Home General ବିଧାନସଭା ବିବରଣୀର ଡିଜିଟାଇଜେସନ୍‌ ଆରମ୍ଭ

ବିଧାନସଭା ବିବରଣୀର ଡିଜିଟାଇଜେସନ୍‌ ଆରମ୍ଭ

ଭୁବନେଶ୍ୱର : ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍‌ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି ।

ବହୁ ପୁରୁଣା ବିବରଣୀ, ତଥ୍ୟ, ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକୁ ଡିଜିଟାଇଜେସନ୍‌ ମାଧ୍ୟମରେ ସୁରକ୍ଷିତ ରଖାଯାଇପାରିବ । ଏଗୁଡ଼ିକ ପିଡିଏଫ୍‌ ଆକାରରେ ଗୋଟିଏ ପ୍ଲାଟଫର୍ମରେ ମିଳିପାରିବ, ଯାହା ଆଗାମୀ ପିଢ଼ି ପାଇଁ ସହାୟକ ହେବ । ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଏବଂ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ବୈଷୟିକ ସହାୟତାରେ ଡିଜିଟାଇଜେସନ୍‌ ସମ୍ଭବ ହେବାକୁ ଯାଉଛି ବୋଲି ବରିଷ୍ଠ ବିଧାୟକ ତଥା ବିଧାନସଭା ପୁସ୍ତକ ଚୟନ ଉପକମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଧାନସଭା ଟିଭି ପ୍ରସ୍ତୁତ କରାଯାଉଛି । ଏହାର ଚାରୋଟି ଅଙ୍ଗ ରହିବ । ଯଥା-୧-ବିଧାନସଭା ସମାଚାର, ୨-ସଂସ୍କୃତିର ଆଇନା, ୩- ପ୍ରଗତିର ପ୍ରତିଫଳ ଏବଂ ୪-ପ୍ରଜ୍ଞା ପରିଚୟ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି । ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ଓଡ଼ିଶା ମୁଖ୍ୟ କବିତା ରୟ ଦାସ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭା ଉପନିର୍ଦ୍ଦେଶିକା (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର ପ୍ରମୁଖ ଶୁଭାରମ୍ଭ ସମୟରେ ଉପସ୍ଥିତ ଥିଲେ ।

ଦସ୍ତାବିଜ୍‌, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି । ଡିଜିଟାଇଜେସନ୍‌ କରିବା ଦ୍ୱାରା ଏହି ମୂଲ୍ୟବାନ ସଂପତ୍ତିକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ଡିଜିଟାଇଜେସନ୍‌ର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ବିଭିନ୍ନ ଆକାର ଓ ପ୍ରକାରର ନଥିପତ୍ର, ଦସ୍ତାବିଜ ଓ ଗ୍ରନ୍ଥଗୁଡ଼ିକୁ ପିଡିଏଫ୍‌ ଆକାରରେ ଗୋଟିଏ ପ୍ଲାଟଫର୍ମରେ ସଂରକ୍ଷିତ କରାଯିବ ।

ଜନସାଧାରଣ, ମୁଖ୍ୟତଃ ଗବେଷକମାନେ ସୁବିଧାରେ ଗୁଣାତ୍ମକ ଦସ୍ତାବିଜଗୁଡ଼ିକୁ ପାଇବା ସହିତ ସ୍ଥାନ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି । ମାନ୍ୟବର ବାଚସ୍ପତିଙ୍କ ନିରନ୍ତର ପ୍ରଚେଷ୍ଟା ଓ ପ୍ରୋତ୍ସାହନ ଏବଂ ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ବୈଷୟିକ ସହାୟତାରେ ଡିଜିଟାଇଜେସନ୍‌ ସମ୍ଭବ ହେବାକୁ ଯାଉଛି ବୋଲି ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରକାଶ କରିଛନ୍ତି ।

ଶୁଭାରମ୍ଭ ସମୟରେ ବିଧାୟକ ତଥା ବିଧାନସଭା ପୁସ୍ତକ ଚୟନ ଉପକମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାନସଭା ଉପନିର୍ଦ୍ଦେଶକ (ଗ୍ରନ୍ଥାଗାର) ଶ୍ରୀମତୀ ଆରତୀ ମିଶ୍ର, ରାଷ୍ଟ୍ରୀୟ ସୂଚନା କେନ୍ଦ୍ରର ଏସ୍‌ଆଇଓ କବିତା ରାୟ ଦାସ ଓ ବିଧାନସଭାର କର୍ମକର୍ତ୍ତା ଉପସ୍ଥିତ ଥିଲେ ।