Home Energy ବିଦ୍ୟୁତ ବିତରଣ ନେଇ ୧୫ଲକ୍ଷ ଅଭିଯୋଗ

ବିଦ୍ୟୁତ ବିତରଣ ନେଇ ୧୫ଲକ୍ଷ ଅଭିଯୋଗ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ନେବା ପରେ ଏହା ନିକଟରେ ୧୫ ଲକ୍ଷରୁ ଅଧିକ ଅଭିଯୋଗ ପହଞ୍ଚିଛି । ଏହି ଅଭିଯୋଗ ମଧ୍ୟରୁ ଟାଟା କର୍ତ୍ତୃପକ୍ଷ ୧୨ଲକ୍ଷରୁ ଅଧିକ ସମାଧାନ କରିଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ହାତକୁ ନେବା ପରେ ଟାଟା ପାୱାର ନିକଟରୁ ଚଳିତବର୍ଷ ଜୁନ୍‍ ମାସ ସୁଦ୍ଧା ୧୫,୨୧,୬୬୭ଟି ଅଭିଯୋଗ ଆସି ପହଞ୍ଚିଛି । ଏଥିମଧ୍ୟରୁ ବିଦ୍ୟୁତ୍‍ ବିତରଣ କମ୍ପାନୀମାନଙ୍କ ଦ୍ୱାରା ୧୨,୧୬,୬୭୬ଟି ଅଭିଯୋଗ ଫଇସଲା ହୋଇଛି ।

ଟିପିସିଓଡିଏଲ୍‍ ଉତ୍ସର୍ଗୀକୃତ ବ୍ୟବସ୍ଥା ଆଧାରିତ ଅଭିଯୋଗ ପରିଚାଳନା ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ୨୦ଜଣ କଷ୍ଟମର ରିଲେସନସିପ୍‍ ଏକଜିକ୍ୟୁଟିଭ୍‍, ୨୦୮ଜଣ କ୍ୟାସିୟର ଏବଂ ଗ୍ରାହକଙ୍କ ଅଭିଯୋଗର ତଦାରଖ ଏବଂ ସମାଧାନ ପାଇଁ ବିଭାଗର କାର୍ଯ୍ୟାଳୟରେ ୧୩୯ଜଣ କନିଷ୍ଠ ପରିଚାଳକ ନିୟୋଜିତ ହୋଇଛନ୍ତି । ଏଥିସହିତ ଗ୍ରାମାଞ୍ଚଳରେ ଅଭିଯୋଗର ତୁରନ୍ତ ଫଇସଲା ପାଇଁ ୬୮୮ଟି ଗାଁ ଚାଲ ଅଭିଯାନ ଶିବିର ଆୟୋଜନ କରାଯାଇଛି ।

ବିଦ୍ୟୁତ୍‍ କାଟ୍‍କୁ ରୋକିବା ପାଇଁ ସହରାଞ୍ଚଳରେ ୩ ପର୍ଯ୍ୟାୟରେ ଏଏମସି ଓ ଗ୍ରାମାଞ୍ଚଳରେ ଦୁଇ ସିପ୍ଟ ଏଏମସି ଏବଂ ୩୩କେଭି ଲାଇନ ଓ ସବଷ୍ଟେସନ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡି ଓ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଟିପିସିଏଲଡିଏଲରେ ମୋଟ ୫୫୬୦ ଜଣ କର୍ମଚାରୀ ଓ ୩୮ଜଣ ମାନବ ସମ୍ବଳ କର୍ମଚାରୀ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)