Home General ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ବିଳମ୍ବ ହେବ । ରାଜ୍ୟ ସରକାର ନିର୍ବାଚନ ପାଇଁ ଜାରି କରିଥିବା ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରତ୍ୟାହାର ସହିତ ସଂଶୋଧିତ ସଂରକ୍ଷଣ ତାଲିକା ପ୍ରକାଶ କରିବେ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରିବାପରେ ଆସନ୍ତା ଜାନୁୟାରୀ ପ୍ରଥମାର୍ଦ୍ଧରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ଆଶା କରାଯାଉଛି ।

ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହାର କରିବେ ବୋଲି ଅଦାଲତଙ୍କୁ ଜଣାଇବା ସହିତ ଆସନ୍ତା ୨୭ ତାରିଖରେ ସାନି ସଂରକ୍ଷଣ ତାଲିକା ପ୍ରକାଶ କରିବେ । ୩ ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ଏବଂ ୫ତାରିଖରେ ଅଭିଯୋଗଗୁଡିକର ଫଏସଲା ହେବ ।

ଜାନୁୟାରୀ ୭ ତାରିଖରେ ରାଜ୍ୟ ସରକାର ଚୂଡାନ୍ତ ତାଲିକା ପ୍ରକାଶ ସହିତ ତାହାକୁ ରାଜ୍ୟ ର୍ନିବାଚନ କମିଶନଙ୍କୁ ହସ୍ତାନ୍ତର କରିବେ । ଚୂଡାନ୍ତ ସଂରକ୍ଷଣ ତାଲିକା ପାଇବାପରେ ଆୟୋଗ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବେ । ତେଣୁ ଏହା ଜାନୁୟାରୀ ୭ତାରିଖ ପରେ ପ୍ରକାଶ ପାଇବା ଏକ ପ୍ରକାର ନିଶ୍ଚିତ ।

ତେବେ ମାର୍ଚ୍ଚ ୮ତାରିଖ ସୁଦ୍ଧା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବା ଲାଗି ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ହକିଛନ୍ତି । ଉଲ୍ଲେଖନୀୟ ଯେ ଆସନ୍ତା ପଞ୍ଚାୟତ ନିର୍ବାଚନ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ହେବ ବୋଲି କମିଶନ ଜିଲ୍ଲା ପ୍ରଶାସନଗୁଡିକୁ ଅବଗତ କରିବା ସହିତ ଆଦର୍ଶ ନିର୍ବାଚନ ଆଚରଣ ବିଧି ପ୍ରକାଶ କରିଛନ୍ତି ।

ସେହିଭଳି ସଂଶୋଧିତ ସଂରକ୍ଷଣ ତାଲିକାରେ ଆଉ ଓବିସି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ରହିବ ନାହିଁ । ସାଧାରଣ ବର୍ଗ, ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି ଓ ମହିଳାଙ୍କ ପାଇଁ ବିଭିନ୍ନ ଆସନ ସଂରକ୍ଷଣ ରହିବ । ପୂର୍ବ ପ୍ରକାଶିତ ସଂରକ୍ଷଣ ତାଲିକାରେ କିନ୍ତୁ ଓବିସି ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିଥିଲା ।

ଚଳିତ ମାସ ୨୭ କିମ୍ବା ୨୮ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବାର ପୂର୍ବାନୁମାନ କରାଯାଉଥିବାବେଳେ ଫେବୃୟାରୀରେ ନିର୍ବାଚନ ହେବ ବୋଲି କୁହାଯାଉଥିଲା । ଯେହେତୁ ସଂରକ୍ଷଣ ତାଲିକା ପୁନଃ ପ୍ରକାଶନ ଲାଗି ସରକାର କହିଲେଣି ତେଣୁ ବିଜ୍ଞପ୍ତି ପ୍ରକାଶ ସହିତ ନିର୍ବାଚନରେ ମଧ୍ୟ ସାମାନ୍ୟ ବିଳମ୍ବ ହୋଇପାରେ ।