Home Energy ବିଜୁଳି ବିଲ୍‍ ନଦେବାକୁ ମାମଲା

ବିଜୁଳି ବିଲ୍‍ ନଦେବାକୁ ମାମଲା

ଭୁବନେଶ୍ୱର : ବର୍ଷ ବର୍ଷ ଧରି ବିଜୁଳି ଜାଳୁଛନ୍ତି । ହେଲେ ବିଲ୍‍ ପଇଠ ବେଳକୁ ଅଦାଲତରେ ମାମଲାଟିଏ ରୁଜୁ କରିଦେଉଛନ୍ତି । ବର୍ତ୍ତମାନ ବିଜୁଳି ବିଲ୍‍ ପଇଠ ନକରି ୭୪୫ଟି ସଂସ୍ଥା ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥି ମଧ୍ୟରୁ ୨୯୭ଟି ସଂସ୍ଥା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବାବେଳେ ୪୪୮ଟି ସଂସ୍ଥା ନିମ୍ନ ଅଦାଲତରେ ମାମଲା ରୁଜୁ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଘରୋଇ ସଂସ୍ଥା ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଉପରେ ବିଭିନ୍ନ ବିତରଣ କମ୍ପାନୀର କୋଟି କୋଟି ଟଙ୍କାର ବାକିଆ ଗଡୁଛି । ଏହାକୁ ଆଦାୟ ପାଇଁ କମ୍ପାନୀଗୁଡିକ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ବାକି ରଖିଥିବା ସଂସ୍ଥାଗୁଡିକ ଅଦାଲତଙ୍କ ଦ୍ୱାରସ୍ଥ ହେଉଥିବାରୁ ଅର୍ଥ ଆଦାୟ ହୋଇପାରୁ ନାହିଁ ।

ସବୁଠାରୁ ଅଧିକ ବାକି ପଡିଛି ଟାଟା ପାୱାର ଦ୍ୱାରା ପରିଚାଳିତ ଟିପିଏସ୍‍ଓଡିଏଲ୍‍ର । ବିଭିନ୍ନ ଘରୋଇ ଓ କ୍ଷୁଦ୍ର ଅନୁଷ୍ଠାନ ଉପରେ ଏହାର ୧୫୦୯ କୋଟି ଟଙ୍କା ବାକି ଗଡୁଛି । ସେହିଭଳି ଟିପିସିଓଡିଏଲ୍‍ର ବାକି ୩୪୮କୋଟି ୯୫ଲକ୍ଷ ଟଙ୍କା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଟାଟା ପାୱାର ହାତକୁ ଯାଇନଥିବା ନେସ୍କୋର ବାକିଆ ୨୨୩କୋଟି ୭୯ଲକ୍ଷ ଟଙ୍କା ରହିଛି । ସେହିଭଳି ଟିପିଡବ୍ଲ୍ୟୁଓଡିଏଲ୍‍ର ବାକି ୧୪୦କୋଟି ୨୫ଲକ୍ଷ ଟଙ୍କା ରହିଛି ।

ତେବେ ବାକିଆ ବିଲ୍‍ ବିରୁଦ୍ଧରେ ହାଇକୋର୍ଟ ଯାଇଥିବା ସଂସ୍ଥାମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ୧୭୧ଟି ଟିପିଡବ୍ଲ୍ୟୁଏଲ୍‍ ଅଧିନରେ ଥିବାବେଳେ ଟିପିସିଓଡିଏଲ୍‍ ଅଧିନରେ ୬୪ଟି, ଟିପିଏସ୍‍ଓଡିଏଲ୍‍ ଅଧିନରେ ୪୨ ଟି ଓ ନେସ୍କୋ ଅଧିନରେ ୨୦ଟି ସଂସ୍ଥା ରହିଛି ।

ସାଧାରଣ ଘରୋଇ ଗ୍ରାହକଟିଏ ଗୋଟିଏ ମାସର ବିଜୁଳି ବିଲ୍‍ ବାକି ରଖିଲେ ତାହାକୁ ବାରମ୍ବାର ତାଗିଦା ସହିତ ଲାଇନ୍‍ କାଟିବାପାଇଁ ବଣ୍ଟନ କମ୍ପାନୀର କର୍ମଚାରୀମାନେ ଦଳବଳ ସହିତ ଘର ଆଗରେ ହାଜର ହେଉଥିବାବେଳେ ଏହି କ୍ଷୁଦ୍ର ଅନୁଷ୍ଠାନଗୁଡିକ କିଭଳି ବାକିଆ ପଇଠ କରୁନାହାନ୍ତି ଓ ବାକି ଥିବା ଅର୍ଥ ନଦେବାପାଇଁ ଅଦାଲତରେ ମାମଲା ରୁଜୁ କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗୋଟିଏ ପଟେ ବାକିଆ ବିଜୁଳି ଆଦାୟ କରିପାରୁନଥିବାରୁ ବଣ୍ଟନକାରୀ କମ୍ପାନୀଗୁଡିକ ବି ଗ୍ରିଡ୍‍କୋକୁ ଅର୍ଥ ଶୁଝିପାରୁ ନାହାନ୍ତି ଓ ଗ୍ରିଡ୍‍କୋ ବିଭିନ୍ନ ସଂସ୍ଥାରୁ ଆଣୁଥିବା ବିଜୁଳି ଦେୟ ପଇଠ କରିପାରୁନାହିଁ । ଏଭଳି ସ୍ଥିତିରେ ଉଭୟ ବଣ୍ଟନକାରୀ କମ୍ପାନୀ ଓ ଗ୍ରିଡ୍‍କୋର କ୍ଷତି ବଢି ବଢି ଯାଉଥିବାବେଳେ କ୍ଷତି ଭରଣା ପାଇଁ ବିଜୁଳି ଦର ବଢାଇବାରୁ ଯୁକ୍ତି ବାଢୁଛନ୍ତି । ଫଳରେ ଯେଉଁ ଗ୍ରାହକମାନେ ନିୟମିତ ବିଲ୍‍ ପଇଠ କରୁଛନ୍ତି ପରୋକ୍ଷରେ ଏହି ବୋଝ ସେହିମାନେ ହିଁ ମୁଣ୍ଡାଉଛନ୍ତି । ତେଣୁ ଅଦାଲତରେ ରୁଜୁ ମାମଲା କିଭଳି ଶୀଘ୍ର ଫଏସଲା ହେବ ଓ ବାକିଆ ଅର୍ଥ ଆଦାୟ ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here