Home News in Odia ବିଜେଡି କବ୍‍ଜାରେ ଦୁଇ ଆସନ

ବିଜେଡି କବ୍‍ଜାରେ ଦୁଇ ଆସନ

240
0

ଉପ ନିର୍ବାଚନ ହୋଇଥିବା ରରାଜ୍ୟର ଦୁଇଟି ବିଧାନସଭା ଆସନ ବିଜେଡି କବ୍‍ଜାକୁ ଯାଇଛି । ନିଜର ପୂର୍ବ ଆସନ ତିର୍ତ୍ତୋଲ ସହ ବିଜେପି ଦଖଲରେ ଥିବା ବାଲେଶ୍ୱର ଆସନଟିକୁ ମଧ୍ୟ ବିଜେଡି ହାତେଇବାରେ ସଫଳ ହୋଇଛି । ବିଜେଡିର ଏଭଳି ବିଜୟ ପୁଣିଥରେ ଦଳର ସଫଳ ନିର୍ବାଚନୀ ରଣନୀତିର ପରିଚୟ ଦେଇଛି ।

ବାଲେଶ୍ୱର ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ମଦନ ମୋହନ ଦତ୍ତ ଓ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜେଡି ବିଧାୟକ ଥିବା ବିଷ୍ଣୁ ଚରଣ ଦାସଙ୍କ ଅକାଳ ବିୟୋଗ ପରେ ଏହି ଦୁଇ ଆସନରେ ଉପର୍ନିବାଚନ ଅନୁଷ୍ଠିତ ହୋଇଥିଲା । ଉଭୟ ବିଧାୟକଙ୍କ ପୁଅ ଦଳୀୟ ପ୍ରାର୍ଥୀଭାବେ ଉଭା ହୋଇଥିବାବେଳେ ଏହି ଦୁଇ ଆସନରେ କଂଗ୍ରେସ ନୂଆ ମୁହଁ ଦେଇଥିଲା ।

ବାଲେଶ୍ୱରରେ ବିଜେପି ବିରୁଦ୍ଧରେ ବିଜେଡି ସ୍ୱରୂପ ଦାସଙ୍କୁ ନୂତନ ଭାବେ ମଇଦାନରେ ଉତାରିଥିବାବେଳେ ତିର୍ତ୍ତୋଲରେ ବିଜେଡି ବିରୁଦ୍ଧରେ ବିଜେପି ମଧ୍ୟ କଂଗ୍ରେସରୁ ଆମଦାନୀ କରି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ଉଭୟ ଆସନକୁ ବିଜେଡି ହାତେଇ ନେବାପରେ ଏବେ ବିଜେପି ଓ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନଚିହ୍ନ ଲାଗିଯାଇଛି ।

ଆଜି ହୋଇଥିବା ଭୋଟ ଗଣତିର ସର୍ବଶେଷ ସୂଚନା ଅନୁଯାୟୀ ବାଲେଶ୍ୱର ଆସନରେ ବିଜେଡି ୮୨,୮୧୦ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିକୁ ମିଳିଛି ୬୯,୪୧୫ ଖଣ୍ଡ ଭୋଟ । ସେହିଭଳି ଏଠାରୁ କଂଗ୍ରେସ ଭୋଟ ୫ହଜାର ମଧ୍ୟରେ ସୀମିତ ଅର୍ଥାତ ୪୯୦୧ରେ ରହିଛି ।

ତିର୍ତ୍ତୋଲ ଆସନରେ ସର୍ବଶେଷ ସୂଚନା ଅନୁଯାୟୀ ବିଜେଡି ପ୍ରାର୍ଥୀ ୪୦ହଜାରରୁ ଅଧିକ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ଏଠାରେ ୮୬,୪୮୭ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିକୁ ୪୬,୦୦୦ ଓ କଂଗ୍ରେସକୁ ୨୮,୩୨୯ ଖଣ୍ଡ ଭୋଟ ମିଳିଛି ।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ତିର୍ତ୍ତୋଲରୁ ବିଜେଡି ପ୍ରାର୍ଥୀ ବିଷ୍ଣୁଚରଣ ଦାସ ୯୩,୯୬୭ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପୁଅ ବିଜୟ ଶଙ୍କରଙ୍କ ଭୋଟ ଏହାଠାରୁ ସାମାନ୍ୟ କମିଛି । ସେହିଭଳି କଂଗ୍ରେସ ପ୍ରାର୍ଥୀ ଏହି ଆସନରୁ ୨୦୧୯ରେ ୨୩,୮୦୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୫୩,୫୮୧ ଖଣ୍ଡ ଭୋଟ ପାଇଥିଲେ ।

ଅନ୍ୟ ପକ୍ଷରେ ୨୦୧୯ ନିର୍ବାଚନରେ ବାଲେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ୭୪,୮୧୫ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ୬୧,୪୦୯ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେତେବେଳେ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀଙ୍କୁ ୧୯,୭୦୪ ଖଣ୍ଡ ଭୋଟ ମିଳିଥିବାବେଳେ ଏଥର କିନ୍ତୁ କଂଗ୍ରେସ ୫ହଜାର ସୀମା ଅତିକ୍ରମ କରିପାରି ନାହିଁ ।

LEAVE A REPLY

Please enter your comment!
Please enter your name here