Home Energy ବିଜୁଳି କ୍ଷତି ବଢିବାରେ ଲାଗିଛି

ବିଜୁଳି କ୍ଷତି ବଢିବାରେ ଲାଗିଛି

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ସରବରାହ ଓ ବଣ୍ଟନ ଜନିତ କ୍ଷତି ବଢିବାରେ ଲାଗିଛି । ବିଗତ ତିନି ବର୍ଷର କ୍ଷତି ଆଧାରରେ ବିଧାନସଭାରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଥିବା ଉତ୍ତରରୁ ଏହା ଲକ୍ଷ୍ୟ କରାଯାଇଛି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ୨୦୧୯-୨୦ବର୍ଷରେ ଟିପିସିଓଡିଏଲ୍‍ର ପରିବହନ ଓ ବଣ୍ଟନ ଜନିତ ବିଦ୍ୟୁତ୍‍ କ୍ଷତି ୨୩.୧୫ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୫.୯୦ ପ୍ରତିଶତରେ ପହଞ୍ଚିଛି । ସେହିଭଳି ଟିପିଏନ୍‍ଓଡିଏଲ୍‍ର କ୍ଷତି ୨୦୧୯-୨୦ ବର୍ଷରେ ୧୩.୧୯ ପ୍ରତିଶତ ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୨୦-୬୩ ପ୍ରତିଶତ ହୋଇଛି ।

ଟିପିଡବ୍ଲୁଡିଓଏଲ୍‍ର ଏହି କ୍ଷତି ବି ବୃଦ୍ଧି ପାିଛି । ୨୦୧୯-୨୦ ବର୍ଷରେ କ୍ଷତି ପରିମାଣ ୧୮.୭୩ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୫ ପ୍ରତିଶତକୁ ଟପିଯାଇଛି । ତେବେ ଟିପିଏସ୍‍ଓଡିଏଲ୍‍ର କ୍ଷତିରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୯-୨୦ ବର୍ଷରେ କ୍ଷତି ପରିମାଣ ୨୪ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୩ ପ୍ରତିଶତକୁ କମିଛି ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଦ୍ୟୁତ୍‍ ବଣ୍ଟନ ବ୍ୟବସ୍ଥା ଟାଟା ପାୱାର ହାତକୁ ନେବାପରେ ଏବେ ଏହି କ୍ଷତି କମାଇବାପାଇଁ ବିଭିନ୍ନ ପଦକ୍ଷେପ ନେଉଛି । ଏଥି ମଧ୍ୟରେ କାପେକ୍ସ ଯୋଜନାରେ ଭିତ୍ତିଭୂମି ସୁଦୃଢୀକରଣ, ପର୍ଯ୍ୟାୟକ୍ରମେ ଟ୍ରାନ୍ସଫର୍ମର, ତାରଗୁଡିକର ପରିବର୍ତ୍ତନ, ବାକିଆ ବିଜୁଳି ବିଲ୍‍ ଆଦାୟ ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍‍ ଗଠନ ଏବଂ ପୁରୁଣା ମିଟର ବଦଳ ଆଦି କରାଯାଉଛି । (ତଥ୍ୟ)