନା ଓ ସିଦ୍ଧି ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ । ଏହି ଭାବାଦର୍ଶ ଓ ଆଧ୍ୟାତ୍ମ ଚେତନାର ବ୍ୟାପକ ପ୍ରସାର ସାଂପ୍ରତିକ ସମାଜ ପାଇଁ ଏକାଂତ ଆବଶ୍ୟକ ବୋଲି ରାଜ୍ୟପାଳ କହିବା ସହ ସମଗ୍ର ପୃଥିବୀରେ ନିଗମାନନ୍ଦଙ୍କ ତତ୍ତ୍ୱ ଓ ଦର୍ଶନ ଆହୁରି ପ୍ରସାରିତ ହେବା ଦରକାର ଏବଂ ଏ ଦିଗରେ ବିଶେଷ ପ୍ରୟାସ ପାଇଁ ବ୍ୟବସ୍ଥିତ ଉଦ୍ୟମ ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ ।

ଏକାମ୍ର ସାରାସ୍ୱତ ସଂଘର ସଭାପତି ସନ୍ତୋଷ କୁମାର ମହାନ୍ତି , ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ନୀଳାଚଳ ସାରସ୍ୱତ ସଂଘର ପ୍ରଚାରକ ଶରତ ଚନ୍ଦ୍ର ସିଂହଦେଓ ପ୍ରମୁଖ ନିଗମାନନ୍ଦଙ୍କ ଆଧ୍ୟାତ୍ମିକ ବିଚାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବରିଷ୍ଠ ଭକ୍ତ ଓ ଅନ୍ୟମାନଙ୍କୁ ରାଜ୍ୟପାଳ ସମ୍ବର୍ଧିତ କରିଥିଲେ ।