Home News in Odia ବିଭିନ୍ନ ରାଜ୍ୟ ଗସ୍ତ କରିବ ଗୃହ କମିଟି

ବିଭିନ୍ନ ରାଜ୍ୟ ଗସ୍ତ କରିବ ଗୃହ କମିଟି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତାହାର ପ୍ରତିକାର ପାଇଁ ସୁପାରିଶ କରିବାକୁ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ କନଫରେନ୍ସିଂ ଜରିଆରେ ବିଧାନସଭା ପ୍ରକୋଷ୍ଠ ୫୯ରେ ଅନୁଷ୍ଠିତ ଉକ୍ତ ବୈଠକରେ ସୀମାନ୍ତରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆମାନଙ୍କର ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।

ବିଧାନସଭା ଅଧିବେଶନ ପରେ କୋଭିଡ୍ ସ୍ଥିତିର ଉନ୍ନତି ହେଲେ ଏଥିପାଇଁ ଗଠିତ ସାତଟି ସବ୍-କମିଟି ବିଭିନ୍ନ ରାଜ୍ୟକୁ ଗସ୍ତରେ ଯାଇ ସେଠାକାର ବାସ୍ତବ ସ୍ଥିତି ଆକଳନ କରିବେ ଏବଂ ଓଡ଼ିଆମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତିଙ୍କ ସହ ଆଲୋଚନା କରିବେ ।

ସୀମାନ୍ଧ୍ର ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ତେଲେଙ୍ଗାନା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଛତିଶଗଡ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ଝାଡଖଣ୍ଡ ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂ, ପଶ୍ଚିମବଙ୍ଗ ପାଇଁ ବିଧାୟକ ଅନନ୍ତ ଦାସ, ଗୁଜୁରାଟ ଓ ମହାରାଷ୍ଟ୍ର ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂ, କର୍ଣ୍ଣାଟକ ପାଇଁ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍-କମିଟି ସମ୍ପୃକ୍ତ ରାଜ୍ୟ ଗସ୍ତରେ ଯିବେ । ଓଡ଼ିଶା ପ୍ରଦେଶର ପଡୋଶୀ ରାଜ୍ୟ ସୀମାକୁ ଲାଗିଥିବା ଜିଲ୍ଲାମାନଙ୍କରୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କୁ ମଧ୍ୟ ଉକ୍ତ ସବ୍-କମିଟିର ସଭ୍ୟ ରୂପେ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଉପାନ୍ତ ଜିଲ୍ଲାଗୁଡିକରେ ଉଭୟ ରାଜ୍ୟର ଭାଷା ପ୍ରତି ଗୁରୁତ୍ତ୍ୱ ଦେଇ ପୂର୍ବରୁ ଆମ ରାଜ୍ୟର ଉପାନ୍ତ ଜିଲ୍ଲାର ପିଲାମାନଙ୍କୁ ତାର ପଡୋଶୀ ରାଜ୍ୟରେ ସି.ଟି, ବି.ଇଡି. ତାଲିମ ଦେବାକୁ ଏବଂ ପଡୋଶୀ ରାଜ୍ୟର ପିଲାମାନଙ୍କୁ ଆମ ରାଜ୍ୟରେ ସି.ଟି., ବି.ଇଡି. ତାଲିମ ଦେବାକୁ ପୂର୍ବରୁ ଯେଉଁଭଳି ଅନୁମତି ପ୍ରଦାନ କରାଯାଉଥିଲା, ଉଭୟ ରାଜ୍ୟର ଭାଷା ସୁରକ୍ଷିତ ରହିବା ନିମନ୍ତେ ଏହି ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ସରକାରଙ୍କୁ କମିଟି ସୁପାରିଶ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ସମସ୍ତ ପଡୋଶୀ ରାଜ୍ୟର ସୀମାକୁ ଲାଗି ରହିଥିବା ଆମ ରାଜ୍ୟର ସମସ୍ତ ଜିଲ୍ଲାପାଳ ସତର୍କ ଦୃଷ୍ଟି ରଖିବେ ଏବଂ କମିଟି ମଧ୍ୟ ଆଗାମୀ ବୈଠକରେ ସେମାନଙ୍କ ସହ ଏ ପ୍ରସଙ୍ଗରେ ବିଶଦ ଆଲୋଚନା କରିବେ । ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସଦା ଜାଗ୍ରତ ରହିଛନ୍ତି ଏବଂ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ବିଧାୟକ ଅନନ୍ତ ଦାସ ବାଲେଶ୍ୱର ଜିଲ୍ଲାର ୨ କି.ମି. ମଧ୍ୟରେ ଥିବା କେତେକ ଓଡ଼ିଆ ବିଦ୍ୟାଳୟ ଉଠାଇ ଦିଆଯାଇଥିବାରୁ ଉଦବେଗ ପ୍ରକାଶ କରିଥିଲେ ଏବଂ ସେଗୁଡିକ ପୁନଶ୍ଚ ଖୋଲିବାକୁ ଦୃଢ ଦାବୀ କରିଥିଲେ । ବିଧାୟକ ଅଶ୍ୱିନୀ ପାତ୍ର ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଏଥିରେ ବିଧାୟକ ବଦ୍ରି ନାରାୟଣ ପାତ୍ର, ଡ଼ଃ ନୃସିଂହ ଚରଣ ସାହୁ,  ରାଜେନ୍ଦ୍ର ଢୋଲକିଆ ଓ ସାଲୁଗା ପ୍ରଧାନ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭା ସଚ୍ଚିବାଳୟର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।