ଭୁବନେଶ୍ୱର : ଦେଶର ବହୁ ରାଜ୍ୟରେ ବିଧାନ ପରିଷଦ ରହିଥିବାବେଳେ ରାଜ୍ୟ ବିଧାନସଭାର ସଙ୍କଳ୍ପ ସତ୍ୱେ ଓଡିଶା ରାଜ୍ୟ ବିଧାନ ପରିଷଦ କିନ୍ତୁ ଗଢାଯାଇ ପାରୁନାହିଁ । ବିଧାନ ପରିଷଦ କେବେ ଗଢାଯିବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବରେ କିଛି ସମୟସୀମା ଦେଇପାରୁନଥିବାବେଳେ ପରିଷଦର ସଦସ୍ୟ ହୋଇ ମନ୍ତ୍ରୀ ହେବାଲାଗି କିନ୍ତୁ ପ୍ରାୟ ସାତବର୍ଷ ଧରି ଅନେକ ଲୋକ ସ୍ୱପ୍ନ ଦେଖି ଦେଖି ହାଲିଆ ହୋଇଗଲେଣି ।
ପ୍ରାୟ ତିନି ବର୍ଷ ଧରି ବିଧାନ ପରିଷଦ ଘେନି ରାଜନୈତିକ ଚର୍ଚ୍ଚା ଚାଲିବାପରେ ଏ ସଂକ୍ରାନ୍ତରେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ଓଡିଶା ପାଇଁ ରାଜ୍ୟ ବିଧାନ ପରିଷଦ ଆବଶ୍ୟକ ଥିବା ସୁପାରିଶ୍ କରିଥିଲେ । ଏ ସଂକ୍ରାନ୍ତରେ ଏକ ବିସ୍ତୃତ ପ୍ରସ୍ତାବ ରାଜ୍ୟ ବିଧାନସଭାରେ ୨୦୧୮, ସେପ୍ଟେମ୍ବର ୬ତାରିଖରେ ଦୀର୍ଘ ଆଲୋଚନା ପରେ ଗୃହୀତ ହୋଇଥିଲା ଏବଂ ପାରିତ ସଙ୍କଳ୍ପ ଆଧାରରେ ରାଜ୍ୟସଭା ସଚିବାଳୟ, ଲୋକସଭା ସଚିବାଳୟ, କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ଆଦିକୁ ଓଡିଶା ରାଜ୍ୟ ବିଧାନ ପରିଷଦ ଗଠନ ପାଇଁ ନିର୍ଦ୍ଦିଷ୍ଟ ଭାବେ ପ୍ରସ୍ତାବ ପଠାଯାଇଥିଲା ।
ଛଅ ବର୍ଷରୁ ଅଧିକ ସମୟ ଧରି ଏହି ପ୍ରସ୍ତାବ ପଡି ରହିଛି । ଏ ସଂକ୍ରାନ୍ତରେ ଅବଶ୍ୟ ଅନେକ ଚିଠିପତ୍ର ଆଦାନ ପ୍ରଦାନ ହୋଇଛି । କେନ୍ଦ୍ରରେ ରାଜ୍ୟସଭା ଭଳି ରାଜ୍ୟରେ ବିଧାନ ପରିଷଦ ଗଢାଯାଇଥାଏ । ତେବେ ଏଥିପାଇଁ ଭିନ୍ନ ଭିନ୍ନ ନିର୍ବାଚନମଣ୍ଡଳୀ ରହିଥାଏ । ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ ରହିଥିବାରୁ ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ଏହାର ଏକ ତୃତୀୟାଂଶ ଅର୍ଥାତ୍ ୪୯ ରହିବ ବୋଲି ପାରିତ ପ୍ରସ୍ତାବରେ ଉଲ୍ଲେଖ ରହିଛି ।
ଯେଉଁମାନେ ବ୍ୟୟବହୁଳ ପ୍ରତ୍ୟକ୍ଷ ନିର୍ବାଚନ ଲଢି ବିଧାନସଭାକୁ ଆସିପାରୁ ନାହାନ୍ତି ସେମାନେ ସହଜରେ ବିଧାନପରିଷଦର ସଦସ୍ୟ ହୋଇପାରିବେ । ଏହି ୪୯ଜଣ ସଦସ୍ୟଙ୍କ ମଧ୍ୟରୁ କେତୋଟି ଆସନ ମଧ୍ୟ ରାଜ୍ୟପାଳଙ୍କ ଦ୍ୱାରା ମନୋନୟନ ଭିତ୍ତିରେ ପୂରଣ ହେବାକଥା ।
ବିଧିବ୍ୟବସ୍ଥା ଅନୁଯାୟୀ ସଂସଦ ଓ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ମୋହନ ବସାଇବାପରେ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ ହେବ । ବିଧାନ ପରିଷଦର ସଦସ୍ୟମାନେ ବିଧାୟକମାନଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିବେ । ତେଣୁ ବହୁ ରାଜନେତାଙ୍କ ସମେତ ସାହିତ୍ୟିକ, ଅବସରପ୍ରାପ୍ତ ପ୍ରଶାସକ, କଳାକାର,ସମାଜସେବୀ ଆଦି ଏହି ପଦବୀ ଲାଗି ଆଶାୟୀ ଅଛନ୍ତି । ଗତ ସରକାର ସମୟରେ ଏଥିଲାଗି କେତେକ ମଧ୍ୟ ଆଗୁଆ ଲବି ଆରମ୍ଭ କରିଥିଲେ । ବର୍ତ୍ତମାନ ସରକାର ସମୟରେ ବି ବିଜେପି ସମର୍ଥିତ ଆଗ୍ରହୀ ବ୍ୟକ୍ତିମାନେ ଲବିରେ ଥିଲେ ମଧ୍ୟ କେନ୍ଦ୍ରୀୟ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସେମାନଙ୍କ ଉଦ୍ଦେଶ୍ୟ ଚରିତାର୍ଥ ହୋଇପାରିବ ନାହିଁ । ଏହି ଆଶାୟୀମାନଙ୍କ ମଧ୍ୟରୁ ଇତି ମଧ୍ୟରେ କେତେକଙ୍କର ଦେହାବସାନ ଘଟି ସାରିଲାଣି ।
ବିଧାୟକମାନଙ୍କ ବେତନ, ଭତ୍ତା ଓ ପୂର୍ବତନ ବିଧାୟକମାନଙ୍କ ପେନ୍ସନ ଆଦି ବୃଦ୍ଧି ପାଇଁ ୨୦୨୨ ମସିହାରେ ବିଧାନସଭା କମିଟି କରିଥିବା ସୁପାରିଶ୍କୁ କାର୍ଯ୍ୟକାରୀ କରିବାଲାଗି ଦଳମତ ନିର୍ବିଶେଷରେ ବିଧାନସଭା ଭିତରେ ଓ ବାହାରେ ଚର୍ଚ୍ଚା ଚାଲିଥିବାବେଳେ ବିଧାନ ପରିଷଦ ଗଠନପାଇଁ କିନ୍ତୁ ସେତେଟା ତତ୍ପରତା ପ୍ରକାଶ ନପାଇବା ଆଶାୟୀମାନଙ୍କ ମୋହଭଙ୍ଗ କରୁଛି । (ତଥ୍ୟ)