Home Energy ବିପିଏଲ୍‍ ବିଜୁଳି ଦର ମାସକୁ ୮୦ ଟଙ୍କା

ବିପିଏଲ୍‍ ବିଜୁଳି ଦର ମାସକୁ ୮୦ ଟଙ୍କା

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ କୁଟୀର ଜ୍ୟୋତି ଯୋଜନାରେ ୩ ଲକ୍ଷରୁ ଅଧିକ ଗ୍ରାହକ ଥିବାବେଳେ ସେମାନଙ୍କ ପାଇଁ ୩୦ ୟୁନିଟ୍‍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ୮୦ ଟଙ୍କା ମାସିକ ଦେବାକୁ ଧାର୍ଯ୍ୟ ହୋଇଛି ।

ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ଗ୍ରାମାଞ୍ଚଳରେ ମୋଟ ୭୬,୭୨,୭୬୮ ଜଣ ବିଜୁଳି ଗ୍ରାହକ ରହିଛନ୍ତି । ଏମାନଙ୍କ ମଧ୍ୟରେ ବିପିଏଲ୍‍ (କୁଟୀର ଜ୍ୟୋତି) ବର୍ଗରେ ବିଜୁଳି ଗ୍ରାହକଙ୍କ ସଂଖ୍ୟା ହେଉଛି ୩,୬୭,୪୬୩ । ଏହି ଗ୍ରାହକଙ୍କ ପାଇଁ ମାସିକ ବିଜୁଳି ବ୍ୟବହାର ୩୦ ୟୁନିଟ୍‍ ଲାଗି ୮୦ ଟଙ୍କା ବ୍ୟୟଧାର୍ଯ୍ୟ କରାଯାଇଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓପିଟିସିଏଲରେ ବାହାର ସଂସ୍ଥା ଜରିଆରେ ଠିକା କର୍ମଚାରୀ ନିୟୋଜିତ ହୋଇଆସୁଛନ୍ତି । ସେମାନଙ୍କୁ ସ୍ଥାୟୀ କରିବା ପାଇଁ କୌଣସି ନିୟମାବଳୀ ନାହିଁ । କୋଭିଡ ସମୟରେ ରାଜ୍ୟବ୍ୟାପୀ ବିଦ୍ୟୁତ୍‍ କର୍ମଚାରୀ ବା କରୋନା ଯୋଦ୍ଧା ମୃତ୍ୟୁବରଣ କଲେ ତାଙ୍କ ଉତ୍ତରାଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କୋଭିଡ ସମୟରେ ବିଦ୍ୟୁତ୍‍ ବିଭାଗରେ କାର୍ଯ୍ୟରତ କୌଣସି କରୋନା ଯୋଦ୍ଧା ମୃତ୍ୟୁବରଣ କରିନାହାନ୍ତି ।

ତେବେ ବିଦ୍ୟୁତ୍‍ ବିତରଣ କମ୍ପାନୀରେ କାର୍ଯ୍ୟରତ ଯେଉଁସବୁ କର୍ମଚାରୀମାନେ କରୋନା ସମୟରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ଉକ୍ତ ସଂସ୍ଥାର ଅନୁସୃତ ନିୟମାବଳୀ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି । (ତଥ୍ୟ)