Home Banking ବିନା ସୁଧରେ କୋଭିଡ୍‍ ଋଣ

ବିନା ସୁଧରେ କୋଭିଡ୍‍ ଋଣ

ବ୍ୟାଙ୍କଗୁଡ଼ିକ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ କୋଭିଡ୍‍ ଋଣ ପ୍ରଦାନ କରୁଥିବା ବେଳେ ଏହି ଋଣ ବାବଦକୁ ପରିଶୋଧ ହେବାକୁ ଥିବା ସୁଧ ରାଜ୍ୟ ସରକାରଙ୍କ ମିଶନ୍‍ ଶକ୍ତି ଋଣ (ସୁଧ ଛାଡ଼) ମାଧ୍ୟମରେ ଫେରସ୍ତ କରାଯିବାର ବ୍ୟବସ୍ଥା ହୋଇଛି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ୍‍ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକର ଆର୍ଥିକ ସ୍ଥିତିର ସୁଧାର ପାଇଁ ମିଶନ୍‍ ଶକ୍ତି ଋଣ ପ୍ରଦାନ କରାଯାଉଥିବା ବେଳେ ନିୟମିତ ଋଣ କିସ୍ତି ପରିଶୋଧ କ୍ଷେତ୍ରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମସ୍ତ ସୁଧ ସରକାର ବହନ କରୁଛନ୍ତି । ଫଳରେ ଏହି ଋଣ ନେଇଥିବା ଗୋଷ୍ଠୀଗୁଡ଼ିକୁ ଶୂନ ପ୍ରତିଶତ ସୁଧରେ ଅର୍ଥ ଉପଲବ୍ଧ କରାଯାଇପାରୁଛି ।

କୋଭିଡ୍‍ ମହାମାରୀ ସମୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ମିଶନ୍‍ ଶକ୍ତି ମାଧ୍ୟମରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଗୋଷ୍ଠୀଗୁଡ଼ିକର ଆର୍ଥିକ ଉନ୍ନତି ପାଇଁ ମିଶନ୍‍ ଶକ୍ତି ଋଣ ପ୍ରଦାନ କରାଯାଉଛି ।

ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନିମନ୍ତେ ସହାୟତା ଯୋଗାଇଦେବା ପାଇଁ ବ୍ଲକ୍‍ ସ୍ତରୀୟ ମହାସଂଘଗୁଡ଼ିକୁ ୨୫ ଲକ୍ଷ ଟଙ୍କାର ଆବର୍ତ୍ତମାନ ପାଣ୍ଠି ପ୍ରଦାନ କରାଯାଇଛି । ଜରୁରୀ ସମୟରେ ଉକ୍ତ ପାଣ୍ଠି ବ୍ୟବହାର କରି ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ନିମନ୍ତେ ବ୍ଲକ୍‍ ସ୍ତରୀୟ ମହାସଂଘଗୁଡ଼ିକ କାର୍ଯ୍ୟ କରୁଛନ୍ତି ।