Home General ବିପଦରେ ଆପାର୍ଟମେଣ୍ଟ ଓ ସରକାରୀ କୋଠା

ବିପଦରେ ଆପାର୍ଟମେଣ୍ଟ ଓ ସରକାରୀ କୋଠା

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଓ ଅଗ୍ନିଶମ ସେବା ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବରୁ ରାଜଧାନୀର ବହୁ ସରକାରୀ ଓ ବେସରକାରୀ କୋଠାବାଡି ଅତି ବିପଦସଂକୁଳ ଅବସ୍ଥାରେ ରହିଛି । ଯେଉଁ ସୌଧଗୁଡିକ ବେଆଇନ ଭାବେ ନିର୍ମିତ ହୋଇଛି ସେଗୁଡିକ ଭଙ୍ଗା ନ ଗଲେ କିମ୍ବା ଆବଶ୍ୟକସ୍ଥଳେ ପ୍ରତିକାରାତ୍ମକ ପଦକ୍ଷେପ ନିଆ ନ ଗଲେ ଯେକୌଣସି ମୁହୂର୍ତ୍ତରେ ବଡଧରଣର ଦୁର୍ଘଟଣାକୁ ଏଡାଇ ଦେଇହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଯେକୌଣସି ସ୍ଥାନରେ ବଡଧରଣର ଅଗ୍ନି ଦୁର୍ଘଟଣା ଘଟିଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କିଛି ସମୟ ପାଇଁ ଚେତା ଫେରେ ଏବଂ ବିଳିବିଳେଇଲା ଭଳି କିଛି ଚେତାବନୀ ଦେଇ କର୍ତ୍ତୃପକ୍ଷ ପୁଣି ଶୋଇପଡନ୍ତି । ଫଳରେ ବେଆଇନ ନିର୍ମାଣ ପାଇଁ କର୍ତ୍ତୃପକ୍ଷ ଏକ ପ୍ରକାର ଅଘୋଷିତ ଲାଇସେନ୍ସ ଦେଉଥିବାରୁ ସମସ୍ୟା ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ରହିଛି ।

ବଡ ବଡ ଅଟ୍ଟାଳିକା ବିଶେଷକରି ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟଗୁଡିକ ଲାଗି ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଯାହାସବୁ ମାର୍ଗଦର୍ଶିକା ରହିଛି କୋଠାବାଡି ପ୍ଲାନ୍‍ ମଞ୍ଜୁରୀ ବେଳେ ବିଡିଏ ତାହା ଉପରେ ଦୃଷ୍ଟି ଦେଉନଥିବାରୁ ବିପଦଜନକ ନିର୍ମାଣ କାର୍ଯ୍ୟ ଚାଲୁଛି । ବିଶେଷକରି ଏହି ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଓ ଅନ୍ୟ ସରକାରୀ ଓ ବେସରକାରୀ ସୌଧଗୁଡିକରେ ସମ୍ଭାବ୍ୟ ଅଗ୍ନିକାଣ୍ଡକୁ ଆଖିଆଗରେ ରଖି ଏହାର ଚାରିପାଖରେ ବଡ ବଡ ଦମକଳ ଗାଡି ଯେଭଳି ବୁଲି ପାରିବ ସେଥିନିମନ୍ତେ ଜାଗା ଛଡାଯିବା କଥା । କିନ୍ତୁ ସଂଖ୍ୟାଧିକ ଆପାର୍ଟମେଣ୍ଟରେ ଜାଗା ଛଡାଯାଇ ନାହିଁ ।

ଅଗ୍ନି ଦୁର୍ଘଟଣା ଦୃଷ୍ଟିକୋଣରୁ ଏହି ଆପାର୍ଟମେଣ୍ଟ ଗୁଡିକ ଅତ୍ୟନ୍ତ ବିପଦ ସଂକୁଳ ଏବଂ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ବେଆଇନ । ଖୋଦ୍‍ ରାଜଧାନୀରେ ଏଭଳି ଶହ ଶହ ବେଆଇନ କୋଠାବାଡି ଥିବାବେଳେ ଏଗୁଡିକୁ ଭାଙ୍ଗିବା ପାଇଁ ସରକାରୀ ବୁଲ୍‍ଡୋଜର ସାହସ କରିପାରେ ନାହିଁ । ଅଥଚ ପେଟ ଚାଖଣ୍ଡେ ପାଇଁ ଗାଁ ଗହଳରୁ ଆସି ବସ୍ତିରେ ଘର କରିଥିବା କିମ୍ବା ଉଠା ଦୋକାନ କରି ଗୁଜୁରାଟ ମେଣ୍ଟାଉଥିବା ଲୋକର କ୍ୟାବିନ ଭାଙ୍ଗିବା ପାଇଁ କିନ୍ତୁ ସରକାରୀ ବୁଲ୍‍ଡୋଜର ସଦା ପ୍ରସ୍ତୁତ ।

ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତ୍ତାମାନେ କହୁଛନ୍ତି ଯେ ପ୍ଲାନ୍‍ ଅନୁମୋଦନ କ୍ଷେତ୍ରରେ ଆର୍କିଟେକ୍‍ମାନଙ୍କୁ ବିଶେଷ ଦାୟିତ୍ୱ ଦିଆଯିବା ପରେ ବ୍ୟାପକ କଳାଟଙ୍କା କାରବାର ହେଉଛି ଏବଂ ଯେତେ ନିୟମ ବହିର୍ଭୂତ ପ୍ଲାନ୍‍ ଥିଲେ ବି ତାହା ସହଜରେ ମଞ୍ଜୁର ହୋଇଯାଉଛି । ପରବର୍ତ୍ତୀ ସମୟରେ ସର୍ବକ୍ଷମା ଯୋଜନାରେ ଏହି ବେଆଇନ ନିର୍ମାଣ କାମକୁ ଅଳ୍ପ କିଛି ଜୋରିମାନା ନେଇ କର୍ତ୍ତୃପକ୍ଷ ଆଇନ ସମ୍ମତ ଘୋଷଣା କରିଦେଇଛନ୍ତି ।

ରାଜଧାନୀରେ ଏବେ ଯେତେସବୁ ଗୃହ ନିର୍ମାଣ ଚାଲିଛି ସେଗୁଡିକର ତଦାରଖ କରାଗଲେ ଅନେକ ଘର ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଉଲ୍ଲଂଘନ କରି ନିର୍ମିତ ହୋଇଥିବା ନିଶ୍ଚିତ ଭାବେ ସ୍ପଷ୍ଟ ଜଣାପଡିବ । ଅଥଚ ଏଭଳି ବେଆଇନ ନିର୍ମାଣକୁ ପରବର୍ତ୍ତୀ ସମୟରେ ବିଡିଏ ଅନୁମୋଦନ ଦେଉଛି । ବସ୍ତୁତଃ ପ୍ଲାନ୍‍ ଅନୁମୋଦନ, ଘରେ ରହିବାକୁ ଅନୁମତି, ସର୍ବକ୍ଷମା ଯୋଜନା ଆଳରେ ବେଆଇନ ନିର୍ମାଣକୁ ଆଇନସିଦ୍ଧ କରାଯିବା ଯୋଗୁଁ ସମସ୍ୟା ଜଟିଳତର ହେଉଛି ।

ଖୋଦ୍‍ ବିଏମସିର ନୂତନ ସୌଧ ନିର୍ମାଣର ଦୀର୍ଘଦିନ ପର୍ଯ୍ୟନ୍ତ ଏହାର ପ୍ଲାନ୍‍ ଅନୁମୋଦନ ମଧ୍ୟ ହୋଇନଥିଲା । ଅନେକ ସରକାରୀ କୋଠାବାଡି, ବାଣିଜ୍ୟ ପ୍ରତିଷ୍ଠାନରେ ଅଗ୍ନିଶମ ନିୟମର ଖୋଲା ଉଲ୍ଲଂଘନ ଜଳ ଜଳ ଦିଶୁଥିଲେ ବି ତାହାର ପ୍ରତିକରା କରାଯାଉନାହିଁ । ଅନ୍ୟପକ୍ଷରେ ଯେଉଁ ଆପାର୍ଟମେଣ୍ଟଗୁଡିକ ନିୟମ ବହିର୍ଭୁତ ଭାବେ ନିର୍ମିତ ହୋଇଛି ସେଗୁଡିକ ଲୋକେ ନ କିଣିବା ପାଇଁ କୁହାଯାଉଛି ।