Home General ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନ ଋତୁ

ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନ ଋତୁ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ସହ ବିଧାନସଭା ତାତି ଯୋଗୁଁ ଗଣମାଧ୍ୟମରେ ସରଗରମ ଚର୍ଚ୍ଚା ଚାଲିଥିବା ବେଳେ ତୃଣମୂଳ ସ୍ତରର ବହୁ କର୍ମଚାରୀ ଓ କର୍ମୀ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବା ବଡ ଆହ୍ୱାନ ସୃଷ୍ଟି କରିଛି ।

ସାରା ରାଜ୍ୟର ଗାଁ ଗଣ୍ଡାରେ ବିଛେଇ ହୋଇ ରହିଥିବା ଅଙ୍ଗନବାଡି କେନ୍ଦ୍ରର କର୍ମୀମାନେ ସେମାନଙ୍କ ହକ୍‍ ପାଇଁ ରାଜଧାନୀର ରାଜରାସ୍ତାକୁ ଜାମ୍‍ କରିଦେଇଥିବା ବେଳେ ଗର୍ଭବତୀ ମହିଳାଙ୍କ ପାଇଁ ଆଶା ସଞ୍ଚାର କରୁଥିବା ଆଶାକର୍ମୀମାନେ ମଧ୍ୟ ସେମାନଙ୍କ ଦାବି ପୂରଣ ଲାଗି ବିଧାନସଭା ଅବସରରେ ମହାତ୍ମା ଗାନ୍ଧୀ ମାର୍ଗରେ ବସିଛନ୍ତି ।

ପ୍ରାଥମିକ ବିଦ୍ୟାଳୟର ହଜାର ହଜାର ଶିକ୍ଷକ ପାଠ ପଢ଼ାଇବା କାମ ଛାଡି ସେମାନଙ୍କ ସମସ୍ୟା ସମାଧାନ ଲାଗି ବି ବିଧାନସଭା ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ଗାଁରେ ଗାଁରେ ବିଦ୍ୟାଳୟଗୁଡିକରେ ପାଠପଢ଼ା ବ୍ୟାହତ ହେଉଥିବା ବେଳେ ରାଜଧାନୀରେ କିନ୍ତୁ ଶିକ୍ଷକଙ୍କ ଆନ୍ଦୋଳନ ଭିନ୍ନ ମୋଡ ନେଉଛି ।

ଗ୍ରାମପଞ୍ଚାୟତ କର୍ମଚାରୀମାନେ ଓ ସାକ୍ଷର ଭାରତ କର୍ମଚାରୀମାନେ ବି ଏହି ଅବସରରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଖୁବ୍‍ କମ୍‍ ପାରିଶ୍ରମିକରେ ଏମାନେ କାମ କରୁଥିବାରୁ ଏମାନଙ୍କୁ ନିୟମିତ ସରକାରୀ କର୍ମଚାରୀର ମର୍ଯ୍ୟାଦା ଦେବା ପାଇଁ ଦାବି ହେଉଛି । ସେହିଭଳି ଗାଁରେ ଗାଁରେ ରହିଥିବା ଗ୍ରାମରକ୍ଷୀମାନେ ମଧ୍ୟ ସେମାନଙ୍କ ପାରିଶ୍ରମିକ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ହାସଲ ଲାଗି ରାଜଧାନୀ ଆସି ମେଳି ବାନ୍ଧିଛନ୍ତି ।

ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟରତ ଏଏନ୍‍ଏମ୍‍ମାନେ ବି ସେମାନଙ୍କ ଚାକିରି ଓ ଭବିଷ୍ୟତର ସୁରକ୍ଷା ଲାଗି ଆନ୍ଦୋଳନ ଚଳାଇଛନ୍ତି । ଇତିମଧ୍ୟରେ ଅମଲା ସଂଘ ପକ୍ଷରୁ ବଡଧରଣର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅମଲାମାନେ ମଧ୍ୟ ଅନେକଗୁଡିଏ ଦାବି ଉଠାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଇତିମଧ୍ୟରେ କେନ୍ଦ୍ରାପଡାରୁ ଭଦ୍ରକ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ନେଇ ଗଣଆନ୍ଦୋଳନ ତେଜିବାରେ ଲାଗିଛି । ସେହିଭଳି ପଦ୍ମପୁର, ଭୁବନେଶ୍ୱର, ଘୁମୁସର, କଣ୍ଟାବାଞ୍ଜି, ଟିଟିଲାଗଡ, ରାଇରଙ୍ଗପୁର, ରାଉରକେଲା, ଆନନ୍ଦପୁର ସମେତ ରାଜ୍ୟର ଅନ୍ୟୂନ ଆଉ ୧୩ଟି ସ୍ଥାନରେ ଜିଲ୍ଲା ପାଇଁ ଦାବି ଉଠୁଛି ।

ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବଂ ରାଜଧାନୀ ଭୁବନେଶ୍ୱରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ବି ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଚାଲିଛି । ଆନ୍ଦୋଳନକାରୀ ଓକିଲମାନଙ୍କ ଲାଇସେନ୍ସ ବାତିଲ ସହିତ କଠୋର ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆଇନଜୀବୀମାନଙ୍କ ଆନ୍ଦୋଳନ ଏଯାବତ୍‍ ଥମିନାହିଁ । ଏଠାରେ ଉଲ୍ଲେଖନୀୟ ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଉପରକୁ ବଲ୍‍ ଫିଙ୍ଗି ଚାଲିଛନ୍ତି । ଏ ପ୍ରସଙ୍ଗରେ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ସି.ଆର. ପାଲ୍‍ଙ୍କ ଅଧ୍ୟକ୍ଷତାରେ କମିଶନ ବସାଇଥିଲେ ବି କମିଶନଙ୍କ ସୁପାରିସ୍‍ କ’ଣ ହେଲା ତାହା ଜଣାପଡୁନାହିଁ ।

ଫସଲ ବୀମା ସମେତ ଚାଷୀମାନଙ୍କ ଅନ୍ୟାନ୍ୟ ସମସ୍ୟା ଘେନି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବି କୃଷକ ଆନ୍ଦୋଳନ ଚାଲୁଛି । ଇତିମଧ୍ୟରେ ଆଉ କେତେକ ଯୁକ୍ତିଯୁକ୍ତ ଦାବି ଉଠାଇ ସମ୍ବଲପୁରରେ ନାଗରିକ ସମାଜ ପକ୍ଷରୁ ବନ୍ଦ ପାଳନ ହୋଇଯାଇଛି । ମୋଟାମୋଟି ଭାବେ ଚଳିତ ବିଧାନସଭା ଅଧିବେଶନ କାଳରେ ଅନେକ ସଂଗଠନ ପକ୍ଷରୁ ଧାରଣା, ଧର୍ମଘଟ, ଶୋଭାଯାତ୍ରା ଆଦି ରାଜଧାନୀରୁ କ୍ଷେତ୍ର ଦପ୍ତର ପର୍ଯ୍ୟନ୍ତ ଚାଲିଛି । (ତଥ୍ୟ)