Home Energy ବିଦ୍ୟୁତ୍ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି

ବିଦ୍ୟୁତ୍ ସଂସ୍କାର ପାଇଁ ଓଡ଼ିଶାକୁ ୨୭୨୫ କୋଟି

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ଋଣ ନେବା ପାଇଁ ଅନୁମତି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସଂସ୍କାରକୁ ପ୍ରୋତ୍ସାହନ ଦିଆଯାଉଛି । ବିଦ୍ୟୁତ କ୍ଷେତ୍ରରେ ଦକ୍ଷତା ଓ କାର୍ଯ୍ୟ ପ୍ରଦର୍ଶନକୁ ବଢ଼ାଇବା ଲାଗି ସଂସ୍କାର ଆରମ୍ଭ କରିବାରେ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଯୋଗାଇ ଦେବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ପଦକ୍ଷେପ ଘୋଷଣା କରିଥିଲେ । ଏହି ପଦକ୍ଷେପ ଅନ୍ତର୍ଗତ ୨୦୨୧-୨୨ ଠାରୁ ୨୦୨୪-୨୫ ସୁଦ୍ଧା ଚାରି ବର୍ଷର ଅବଧି ପାଇଁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୦.୫ର ଅତିରିକ୍ତ ଋଣ ଉଠାଇବାର ସୁବିଧା ରାଜ୍ୟମାନଙ୍କ ଲାଗି ଉପଲବ୍ଧ ରହିଛି। ରାଜ୍ୟମାନଙ୍କ ଦ୍ୱାରା ବିଦ୍ୟୁତ କ୍ଷେତ୍ରରେ ସ୍ୱତନ୍ତ୍ର ସଂସ୍କାରକୁ ଲାଗୁ କରିବା ଉପରେ ଏହି ଅତିରିକ୍ତ ଆର୍ଥିକ ସୁବିଧା ନିର୍ଭରଶୀଳ।

ଏହି ପଦକ୍ଷେପ ରାଜ୍ୟ ସରକାରମାନଙ୍କୁ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୋତ୍ସାହିତ କରିଛି ଏବଂ ଅନେକ ରାଜ୍ୟ ଆଗକୁ ଆସି କାର୍ଯ୍ୟକାରୀ କରାଯାଇଥିବା ସଂସ୍କାର ଓ ବିଭିନ୍ନ ମାନଦଣ୍ଡର ସଫଳତା ବିବରଣୀ ବିଦ୍ୟୁତ ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି।

ବିଦ୍ୟୁତ ମନ୍ତ୍ରଣାଳୟର ସୁପାରିସ ଆଧାରରେ ଅର୍ଥ ମନ୍ତ୍ରଣାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ଯ୍ୟକାରୀ କରାଯାଇଥିବା ସଂସ୍କାରକୁ ଅନୁମତି ଦେଇଛି । ବିଗତ ଦୁଇଟି ଆର୍ଥିକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬,୪୧୩ କୋଟି ଟଙ୍କାର ଆର୍ଥିକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି । ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି ।

ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ଲାଗି ପ୍ରୋତ୍ସାହନ ଆକାରରେ ପ୍ରତ୍ୟେକ ରାଜ୍ୟ ପାଇଁ ଅନୁମତି ଦିଆଯାଇଥିବା ଅର୍ଥରାଶିର ବିଭାଜନ ନିମ୍ନରେ ଦିଆଗଲା –

