Home General ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍‌ ସର୍ବୋକୃଷ୍ଟ

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ୍‌ ସର୍ବୋକୃଷ୍ଟ

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜାତୀୟ ସ୍ତରରେ ଓଡ଼ିଶା ସର୍ବୋକୃଷ୍ଟ ମଡେଲ୍‌ ଭାବେ ପ୍ରାମାଣିତ ହୋଇଛି । ଓଡ଼ିଶା ମଡେଲ୍‌ ବିଷୟରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ତରଫରୁ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ସହଯୋଗିତାରେ ବିଭିନ୍ନ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ତିନିଦିନିଆ ତାଲିମ୍‌ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ୧୯୯୯ ମସିହାର ମହାବାତ୍ୟା ଓଡ଼ିଶା ପାଇଁ ଏକ ବିରାଟ ଆହ୍ୱାନ ଏବଂ ଅଭିଜ୍ଞତା ଥିଲା । ଗତ ୨୧ ବର୍ଷ ମଧ୍ୟରେ ଲୋକମାନଙ୍କର ଧନ ଓ ଜୀବନ ଉପରେ ବନ୍ୟା ଓ ବାତ୍ୟାର ଧ୍ୱଂସକାରୀ ପ୍ରଭାବ ନିୟନ୍ତ୍ରିତ କରିବା ଦିଗରେ ରାଜ୍ୟ ଅନେକ ଦକ୍ଷତା ହାସଲ କରିଛି ।

ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ସହ ତତକ୍ଷଣାତ୍‌ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ୱତନ୍ତ୍ର ବାହିନୀ ଗଠନ କ୍ଷେତ୍ରରେ ଓଡ଼ିଶା ପ୍ରଥମ ରାଜ୍ୟ । ଇତି ମଧ୍ୟରେ ଏହି ଦୁଇଟି ବ୍ୟବସ୍ଥାକୁ ଅଧିକ ଦକ୍ଷତା ସଂପନ୍ନ କରାଯାଇଛି । ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ କାର୍ଯ୍ୟ ଧାରା(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ଏବଂ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇଛି ।

ରାଜ୍ୟଠାରୁ ଗ୍ରାମ ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ସଂଗଠିତ କରାଯାଇଛି । ପ୍ରାୟ ୧ ହଜାରରୁ ଅଧିକ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। କଂକ୍ରିଟ୍‌ ଛାତ ସହ ବିଦ୍ୟାଳୟସବୁ ନିର୍ମାଣ କରାଯାଇଛି ଯେପରିକି ବନ୍ୟା ବାତ୍ୟା ଆଦି ସମୟରେ ବିଦ୍ୟାଳୟ କୋଠାଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇ ପାରିବ ।

ଗ୍ରାମ ସମୁଦାୟ, ପଂଚାୟତିରାଜ ବ୍ୟବସ୍ଥା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ୍‌ କରି ବିପର୍ଯ୍ୟୟ ମୁକାବିଲାକୁ ଏକ ଅଂଶଗ୍ରହଣକାରୀ ମଡେଲ୍‌ ଭାବେ ରାଜ୍ୟରେ କାର୍ଯ୍ୟକାରୀ କରିଯାଉଛି । ସମୁଦାୟ ପ୍ରକ୍ରିୟାରେ ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ ବ୍ୟବସ୍ଥାକୁ ଦୃଢ଼ିଭୁତ କରିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ନିଜର ଧନ ଜୀବନ ସୁରକ୍ଷିତ ରଖି ବିପର୍ଯ୍ୟୟ ସହ ବଞ୍ଚିବାର କୌଶଳରେ ଓଡ଼ିଶାର ଜନସାଧାରଣଙ୍କୁ ସଚେତନ ଓ ଦକ୍ଷ କରାଯାଇଛି ।

ଉଦ୍‌ଘାଟନୀ ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଅତୀତ ଓ ବର୍ତ୍ତମାନ ବିଷୟରେ ସୂଚନା ନେଇ ଉନ୍ନୟନ କମିଶନର ଏବଂ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ବାତ୍ୟା ଓ ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ।  ଜଳବାୟୁ ପରିବର୍ତ୍ତନ ସହ ଏହି ସବୁ ବିପର୍ଯ୍ୟୟର ପୁନଃପୌନିକତା ଏବଂ ତୀବ୍ରତା ବଢିବାରେ ଲାଗିଛି ।

