Home Energy ବିଦ୍ୟୁତ କାଟ ନକରିବା ପାଇଁ ନିର୍ଦ୍ଦେଶ

ବିଦ୍ୟୁତ କାଟ ନକରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଚଳିତ  ବର୍ଷ  ଏପ୍ରିଲ ମାସରେ  ଅପେକ୍ଷାକୃତ ଅଧିକ  ଓ ଗ୍ରୀଷ୍ମ ପ୍ରବାହ ଏବଂ ଆଗାମୀ ବୋର୍ଡ ଓ +୨ ପରୀକ୍ଷାକୁ  ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ଥିତିର ସମୀକ୍ଷା କରିଥିଲେ । 

ଏହି  ବୈଠକରେ ଶକ୍ତି ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ନିକୁଞ୍ଜବିହାରୀ ଧଳ ରାଜ୍ୟରେ ବିଦ୍ୟୁତ  ଉତ୍ପାଦନ ଓ ବଣ୍ଟନ  ସମ୍ବନ୍ଧିତ  ବିଷୟ ଆଲୋଚନା  ନିମନ୍ତେ ଉପସ୍ଥାପନ କରିଥିଲେ । ଗ୍ରୀଡ୍କୋ, ଓ.ପି.ଟି.ସି.ଏଲ୍., ଓଡ଼ିଶା ଜଳ ବିଦ୍ୟୁତ ନିଗମ, ଓଡ଼ିଶା ବିଦ୍ୟୁତ  ଉତ୍ପାଦନ ନିଗମଙ୍କ ସମେତ  ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓ କଂପାନୀମାନେ  ବିଦ୍ୟୁତ ବଣ୍ଟନ ବିଷୟରେ ସଦ୍ୟତନ ତଥ୍ୟ ଜଣାଇଥିଲେ ।

ସ୍ଥିତିର ସମୀକ୍ଷା କରି ଗ୍ରୀଷ୍ମ ପ୍ରବାହ ଏବଂ ପିଲାମାନଙ୍କର  ପରୀକ୍ଷା ଦୃଷ୍ଟିରୁ ଘରୋଇ ଉପଭୋକ୍ତା, ଶିକ୍ଷାନୁଷ୍ଠାନ, ପରୀକ୍ଷା କେନ୍ଦ୍ର ଆଦିକୁ  ବିଦ୍ୟୁତ ଯୋଗାଣ କାଟ  ନକରିବା ପାଇଁ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ବିଦ୍ୟୁତ ବିତରକ  କଂପାନୀମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ବ୍ୟବସାୟିକ ପ୍ରତିଷ୍ଠାମାନଙ୍କୁ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟୁତ ଦେୟ ପୈଠ ହୋଇନଥିବା  କାରଣରୁ କୌଣସି ପାନୀୟ  ଜଳ ଯୋଗାଣ  ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ନକାଟିବାକୁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଜଳଜାତ  ବିଦ୍ୟୁତର  ସଠିକ ପରିଚାଳନା  ଓ ଉପଯୋଗ କରି  ଏହି ସବୁ  ଉପଭୋକ୍ତାଙ୍କୁ  ଅଗ୍ରାଧିକାର  ଭିତ୍ତିରେ ବିଦ୍ୟୁତ ଯୋଗାଇବାକୁ  ମୁଖ୍ୟ ଶାସନ ସଚିବ  ନିର୍ଦ୍ଦେଶ ଦେଇଥିଲେ ।      

ଏହାଛଡା ରାଜ୍ୟରେ ବିଦ୍ୟୁତ  ଉତ୍ପାଦନକାରୀ କଂପାନୀମାନଙ୍କୁ ଉନ୍ନତ୍ତମାନର କୋଇଲା ଯୋଗାଣ ଅବ୍ୟାବହତ ରଖିବାକୁ ଏମ୍.ସି.ଏଲ୍. ଅଧିକାରୀମାନଙ୍କୁ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ଅଧିକ କୋଇଲା ପରିବହନ  ନିମନ୍ତେ ଅଧିକ ରେକ୍ ଯୋଗାଇବା ପାଇଁ ମଧ୍ୟ ରେଳବାଇ କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରାଯାଇଥିଲା ।  ରାଜ୍ୟକୁ ବିଦ୍ୟୁତ ଯୋଗାଣ ଅଙ୍ଗିକାରବଦ୍ଧତା ପୂରଣ କରିବାକୁ  ବିଦ୍ୟୁତ କଂପାନୀମାନଙ୍କୁ କୁହାଯାଇଥିଲା ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଚଳିତ ଏପ୍ରିଲ୍ ମାସରେ ଅସ୍ୱାଭିକଭାବେ ଗରମ  ଓ ଗ୍ରୀଷ୍ମ ପ୍ରବାହ ହଠାତ୍ ବଢ଼ିଯାଇଛି । ସାଧାରଣତଃ ମେ ମାସରେ ରୌଦ୍ରତାପ ଅଧିକ ହୋଇଥାଏ । ଗ୍ରୀଷ୍ମ ପ୍ରବାହ ଯୋଗୁ  ବିଦ୍ୟୁତ   ବ୍ୟବହାର ଓ ଚାହିଦା  ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଏହି ମାସର ସର୍ବୋଚ୍ଚ ଚାହିଦା ସମୟରେ ପ୍ରାୟ ୪୦୦୦ ମେଗାଓ୍ୱାଟ୍ ବିଜୁଳି ଦରକାର ହେଉଥିବାବେଳେ ବର୍ତ୍ତମାନ  ଏହା ୪୪୦୦ ମେଗାଓ୍ୱାଟ୍କୁ  ବୃଦ୍ଧି ପାଇଛି  ତେବେ ଏହି ସ୍ଥିତି ସାମୟିକ । ଓ.ପି.ଜି.ସି.ର  ୟୁନିଟ୍-୪ ଜଳ ବିଦ୍ୟୁତ ପ୍ରକଳ୍ପରୁ  ମେ ମାସ  ପ୍ରଥମ ସପ୍ତାହରେ  ଉତ୍ପାଦନ  ଆରମ୍ଭ ହେବ । ଯାହାକି  ବର୍ଦ୍ଧିତ ଚାହିଦା ମେଣ୍ଟାଇ ପାରିବ ।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ ନିକୁଞ୍ଜବିହାରୀ ଧଳ, ଗ୍ରୀଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତ୍ରିଲୋଚନ ପଣ୍ଡାଙ୍କ ସମେତ ସମସ୍ତ ବିଦ୍ୟୁତ  ଉତ୍ପାଦନ, ବିପଣୀ ଏବଂ ବଣ୍ଟନକାରୀ ନିଗମ ଓ କଂପାନୀର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।