Home Covid ବିଳମ୍ବିତ ରିପୋର୍ଟ ଯୋଗୁଁ ସଂକ୍ରମଣ ବୃଦ୍ଧି

ବିଳମ୍ବିତ ରିପୋର୍ଟ ଯୋଗୁଁ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର : କରୋନା ଏବେ ଗାଁ ମୁହାଁ ହୋଇଥିବାବେଳେ ସଂକ୍ରମଣ ବୃଦ୍ଧିପାଇଁ ଟିକାଦାନ କେନ୍ଦ୍ର ଓ କରୋନା ନମୂନା ପରୀକ୍ଷା କେନ୍ଦ୍ରରେ ଅସମ୍ଭାଳ ଭିଡ ସହିତ ପରୀକ୍ଷା ରିପୋର୍ଟ ଆସିବାରେ ଅହେତୁକ ବିଳମ୍ବକୁ ବିଶେଷଜ୍ଞମାନେ ଦାୟୀ କରୁଛନ୍ତି । ଗାଁ ଗହଳରେ ଅନେକଙ୍କ ପଜିଟିଭ ରିପୋର୍ଟ ଆସିବାକୁ ୩/୪ ଦିନ ଲାଗୁଥିବାରୁ ସେମାନେ ନିଜ ଅଜଣାତରେ ଲୋକେ ଅନ୍ୟକୁ ସଂକ୍ରମିତ କରିବାରେ ଲାଗିଛନ୍ତି ।

ଟିକା ପାଇଁ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବା ସହିତ ସେମାନେ ଏବେ ଟିକା ନେବାପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରକୁ ଯାଉଛନ୍ତି । ହେଲେ ସେଠାରେ ହୋଇଥିବା ଟୋକନ ଓ ଧାଡି ବ୍ୟବସ୍ଥା ସହିତ କମ୍‍ ପରିମାଣରେ ଟିକା ପହଞ୍ଚୁଥିବାରୁ ଲୋକେ ଧସ୍ତାଧସ୍ତି ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ଲୋକଙ୍କ ମଧ୍ୟରେ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୋଇଥାନ୍ତି ତେବେ ସେହିଠାରେ ହିଁ ସେ ବହୁ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି ।

ସେହିଭଳି କରୋନା ପରୀକ୍ଷା କେନ୍ଦ୍ରରେ ଅହେତୁକ ଭିଡ ପରିଲକ୍ଷିତ ହେଉଛି । ଲୋକେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡାହୋଇ ରହୁଛନ୍ତି । ସାମାଜିକ ଦୂରତାକୁ କେହି ମାନିବାକୁ ନାରାଜ । ଦଳ ଦଳ ହୋଇ ଲୋକେ ପରୀକ୍ଷା କେନ୍ଦ୍ରରେ ରୁଣ୍ଡ ହେଉଛନ୍ତି । ନିଜ ନିଜର କରୋନା ପରୀକ୍ଷା କରିବା ଭିତରେ ଅନେକ ଅଜଣାତରେ କରୋନା ସଂକ୍ରମିତ ବି ହୋଇଯାଉଛନ୍ତି ।

ତେବେ ସବୁଠାରୁ ବଡ ବିପଦ ହୋଇଛି କରୋନା ରିପୋର୍ଟ ମିଳିବାରେ ବିଳମ୍ବ । ଆଣ୍ଟିଜେନ୍‍ ପରୀକ୍ଷା ରିପୋର୍ଟ ସୂଚନା ତତ୍କାଳ ମିଳିଯାଉଥିବାବେଳେ ଆରଟିପିସିଆର ପରୀକ୍ଷା ରିପୋର୍ଟ ପାଇବାକୁ ୩/୪ ଦିନ ଲାଗିଯାଉଛି । ଅନେକଙ୍କର ଆଣ୍ଟିଜେନ ରିପୋର୍ଟରେ ନେଗେଟିଭ ଆସୁଥିବାବେଳେ ଆରଟିପିସିଆରରେ କିନ୍ତୁ ପଜିଟିଭ ବାହାରୁଛି । ତେଣୁ ଏହି ବ୍ୟକ୍ତିମାନେ ହିଁ ଗାଁ ଗହଳରେ କରୋନାର ଜଣେ ଜଣେ ସୁପରସ୍ପ୍ରେଡର ସାଜୁଛନ୍ତି ।

ରାଜଧାନୀରେ ଗୋଟିଏ ଦିନରେ ଆରଟି-ପିସିଆର ପରୀକ୍ଷାର ସୂଚନା ଲୋକଙ୍କୁ ଦିଆଯାଉଥିବାବେଳେ ମାତ୍ର ୭୦କିଲୋମିଟର ଦୂରରେ ଥିବା ଜଗତ୍‍ସିଂହପୁରରେ କିନ୍ତୁ ଏଥିପାଇଁ ୩/୪ ଦିନ ଲାଗୁଛି । ଯେଉଁମାନେ ନିଜର ଆଣ୍ଟିଜେନ୍‍ ରିପୋର୍ଟ ନେଗେଟିଭ ଦେଖି ଗାଁରେ ବୁଲାବୁଲି କରୁଛନ୍ତି ତିନିଦିନ ପରେ ସେମାନଙ୍କ ନିକଟକୁ ଆରଟି-ପିସିଆର ରିପୋର୍ଟ ପଜିଟିଭ ଥିବା ଫୋନ୍‍ ଯାଉଛି । ଫଳରେ ଲୋକେ ସଂଗରୋଧରେ ରହିବା ପୂର୍ବରୁ ଅନେକଙ୍କୁ ସଂକ୍ରମିତ କରି ଦେଉଛନ୍ତି ।

କରୋନା ପରୀକ୍ଷା ରିପୋର୍ଟ ସଂକ୍ରାନ୍ତୀୟ ସୂଚନା ମୋବାଇଲ ନମ୍ବରରେ ପଠାଇବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଏ କ୍ଷେତ୍ରରେ ବିଳମ୍ବ ପରିଲକ୍ଷିତ ହେଉଛି । କାରଣ ଜଣେ ଜଣେ କରି ଲୋକଙ୍କୁ ଫୋନ୍‍ କରିବା ସମୟ ସାପେକ୍ଷ ହେଉଥିବାରୁ ତୁରନ୍ତ ଯେଭଳି ଗାଁ ଗହଳର ଲୋକେ ସୂଚନା ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)