Home General ବିଧାନସଭା ଅଧିବେଶନ ପାଇଁ ଆର୍.ଟି.ପି.ସି.ଆର୍ ଟେଷ୍ଟ

ବିଧାନସଭା ଅଧିବେଶନ ପାଇଁ ଆର୍.ଟି.ପି.ସି.ଆର୍ ଟେଷ୍ଟ

ଭୁବନେଶ୍ୱର : ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେଉଥିବା ଓଡ଼ିଶା ବିଧାନସଭାର ଆଗାମୀ ମୌସୁମୀ କାଳୀନ ଅଧିବେଶନ ଦୃଷ୍ଟିରୁ ସମସ୍ତ କୋଭିଡ ପ୍ରତିଷେଧକ ନିୟମ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଆଜି ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେରେ ଆଗାମୀ ୨୯,୩୦ ଏବଂ ୩୧ ତାରିଖ ଦିନ ପୂର୍ବାହ୍ନ ୦୮.୩୦ରୁ ଅପରାହ୍ନ ୦୧.୩୦ ଏବଂ ଅପରାହ୍ନ ୦୩.୦୦ରୁ ୦୫.୦୦ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ସମସ୍ତ ମାନ୍ୟବର ସଦସ୍ୟ ସେମାନଙ୍କର ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କର  ଆର୍.ଟି.ପି.ସି.ଆର୍ ଟେଷ୍ଟ କରାଯିବ ଓ ତତ୍ ସହିତ ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ ଆର୍.ଟି.ପି.ସି.ଆର୍ ଟେଷ୍ଟ ହେବ ।

ମାନ୍ୟବର ବିଧାନସଭା ସଭ୍ୟମାନଙ୍କୁ ପ୍ରତ୍ୟହ ବିଧାନସଭା ଅଧିବେଶନ ଦିବସରେ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପ୍ରଦାନ କରାଯିବ । କୋଭିଡ୍ ନେଗେଟିଭ ଥିବା ବିଧାୟକ ଓ ଅଧିକାରୀମାନଙ୍କୁ ହିଁ ବିଧାନସଭା ମଧ୍ୟରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ । ସମସ୍ତ ବିଧାନସଭା ସଭ୍ୟ, ସେମାନଙ୍କର ବ୍ୟକ୍ତିଗତ କର୍ମଚାରୀ, ବିଧାନସଭା ସଚ୍ଚିବାଳୟର ଅଧିକାରୀ ଓ କର୍ମଚାରୀ ଯେଉଁମାନେ ଥରେ ହେଲେ କୋଭିଡ ଟିକା ନେଇନାହାଁନ୍ତି ସେମାନଙ୍କୁ ବିଧାନସଭା ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ ।

ସମଗ୍ର ବିଧାନସଭାକୁ ସାନିଟାଇଜ କରିବା ପାଇଁ ଭୁବନେଶ୍ୱର  ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ବୈଠକରେ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଏମ୍‍ସିର ଅତିରିକ୍ତ କମିଶନର ଏଲ. କେ ସେଠୀ, ନିର୍ଦ୍ଦେଶକ ଆର. ଏମ. ଆର.ସି ଡଃ ଏସ ପତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡଃ. ଲକ୍ଷ୍ମୀଧର ସାହୁ, ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଏସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।