Home Infrastructure ବିନା ରକ୍ତ ନମୂନାରେ ଜାଣିହେବ ରକ୍ତଶୂନ୍ୟତା

ବିନା ରକ୍ତ ନମୂନାରେ ଜାଣିହେବ ରକ୍ତଶୂନ୍ୟତା

ଭୁବନେଶ୍ୱର : ବିନା ରକ୍ତ ନମୂନା ପରୀକ୍ଷାରେ ଜାଣିହେବ ରକ୍ତ ଶୂନ୍ୟତା, ରକ୍ତ ସର୍କରାର ସ୍ଥିତି । ଏଥି ସହିତ ଯକୃତ, ଫୁସ୍‌ଫୁସ୍‌ ଓ ବୃକକ୍‌ରେ ରହିଥିବା ସମସ୍ୟା ମଧ୍ୟ ଜଣାପଡ଼ିବ । ତାହା ପୁଣି ଏକ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ।

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆରମ୍ଭ ହୋଇଥିବା ନୂତନ ଷ୍ଟାର୍ଟଅପ୍‌ ଏହି ଅଭିନବ ଜ୍ଞାନକୌଶଳର ବିକାଶ କରିଛନ୍ତି । ଇଜି-ଆର୍‌ଏକ୍ସ ନାମକ ଯନ୍ତ୍ରପାତି ଉତ୍ପାଦନକାରୀ ଶିଳ୍ପସଂସ୍ଥା ଏହାକୁ ବଜାରରେ ଉପଲବ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଶସ୍ତା ଓ ସହଜରେ ଉପଲବ୍ଧ ହୋଇପାରିବ ।

କୋଭିଡ୍‌-୧୯ ପରି ମହାମାରୀ ସମୟରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଅସ୍ୱାଭାବିକତା ଏବଂ କାମ କରିବା ବନ୍ଦ କରିଦେବା ଭଳି ସ୍ଥିତିରେ ତ୍ୱରିତ ଆକଳନ କରିହେବ । ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଥିବା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଶରୀର ଯାଞ୍ଚ ନିମନ୍ତେ ଏହା ବହୁ ଉପଦେୟ ସାବ୍ୟସ୍ତ ହୋଇପାରିବ ।

ଅନ୍ୟ ଏକ ସଂସ୍ଥା କୋଭିଡ୍‌-୧୯ ନିମନ୍ତେ ଦିଆଯାଉଥିବା ପ୍ରତିଷେଧକ ଟିକାକୁ ସହଜ ଏବଂ ନିରାପଦରେ ପରିବହନ କରିବା ନିମନ୍ତେ ବିଯୁକ୍ତ ତାପମାତ୍ରାଯୁକ୍ତ ପରିବହନ ଓ ଷ୍ଟୋରେଜ୍‌ ସକାଶେ ବାୟୋସିୟୋର ନାମକ ଏକ ଉପକରଣର ନିର୍ମାଣ କରିଛି । ଏହି ସାହାଯ୍ୟରେ ଘରକୁ ଘର ବୁଲି ଟିକାଦାନ ପ୍ରକ୍ରିୟାକୁ ଅନ୍ୟାୟାସରେ ସଂଚାଳନ କରିହେବ ।

ଏହା ବିଶେଷ ଭାବେ ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ବହୁ ଉପକାରୀ ହୋଇପାରିବ । ଏହାକୁ ମାକ୍‌ଫି ସଲ୍ୟୁସନ୍‌ ପ୍ରା.ଲିଃ. ସଂସ୍ଥା ଉତ୍ପାଦନ କରିବା ସକାଶେ ଆଇସିଏମ୍‌ଆର୍‌କୁ ମୂଲ୍ୟାଙ୍କନ କରିବା ପାଇଁ ଆବେଦନ କରିଛନ୍ତି । ମେଡ୍‌-ଟେଲ୍‌ ହେଲଥ୍‌କେୟାର ନାମକ ସଂସ୍ଥା ଦୂରରେ ଥିବା ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଉପଲବ୍ଧ କରିପାରୁଛି । ଅତି ଜରୁରୀବେଳେ ଡାକ୍ତର ପାଖକୁ ବ୍ୟକ୍ତିଗତ ଭାବେ ରୋଗୀ ନଯାଇ ଡାକ୍ତରୀ ସେବା ପାଇବାରେ ଏହି ପଦ୍ଧତି ସଫଳତାର ସହ କାର୍ଯ୍ୟ କରିପାରୁଛି । ଏହାର ଉପାଦେୟତା ସକାଶେ ବିଭିନ୍ନ ବାହାରଦେଶ ଏହାର ଉତ୍ପାଦନ ସକାଶେ ଆଗଭର ଥିବା ରିପୋର୍ଟରେ ଦର୍ଶାଯାଇଛି ।

