Home General ବିମାନ ଉଡାଣ ପ୍ରଶିକ୍ଷାର୍ଥୀ ହଟହଟା

ବିମାନ ଉଡାଣ ପ୍ରଶିକ୍ଷାର୍ଥୀ ହଟହଟା


ଭୁବନେଶ୍ୱର : ସରକାରୀ ବିମାନ ପ୍ରଶିକ୍ଷଣ ବ୍ୟବସ୍ଥା ଭୁବନେଶ୍ୱରରୁ ଢେଙ୍କାନାଳ ଜିଲ୍ଲାର ବିରାସଲକୁ ଉଠାଇ ନିଆଯିବା ପରେ ଏବେ ପ୍ରଶିକ୍ଷାର୍ଥୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିରାସଲରେ ଘରଭଡା ମିଳୁନଥିବାବେଳେ କିଏ ୨୦ କିଲୋମିଟର ତ ଆଉ କିଏ ୩୦ କିଲୋମିଟର ଦୂରରେ ରହୁଛି । ଏହା ଏବେ ତାଲିମରେ ବଡ ବାଧକ ସାଜିଛି ।

ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ର (ଗତି) ର ବିମାନ ଉଡାଣ ତାଲିମ ଏବେ ବିରାସଲ ଏୟାରଷ୍ଟ୍ରିପ୍‍ରେ ହେଉଛି । ସରକାରୀ ଘରୋଇ ସହଭାଗିତା (ପିପିପି) ବ୍ୟସ୍ଥାରେ ଏହା କାର୍ଯ୍ୟକାରୀ ଲାଗି ସରକାର ତାହାକୁ ଭୁବନେଶ୍ୱରରୁ ସ୍ଥାନାନ୍ତରିତ କରିଛନ୍ତି । ହେଲେ ସେଠାରେ ପ୍ରଶିକ୍ଷକ କିମ୍ବା ପ୍ରଶିକ୍ଷାର୍ଥୀଙ୍କ ରହିବାପାଇଁ ସେଭଳି ସୁବିଧା ସୁଯୋଗ ନାହିଁ । ଏଠାରେ ଥିବା ହଷ୍ଟେଲରେ ସୁବିଧା ଅଭାବରୁ ପିଲା ରହିବାକୁ ମଙ୍ଗୁ ନାହାନ୍ତି । ବିଦ୍ୟୁତ୍‍, ପାଣି ଆଦିର ସମସ୍ୟା ଯୋଗୁଁ ଅନେକ ପ୍ରଶିକ୍ଷାର୍ଥୀ କାମାକ୍ଷାନଗର ଆଦି ଅଞ୍ଚଳରେ ଭଡାଘର ନେଇ ରହୁଛନ୍ତି ।

କିଛି ପ୍ରଶିକ୍ଷାର୍ଥୀଙ୍କ ମତରେ ରାଜଧାନୀରେ ତାଲିମ କେନ୍ଦ୍ର ଥିବାବେଳେ ଏଠାରେ ପାଠପଢିବା ଠାରୁ ଆରମ୍ଭ କରି ବିମାନ ଉଡାଣ ପର୍ଯ୍ୟନ୍ତ ସବୁ ଠିକ୍‍ଠାକ୍‍ ଚାଲିଥିଲା । ରାଜ୍ୟ ବାହାରର ପ୍ରଶିକ୍ଷାର୍ଥୀମାନେ ଏଠାରେ ରହିବାପାଇଁ ସହଜରେ ଭଡାଘର ପାଇଯାଉଥିଲେ । ସେହିଭଳି ପ୍ରଶିକ୍ଷକମାନେ ବି ସହଜରେ ରହିବାର ସୁବିଧା ପାଉଥିଲେ । ହେଲେ ବିରାସଲରେ ରହିବାପାଇଁ କେହି ମଙ୍ଗୁ ନାହାନ୍ତି ।

ଏଠାରୁ ୨୦/୩୦ କିଲୋମିଟର ଦୂରରେ ରହୁଥିବା ପ୍ରଶିକ୍ଷାର୍ଥୀମାନେ ଏୟାରଷ୍ଟ୍ରିପ୍‍ ନିକଟକୁ ଯିବାପାଇଁ ସଞ୍ଜହେଲେ ଡରୁଛନ୍ତି । କାରଣ ଏହି ଅଞ୍ଚଳଟି ଜଙ୍ଗଲିଆ ହୋଇଥିବାରୁ ଏଠାରେ ଲୁଟ୍‍ପାଟର ଭୟ ରହୁଛି । ଫଳରେ ବିମାନବନ୍ଦରରେ ରାତିରେ ବିମାନ ତାଲିମ ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶିକ୍ଷାର୍ଥୀମାନେ ଯିବା ଆସିବା ଲାଗି ଭୟ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୧୯୪୬ ମସିହାରେ ବିଜୁ ପଟ୍ଟନାୟକ ଗଠନ କରିଥିବା ଓଡିଶା ଫ୍ଲାଇଙ୍ଗ କ୍ଲବ ୧୯୭୪ ମସିହାରେ ସରକାରୀ ବିମାନ ତାଲିମ କେନ୍ଦ୍ରର ମାନ୍ୟତା ପାଇଥିଲା । ସେବେଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଏହାର ତାଲିମ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗତବର୍ଷ ଠାରୁ ପିପିପି ମୋଡ୍‍ରେ ଏହାର ପରିଚାଳନ ପାଇଁ କର୍ତ୍ତୃପକ୍ଷ ବିରାସଲକୁ ସ୍ଥାନାନ୍ତର କରିଛନ୍ତି ।

ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରର ପିଲାମାନେ ଏଠାରେ ବିମାନ ଚାଳନା କ୍ଷେତ୍ରରେ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କମର୍ସିଆଲ ବିମାନଚାଳନା ପାଇଁ ତାଲିମ ନେଉଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ତାଲିମ ନେଉଥିବା ଏହି ପିଲାମାନେ କିନ୍ତୁ ଘର ଖଣ୍ଡିଏ ନପାଇ ନାନା ହୀନସ୍ତା ହେଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here