ନିଜର ଅଭିଜ୍ଞତା ଭିତ୍ତିରେ ରାଜ୍ୟ ନିଜକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ସଶକ୍ତ, ସଜାଗ ଓ ପ୍ରସ୍ତୁତ କରିଛି। ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଓଡ୍ରାଫ୍‌) ଏବଂ ଓଡ଼ିଶା ଅଗ୍ନିଶ୍ରମ ସେବା ଫୋର୍ସ୍‌ଙ୍କୁ ପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି । ଆଗୁଆ ସତର୍କ ସୂଚନା ପ୍ରସାରଣ ବ୍ୟବସ୍ଥାକୁ ବିକଶିତ କରାଯାଇଛି । ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ସଂପ୍ରତି ଜଳବାୟୁ ପରିବର୍ତ୍ତନ ବଜ୍ରପାତ, ସହରାଞ୍ଚଳରେ ବର୍ଷାପାଣି ଜମିବା ଏବଂ ଉଚ୍ଚ ସମୁଦ୍ର ଜୁଆର ଆଦି ନୁତନ ଆହ୍ୱାନ ସୃଷ୍ଟିକରିଛି । ଏସବୁ ପାଇଁ ବର୍ତ୍ତମାନ, ଓଡ଼ିଶା ନୁତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ପ୍ରୟୋଗ କରୁଛି । ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେକି ବଜ୍ରପାତର ପୂର୍ବ ଅନୁଧ୍ୟାନ ଓ ସତର୍କ ସୂଚନା ପ୍ରଦାନ କରୁଛି ।

ଉଦ୍‌ଘାଟନୀ ପର୍ଯ୍ୟାୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀ ସୁଦର୍ଶନ ପାଲ୍‌ ଠାକୁର, ମଧୁସୂଦନ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ନିହାର ରଂଜନ ସ୍ୱାଇଁ, ଲାଲବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅଭିରାମ ଜି ଶଙ୍କର ପ୍ରମୁଖ ତାଲିମ୍‌ ଦେଇଥିଲେ ।

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ କର୍ତ୍ତୁପକ୍ଷଙ୍କ ପ୍ରଶାସନିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କମଳ ଲୋଚନ ମିଶ୍ର ତାଲିମ୍‌ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ସୂଚନା ଦେବାସହ ଅତିଥି ଓ ବିଶେଷଜ୍ଞ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଲାଲ୍‌ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀର ସହ ନିର୍ଦ୍ଦେଶକ ମିସ୍‌ ଏକ୍‌ତା ୟୁନିଆଲ୍‌ ଧନ୍ୟବାଦ ଜ୍ଞାପନ କରିଥିଲେ । ଓସ୍‌ଡେମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସତ୍ୟରଂଜନ ସାହୁ ତାଲିମ୍‌ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି ତିନିଦିନିଆ ତାଲିମ୍‌ କାର୍ଯ୍ୟକ୍ରମରେ ଗୁଜୁରାଟ, ତ୍ରିପୁରା, ମହାରାଷ୍ଟ୍ର, କେରଳ, ତାମିଲ୍‌ନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୋଆ ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଡାମନ ରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିୟୋଜିତ ୨୨ ଜଣ ପ୍ରଶାସନିକ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି ।

ତାଲିମ୍‌ ସମୟରେ ଏହି  ଅଧିକାରୀମାନେ ରାଜ୍ୟ ଆପଦକାଳୀନ କେନ୍ଦ୍ର, ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧିତ ଆଗୁଆ ସତର୍କ ସୂଚନା ପ୍ରସାରଣ, ଉଦ୍ଧାର ଓ ରିଲିଫ୍‌ ଯୋଗାଣପାଇଁ ବ୍ୟବହୃତ ଯନ୍ତ୍ରପାତି, ଆପଦକାଳୀନ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମକ୍‌ଡ୍ରିଲ୍‌, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଆଦିବୁଲି ଦେଖିବାସହ ଓଡ୍ରାଫ୍‌, ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀ, ଆପଦ ମିତ୍ର ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବାର ଜଣାପଡ଼ିଛି ।