ଆଉ ଏକ ମେଡି-କିଟ୍‌ ଯାହା ଶରୀରର ତ୍ୱରିତ ଆଣ୍ଟିବଡ଼ି ମାପିବାରେ ସଫଳ ହୋଇଛି । ଆଇସିଏମ୍‌ଆର୍‌ ଏହାକୁ ୯୨% ସଫଳ ହେଉଥିବା ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହା ସାର୍ସ-କୋଭିଡ୍‌-୨କୁ ଚିହ୍ନଟ କରିପାରିବା ସହିତ ଲକ୍ଷଣବିହୀନ ଲୋକଙ୍କ ଶରୀରରେ ସେରୋ ସଂକ୍ରମଣ ସଂପର୍କରେ ତଥ୍ୟ ପ୍ରଦାନ କରିପାରିବ । ତା’ଛଡ଼ା ‘ସ୍ୱସ୍ଥ’ ନାମକ ଏକ କୋଭିଡ୍‌ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଟେକ୍‌ ଷ୍ଟାର୍ଟଅପ୍‌ ବିକଶିତ କରାଯାଇଛି ।

ଏହା ଜିଲ୍ଲା ପ୍ରଶାସନ, ପୌରପରିଷଦ ପ୍ରଭୂତିଙ୍କୁ କୋଭିଡ୍‌ ପରିଚାଳନାରେ ଉପାଦେୟ ହେବ । ଏହାର ପ୍ରୟୋଗରେ ଡାକ୍ତରଖାନାରେ ସିଟ୍‌, ରେଫରାଲ୍‌, ଅମ୍ଳଜାନ ଉପଲବ୍ଧ ପ୍ରଭୃତି ସମ୍ବନ୍ଧରେ ସଠିକ୍‌ ବିବରଣୀ ରୋଗୀମାନେ ପାଇପାରିବେ । ଅନ୍ୟ ଏକ ସଂସ୍ଥା ଆର୍‌ଟି-ପିସିଆର୍‌ ଏବଂ ଡିଏନ୍‌ଏ ପରୀକ୍ଷା ନିମନ୍ତେ ଉପକରଣ ନିର୍ମାଣ କରିଛନ୍ତି । ଗତ କୋଭିଡ୍‌ର ଦ୍ୱିତୀୟ ଲହରୀ ସମୟରେ ଏହା ପ୍ରାୟ ୧ ଲକ୍ଷ ଲୋକଙ୍କ ପରୀକ୍ଷା କରି ସଫଳତା ହାସଲ କରିଛି ।

ଏହିସବୁ ଷ୍ଟାର୍ଟଅପ୍‌ ଓଡ଼ିଶାରେ ତାଙ୍କର ଉତ୍ପାଦନ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ଅଧୀନରେ ଏସବୁ ଷ୍ଟାର୍ଟଅପ୍‌ ପଂଜୀକୃତ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଏହି ନୂତନ ଷ୍ଟାର୍ଟଅପ୍‌ଗୁଡ଼ିକୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯାଇଛି । ଏଥି ପାଇଁ ଏମ୍‌ଏସ୍‌ଏମ୍‌ଇ ପାର୍କ, ଶିଳ୍ପାଞ୍ଚଳ ପ୍ରଭୃତି ସୃଷ୍ଟି କରାଯାଇଛି । ଆବଶ୍ୟକ ସ୍ଥଳେ ସରକାରୀ ଜମିଯୋଗାଣ, ବ୍ୟାଙ୍କ ଲିଙ୍କକେଜ୍‌ ଆଦି ସୁବିଧା ଯୋଗାଇ ଦିଆଯାଉଛି ।

ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ନିୟମିତ ଭାବେ ସମୀକ୍ଷା ବୈଠକ ଆୟୋଜନ କରି ଉଦ୍ୟୋଗ ପ୍ରତିଷ୍ଠାକୁ ନେଇ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି । ଆଗାମୀ ଦିନରେ ଏସବୁ ଉଦ୍ୟୋଗ ଓଡ଼ିଶାର ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନେଇପାରିବ ବୋଲି ଆଶା କରାଯାଉଛି ।