Home Education ବିଦ୍ୟାଳୟ ପୁଷ୍ଟି ବଗିଚାକୁ ଗୁରୁତ୍ୱ

ବିଦ୍ୟାଳୟ ପୁଷ୍ଟି ବଗିଚାକୁ ଗୁରୁତ୍ୱ

ଭୁବନେଶ୍ୱର : ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରାଜ୍ୟସ୍ତରୀୟ ପରିଚାଳନା ଓ ତଦାରଖ କମିଟିର ୧୮ତମ ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଗତବର୍ଷର ମହାମାରୀ ସମୟରେ ସମସ୍ତ ବାଧା ସତ୍ତେ୍ୱ ମଧ୍ୟାହ୍ନ ଭୋଜନ କିପରି ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ତାହା ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନର ଲାଭାର୍ଥୀଙ୍କୁ ସେମାନଙ୍କ ପ୍ରାପ୍ୟ ଚାଉଳ ଓ ପଇସା ବଣ୍ଟା ଯାଇଛି । ପିଲାମାନଙ୍କ ବ୍ୟାଙ୍କଖାତାକୁ କିମ୍ବା ବିଦ୍ୟାଳୟରେ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ପଇସା ଓ ଚାଉଳ ଦିଆଯାଇଥିବାବେଳେ, ପିଡିଏସ୍‌ ରିଟେଲରମାନଙ୍କ ମଧ୍ୟରେ ଚାଉଳ ବଣ୍ଟନ କରାଯାଇଥିଲା । ଶିକ୍ଷକମାନଙ୍କ ଦ୍ୱାରା ପିଲାମାନଙ୍କୁ ଲୌହ ବଟିକା ମଧ୍ୟ ପ୍ରଦାନ କରାଯାଇଛି ।

ଏହି ସମୟରେ ୧୪,୯୬୭ ବିଦ୍ୟାଳୟକୁ ଏଲ୍‌ପିଜି ସଂଯୋଗ କରାଯିବା ସହ ୩୧,୫୦୦ ବିଦ୍ୟାଳୟରେ ପୁଷ୍ଟି-ବଗିଚା କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୪୧,୧୭୭ ସ୍କୁଲରେ ଏଲ୍‌ପିଜି ଦିଆଯାଇଥିବାବେଳେ ୪୩,୦୦୦ ସ୍କୁଲରେ ପୁଷ୍ଟି-ବଗିଚା ପାଇଁ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଥିଲେ । ମହାମାରୀ ସମୟରେ ଏହିସବୁ କାର୍ଯ୍ୟ ପାଇଁ ଶିକ୍ଷକମାନଙ୍କ ଭୂମିକାକୁ ଏହି ସଭାରେ ପ୍ରଶଂସା କରାଯାଇଥିଲା ।

ମଧ୍ୟାହ୍ନ ଭୋଜନର କାର୍ଯ୍ୟକାରିତା ଉପରେ ବିଶଦ ଆଲୋଚନା କରାଯାଇ ଆଗାମୀ ସମୟରେ ଏହାକୁ କିପରି ଅଧିକ ସକି୍ରୟ ଓ ଉପାଦେୟ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ତିଆରି ହେବାକୁ ଥିବା ମଧ୍ୟାହ୍ନ ଭୋଜନ ରୋଷଶାଳାଗୁଡ଼ିକୁ ବିପର୍ଯ୍ୟୟ ପ୍ରତିରୋଧ ପ୍ରସ୍ତୁତି କରିବା ସହ ବିଦ୍ୟାଳୟମାନଙ୍କରେ ଥିବା ପୁଷ୍ଟି ବଗିଚାରେ ଡି୍ରଫଫ ଜଳସେଚନର ବ୍ୟବହାର କରାଯିବ ।

ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟକୁ ଅଧିକ ପୁଷ୍ଟିଯୁକ୍ତ କରିବା ପାଇଁ ପୋଷଣଯୁକ୍ତ ବା ଫର୍ଟିଫାଏଡ୍‌ ଚାଉଳ ବ୍ୟବହାର କରାଯିବ । ଏଥି ପାଇଁ ରାଜ୍ୟ ପ୍ରକଳ୍ପ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ଏହାର କାର୍ଯ୍ୟକାରିତାର ଦିଗ ଓ ଆର୍ଥିକ ଆବଶ୍ୟକତା ଉପରେ ବିଶଦ ଅନୁଧ୍ୟାନ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।

ଓଡ଼ିଶାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ସଫଳତା ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥାମାନଙ୍କ ମଧ୍ୟରେ ଥିବା ସହଭାଗିତା ଗୁରୁତ୍ୱପୂର୍ଣ୍ଣ । ଏହି ବିଭାଗ ଓ ଅନୁଷ୍ଠାନମାନଙ୍କ ସହାୟତାରେ ଭୋଜନ କାର୍ଯ୍ୟକ୍ରମକୁ କିପରି ଅଧିକ ଉପାଦେୟ କରିହେବ ସେଥିପାଇଁ ପ୍ରକି୍ରୟା ଚାଲୁରହିବ ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନ ଉପରେ ଶିକ୍ଷା ଦେବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ କୁହାଯାଇଥିଲା ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବଙ୍କ ସହ ନିର୍ଦ୍ଦେଶକ, ଆଇସିଡିସି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ, ୟୁନିସେଫ, ଆର୍‌ଏମ୍‌ଆର୍‌ସି ଓ ଏନ୍‌ଆଇଏନ୍‌ର ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟ ନୋଡାଲ ଅଧିକାରୀ ଏହି ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।