Home Education ବିଦ୍ୟାଳୟ ଆଖପାଖ ଏବେ ବେପାରୀଙ୍କ ଆଡ୍ଡାସ୍ଥଳୀ

ବିଦ୍ୟାଳୟ ଆଖପାଖ ଏବେ ବେପାରୀଙ୍କ ଆଡ୍ଡାସ୍ଥଳୀ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଆଖପାଖ ଏବେ ବେପାରୀଙ୍କ ଆଡ୍ଡାସ୍ଥଳୀ । ଇଟା, ବାଲି, ଗୋଡି ସହିତ ଅନ୍ୟାନ୍ୟ ବେପାର ଚଳାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ଦେଲାଣି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏଥିପ୍ରତି ଆଖିବୁଜି ଦେଇଥିବାବେଳେ ବିଏମ୍‍ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ବି ନିରବ ।

ରଜ ଛୁଟି ପରେ ଶିକ୍ଷାନୁଷ୍ଠାନ ଆଖପାଖରେ ଏଭଳି ଏକାଧିକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାର ଗୋଟିଏ ଉଦାହରଣ ହେଉଛି ନଅ ନମ୍ବର ଅଞ୍ଚଳରେ ଥିବା ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ । ଦୀର୍ଘଦିନ ପରେ ବିଦ୍ୟାଳୟ ଖୋଲିଥିବାବେଳେ ଦେଖିବାକୁ ମିଳିଛି ଯେ ବିଦ୍ୟାଳୟ ନିକଟରେ ଅସ୍ଥାୟୀ ଘର ତିଆରି ହୋଇଥିବାବେଳେ କିଛି ବ୍ୟବସାୟୀ ସେଠାରେ ବାଲି, ଗୋଡି ଆଦି ଗଦାଇ ବ୍ୟବସାୟ ଚଳାଇଛନ୍ତି । ଫଳରେ ପିଲାମାନେ ବିଦ୍ୟାଳୟ ଆସିବା ଓ ଯିବା ସମୟରେ ସେଠାକୁ ଏକାଧିକ ଟ୍ରକ, ଟ୍ରାକ୍ଟର, ଡାଲା ଅଟୋ ଆଦି ଯା ଆସ କରୁଛି ।

କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏବେ କିଛି ମାଫିଆ ରାତାରାତି ଅସ୍ଥାୟୀ ଘର ତିଆରି କରୁଥିବାବେଳେ ବିଏମ୍‍ସି, ବିଡିଏ ଓ ସାଧାରଣ ପ୍ରଶାସନ ବିଭାଗ ଏକ ପ୍ରକାର ନିରବ । ରାଜଧାନୀର କେନ୍ଦ୍ର ସ୍ଥଳରେ ଓ ଦୁଇ ଦୁଇଟି ଶିକ୍ଷାନୁଷ୍ଠାନ ମଝିରେ କିଭଳି ବେଆଇନ୍‍ ନିର୍ମାଣ ହେଲା ତାହାକୁ ନେଇ ଅଭିଭାବକମାନେ ଆଶ୍ଚର୍ଯ୍ୟ ପ୍ରକଟ କରୁଥିବାବେଳେ ସରକାରୀ ବାବୁମାନଙ୍କ ନିରବତା ବି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି ବେଆଇନ୍‍ କାର୍ଯ୍ୟ ବିରୁଦ୍ଧରେ ବିଏମ୍‍ସି ମେୟରଙ୍କୁ ଭେଟିବାପାଇଁ କିଛି ଅଭିଭାବକ ସଜବାଜ ହେଉଥିବା ଜଣାଯାଇଛି ।

ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ମହାବିଦ୍ୟାଳୟ ପାଶ୍ୱର୍ରେ । କଲେଜ ପାଚେରୀକୁ ଲାଗି ଏକାଧିକ ବ୍ୟବସାୟୀ ଏବେ ସେଠାରେ ବାଲି, ଗୋଡି ଆଦିର ପସରା ମେଲାଇଛନ୍ତି । ଦୈନିକ ଏଠାରେ ଟ୍ରକ ଟ୍ରକ ବାଲି, ଗୋଡି, ଇଟା ଆଦି ଗଦା ହେବା ସହିତ ବିଭିନ୍ନ ସ୍ଥାନକୁ ପଠାଯାଉଛି । କଲେଜକୁ ଛାତ୍ରଛାତ୍ରୀମାନେ ଆସିବା ସମୟରେ ବଡ ବଡ ଟ୍ରକ ଠାରୁ ଆରମ୍ଭକରି ଟ୍ରାକ୍ଟର ଓ ଅନ୍ୟାନ୍ୟ ଗାଡିମୋଟର ରାସ୍ତା ଅବରୋଧ କରି ଛିଡା ହେଉଛନ୍ତି । ଏଠାରେ କେତେବେଳେ ଯେ ଦୁର୍ଘଟଣା ନଘଟିବ ତାହା କହି ହେବନାହିଁ ।

କେବଳ ଏହି ଦୁଇଟି ଶିକ୍ଷାନୁଷ୍ଠାନ ନୁହେଁ, ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନ ଆଖପାଖରେ ଏବେ ବାଲି, ଗୋଡି, ଇଟା ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବ୍ୟବସାୟ କେନ୍ଦ୍ର ମୁଣ୍ଡ ଟେକିବାରେ ଲାଗିଛି । ଏପରିକି ବେଆଇନ୍‍ ଭାବେ ଶିକ୍ଷାନୁଷ୍ଠାନ ନିକଟରେ ପାନ୍‍ ଗୁଟ୍‍ଖା ଭଳି ଦୋକାନ ଖୋଲିଥିଲେ ମଧ୍ୟ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଶୂନ । ତେଣୁ ଲମ୍ବା ଛୁଟି ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଗଢି ଉଠିଥିବା ବେଆଇନ୍‍ ନିର୍ମାଣକୁ ଉଚ୍ଛେଦ ସହିତ ପାନ୍‍ ଗୁଟ୍‍ଖା ଦୋକାନ ହଟାଇବାପାଇଁ ମତ ପ୍ରକାଶ ପାଉଛି । (ତଥ୍ୟ)