ରାଜ୍ୟମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଇବାର ସୁବିଧାର ଲାଭ ନେବା ଜାରି ରଖିପାରିବେ । ୨୦୨୩-୨୪ରେ ଏହି ସଂସ୍କାର ଆରମ୍ଭ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ରାଶି ଆକାରରେ ୧,୪୩,୩୩୨ କୋଟି ଟଙ୍କା ଉପଲବ୍ଧ ହେବ। ୨୦୨୧-୨୨ ଏବଂ ୨୦୨୨-୨୩ରେ ସଂସ୍କାର ପ୍ରକ୍ରିୟାକୁ ପୂରଣ କରିବାରେ ଅସମର୍ଥ ହୋଇଥିବା ରାଜ୍ୟମାନେ ଯଦି ଚଳିତ ଆର୍ଥିକ ବର୍ଷରେ ସଂସ୍କାରକୁ ଲାଗୁ କରିବାରେ ସକ୍ଷମ ହୁଅନ୍ତି ତା’ହେଲେ ସେମାନେ ୨୦୨୩-୨୪ ପାଇଁ ନିର୍ଦ୍ଧାରିତ ଅତିରିକ୍ତ ଋଣ ନେବାର ଲାଭ ମଧ୍ୟ ପାଇପାରିବେ।

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ଦେବାର ପ୍ରାରମ୍ଭିକ ଉଦ୍ଦେଶ୍ୟ ହେଉଛି ଏହି କ୍ଷେତ୍ର ମଧ୍ୟରେ ପରିଚାଳନା ଓ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ଏବଂ ପରିଶୋଧ କରାଯାଇଥିବା ବିଦ୍ୟୁତ ଉପଯୋଗରେ ନିରନ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ।

ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ହେବା ଲାଗି ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାରର ସେଟ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ଏବଂ ନିର୍ଦ୍ଧାରିତ ପ୍ରଦର୍ଶନ ମାନଦଣ୍ଡକୁ ପୂରଣ କରିବା ଜରୁରି ।

ରାଜ୍ୟ ସରକାରଙ୍କ ଦ୍ୱାରା ସରକାରୀ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ର କ୍ଷତି ପାଇଁ ଉତ୍ତୋରତ୍ତର ଦାୟିତ୍ୱ ଗ୍ରହଣ। ସବସିଡି ପରିଶୋଧ ତଥା ଡିସକମ ପ୍ରତି ସରକାର ଏବଂ ଡିସକମର ଦେୟତାକୁ ଉଲ୍ଲେଖ କରିବା ସହିତ ବିଦ୍ୟୁତ କ୍ଷେତ୍ରରେ ଆର୍ଥିକ ବ୍ୟାପାର ରିପୋର୍ଟିଂରେ ପାରଦର୍ଶିତା।

ଆର୍ଥିକ ଓ ଇନ୍ଧନ ଏକାଉଣ୍ଟର ସମୟୋପଯୋଗୀ ପ୍ରସ୍ତୁତି ଏବଂ ଠିକ୍ ସମୟରେ ଅଡିଟିଂ ଆଇନଗତ ଓ ନିୟାମକ ଆବଶ୍ୟକତାର ଅନୁପାଳନ। ଏହି ସଂସ୍କାରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପରେ ପ୍ରୋତ୍ସାହନ ରାଶି ପାଇଁ ଯୋଗ୍ୟତା ନିର୍ଦ୍ଧାରିତ କରିବା ଲାଗି ସ୍ୱତନ୍ତ୍ର ମାନଦଣ୍ଡ ଆଧାରରେ କୌଣସି ରାଜ୍ୟର ପ୍ରଦର୍ଶନ ମୂଲ୍ୟାଙ୍କନ କରାଯିବ ଯାହାକି ପ୍ରଦର୍ଶନ ଆଧାରରେ ସକଳ ଘରୋଇ ଉତ୍ପାଦର ୦.୨୫ ପ୍ରତିଶତ ରୁ ଆରମ୍ଭ କରି ୦.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ ।

ରାଜ୍ୟମାନଙ୍କର ପ୍ରଦର୍ଶନକୁ ଆକଳନ କରିବା ଏବଂ ଅତିରିକ୍ତ ଋଣସଂଗ୍ରହ ଅନୁମତି ପାଇଁ ସେମାନଙ୍କର ଯୋଗ୍ୟତାକୁ ବିଚାର କରିବା ଲାଗି ଶକ୍ତି ମନ୍ତ୍ରଣାଳୟର ନୋଡାଲ୍ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିଥାଏ।