Home News in Odia ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ

ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : ବିଧାନସଭାରେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଧାନର ଅଭାବି ବିକ୍ରି ଘଟଣାରେ ସରକାର ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଶ୍ରୀ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିବାବେଳେ ସାଥି ବିଧାୟକମାନେ ତାଙ୍କୁ ରୋକିଥିଲେ ।

ବିଧାନସଭା ଭିତରେ ଆଜି ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନର ଅଭାବି ବିକ୍ରି ଉପରେ ବିବୃତ୍ତି ରଖୁଥିବାବେଳେ ଶ୍ରୀ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହାତରେ ଧରିଥିବା ସାନିଟାଇଜର ପିଇବାକୁ ଉଦ୍ୟମ କରିବାବେଳେ ସେଠାର ଉପସ୍ଥିତ ଥିବା ବିଜେପି ଓ କଂଗ୍ରେସର ବିଧାୟକମାନେ ତାଙ୍କ ହାତରୁ ସାନିଟାଇଜର ଛଡାଇବାକୁ ଉଦ୍ୟମ କରିଥିଲେ । ଏହି ଛଡାପଡା ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିଜ ଆସନରୁ ଉଠିଯାଇ ଶ୍ରୀ ପାଣିଗ୍ରାହୀଙ୍କ ହାତରୁ ବୋତଲଟିକୁ ଛଡାଇ ଆଣିଥିଲେ ।

ଉଲ୍ଲେଖନୀୟ ଯେ ପ୍ରଥମ ପର୍ଯ୍ୟାୟ ବଜେଟ୍‍ ଅଧିବେଶନ ସମୟରେ ଶ୍ରୀ ପାଣିଗ୍ରାହୀ ମଧ୍ୟ ଆତ୍ମହତ୍ୟା ଧମକ ଦେଇଥିଲେ । ତାଙ୍କ ଅଞ୍ଚଳର ଚାଷୀମାନଙ୍କ ଧାନ ସରକାର କିଣୁନଥିବାରୁ ସେମାୋନ ବିଧାୟକଙ୍କ ନାଁରେ ଚିଠି ଲେଖି ଆତ୍ମହତ୍ୟା କରିବାକୁ ଧମକ ଦେଉଥିବାରୁ ବିଧାୟକ ଭାବେ ସେ ଆତ୍ମହତ୍ୟା କରିବେ ବୋଲି କହିଥିଲେ ।

ଏଥି ସହିତ ଆଜି ମଧ୍ୟ ଶୂନ୍ୟକାଳରେ ଶ୍ରୀ ପାଣିଗ୍ରାହୀ ସର୍ବଦଳୀୟ ବୈଠକରେ ଧାନ କିଣାନେଇ ହୋଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହେଉନଥିବାରୁ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ହେଲେ ବାଚସ୍ପତି ମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ କହିବାପରେ ଏହାକୁ କେହି ଏତେ ଗୁରୁତ୍ୱର ସହ ନେଇନଥିଲେ ।

ଏହି ଘଟଣା ପରେ ଶ୍ରୀ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ନିକଟରେ ଆଉ କିଛି ଉପାୟ ନାହିଁ । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ସରକାର କାର୍ଯ୍ୟକାରୀ ନକରିବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ।