Home News in Odia ବିଧାନସଭାରେ ପୋଷ୍ଟର ଯୁଦ୍ଧ

ବିଧାନସଭାରେ ପୋଷ୍ଟର ଯୁଦ୍ଧ

ଭୁବନେଶ୍ୱର : ବିଧାନସଭା ଭିତରେ ଆଜି ତିିନି ଦଳ ବିଜେଡି-ବିଜେପି-କଂଗ୍ରେସ ପୋଷ୍ଟର ପ୍ରଦର୍ଶନ ସହିତ ହଟଗୋଳ କରିଥିବାବେଳେ ଗୃହ ବାହାରେ ମଧ୍ୟ ତିନିଦଳ ଅନୁରୂପ ଭାବେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଜେଡି ଗୃହ ବାହାରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିବାବେଳେ ବିଜେପି ସଦସ୍ୟମାନେ ବିଧାନସଭା ପରିସରରେ ଜଗନ୍ନାଥ ଫଟୋ ରଖି ଘଣ୍ଟମାଡ ଓ ପ୍ରସାଦ ବଣ୍ଟନ କରିଥିଲେ । ସେହିଭଳି କଂଗ୍ରେସ ସଦସ୍ୟମାନେ ମଧ୍ୟ ଗୃହ ବାହାରେ ପୋଷ୍ଟର ପ୍ରଦର୍ଶନ କରିଥିଲେ ।

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହାତରେ ପୋଷ୍ଟର ଓ ଘଣ୍ଟ ଧରି ଗୃହ ମଧ୍ୟଭାଗକୁ ପ୍ରବେଶ କରିଥିଲେ । ଘଣ୍ଟମାଡରେ ବିଧାନସଭା କମ୍ପିଥିଲା । ସେହିଭଳି ବିଜେଡି ସଦସ୍ୟମାନେ ମଧ୍ୟ ଗୃହ ମଧ୍ୟକୁ ଆସି ପୋଷ୍ଟର ପ୍ରଦର୍ଶନ କରିବା ସହିତ ବିରୋଧିଦଳ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା ।

ବିଜେଡି ତାହାର ପୋଷ୍ଟରରେ ବିରୋଧିଙ୍କୁ ଜଗନ୍ନାଥ ସଦ୍‍ବୁଦ୍ଧି ଦିଅନ୍ତୁ ବୋଲି ଲେଖିଥିବାବେଳେ ବିଜେପି ତାହାର ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦ୍‍ବୁଦ୍ଧି ଦିଅନ୍ତୁ ବୋଲି ଉଲ୍ଲେଖ କରିଥିଲା । ତେବେ କଂଗ୍ରେସ ପୋଷ୍ଟରରେ ମମିତା ମେହେର ମୃତ୍ୟୁ ଘଟଣା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କରି ସଚିତ୍ର ପୋଷ୍ଟର ତିଆରି ହୋଇଥିଲା ।

ଗୃହ କାର୍ଯ୍ୟ ମାତ୍ର ଦୁଇ ମିନିଟ୍‍ ଚାଲିବାପରେ ହଟଗୋଳ ଯୋଗୁଁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଳତବି ଘୋଷଣା କରିଥିଲେ । ଗୃହ ମୁଲତବି ପରେ ତିନି ଦଳ ନିଜ ନିଜର ପୋଷ୍ଟର ସହିତ ଗୃହ ବାହାରକୁ ଆସି ପ୍ରଦର୍ଶନ କରିଥିଲେ ।

ବିଜେଡି ବିଧାୟକମାନେ ବ୍ୟାନର ଧରି ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ବସିଥିବାବେଳେ ବିଜେପି ବିଧାୟକମାନେ ଜଗନ୍ନାଥଙ୍କ ଫଟୋ ରଖି ତାହା ସମ୍ମୁଖରେ ବସି ଘଣ୍ଟ ବଜାଇଥିଲେ । ବିଜେପି ସଦସ୍ୟମାନେ ସାଙ୍ଗରେ ଆଣିଥିବା ଜଗନ୍ନାଥଙ୍କ ପ୍ରସାଦ ମଧ୍ୟ ବାଣ୍ଟିଥିଲେ । ତେବେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ପ୍ରଦର୍ଶନ କରିଥିବା ପୋଷ୍ଟରକୁ ଧରି ବିଧାନସଭା ବାହାରେ ପୁଣିଥରେ ପ୍ରତିବାଦ କରିଥିଲେ ।

ଆଜି ତିନି ଦଳର ଏଭଳି ଆକ୍ଷେପ ଓ ପ୍ରତି ଆପେକ୍ଷ ପ୍ରଦର୍ଶନ ଯୋଗୁଁ ପ୍ରଥମାର୍ଦ୍ଧରେ କୌଣସି କାର୍ଯ୍ୟ ହୋଇପାରି ନାହିଁ । ଷଷ୍ଠ ଦିନ ପାଇଁ ବିଧାନସଭା ଅଚଳ ରହିଛି । ଗୃହ ଅଚଳ ପାଇଁ ଶାସକ ବିରୋଧି ପରସ୍ପରକୁ ଦାୟୀ କରୁଥିବାବେଳେ ଆଗାମୀ ଦିନରେ ଏମାନେ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।