Home Judiciary ବିଚାରପତି ପଦବୀ ଖାଲି ସହିତ ବଢୁଛି ମାମଲା

ବିଚାରପତି ପଦବୀ ଖାଲି ସହିତ ବଢୁଛି ମାମଲା

66
0

ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଚାରପତି ସଂଖ୍ୟା କିନ୍ତୁ କମ୍‍ ରହୁଛି । ରାଜ୍ୟବାସୀଙ୍କୁ ନ୍ୟାୟ ଦେଉଥିବା ଏହି ଉଚ୍ଚ ନ୍ୟାୟାଳୟର ଖାଲି ପଡିଥିବା ବିଚାରପତି ପଦବୀ ସବୁ କେବେ ପୂରଣ ହେବ ଏବଂ ମାମଲା ସଂଖ୍ୟାକୁ ଦୃଷ୍ଟରେ ରଖି ଅଧିକ ବିଚାରପତି ପଦବୀ କେବେ ସୃଷ୍ଟିହେବ ସେଥିଘେନି ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ କାହା ପାଖରେ କିଛି ଖବର ନାହିଁ ।

ଓଡିଶା ହାଇକୋର୍ଟ ଲାଗି ମୋଟ୍‍ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଛି । ଏଥିରୁ ଏବେ ୧୫ଟି ପଦବୀରେ ବିଚାରପତି ଥିବାବେଳେ ଆଉ ୧୨ଟି ପଦବୀ ଦୀର୍ଘଦିନ ଧରି ଖାଲି ରହିଛି । ଚଳିତ ବର୍ଷ ଦୁଇଜଣ ବିଚାରପତି ଅବସରଗ୍ରହଣ କରିବାକୁ ଯାଉଥିବାରୁ ଖାଲି ଆସନ ସଂଖ୍ୟା ୧୪କୁ ବୃଦ୍ଧି ପାଇପାରେ । ଏହା ପୂର୍ବରୁ ଯଦି କର୍ତ୍ତୃପକ୍ଷ ଅଧିକ ସଂଖ୍ୟକ ବିଚାରପତି ନିଯୁକ୍ତ କରନ୍ତି ତେବେ ସମସ୍ୟାକୁ କିଛି ମାତ୍ରାରେ ଟଳାଇହେବ ।

ଓଡିଶା ହାଇକୋର୍ଟରେ ଗତ ଜାନୁୟାରୀ ୧୬ତାରିଖ ସୁଦ୍ଧା ମୋଟ୍‍ ୧,୭୨,୧୨୩ଟି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଯେଉଁଥିରୁ ୫୩,୦୪୬ଟି ଅପରାଧିକ ମାମଲା ଥିବାବେଳେ ଅଣଅପରାଧିକ ମାମଲା ଥିଲା ୧,୧୯,୦୭୭ । ତେବେ ନେସନାଲ ଜୁଡିସିଆଲ ଡାଟା ଗ୍ରିଡ୍‍ର ତଥ୍ୟ ଅନୁଯାୟୀ ଆଜି ସୁଦ୍ଧା ଓଡିଶା ହାଇକୋର୍ଟରେ ମୋଟ୍‍ ୧,୭୬,୨୩୮ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ଅପରାଧିକ ମାମଲା ହେଉଛି ୫୩,୮୬୮ । ଏହି ମାମଲାଗୁଡିକ ମଧ୍ୟରୁ ପାଖାପାଖି ୩୨ହଜାର ମାମଲା ୧୦ବର୍ଷରୁ ଅଧିକ ସମୟ ଧରି ଗଡୁଛି ।

୫ରୁ ୧୦ବର୍ଷର ପୁରୁଣା ମାମଲା ସଂଖ୍ୟା ଓଡିଶା ହାଇକୋର୍ଟରେ ୪୪,୨୨୫ ଥିବାବେଳେ ୩ରୁ ୫ବର୍ଷର ପୁରୁଣା ମାମଲା ସଂଖ୍ୟା ୨୬,୫୯୨ । ସେହିପରି ବର୍ଷେରୁ ତିନିବର୍ଷ ପର୍ଯ୍ୟନ୍ତ ସମୟର ମାମଲା ସଂଖ୍ୟା ୩୨,୨୫୪ ଥିବାବେଳେ ବର୍ଷକ ଭିତରେ ରୁଜୁହୋଇ ବିଚାର ପ୍ରତୀକ୍ଷାରେ ୪୧,୦୫୯ଟି ମାମଲା ପଡି ରହିଛି ।

ଉଦବେଗର କଥା ହେଉଛି ଯେ ୫ବର୍ଷର ପୁରୁଣା ପ୍ରାୟ ୨୧ହଜାରରୁ ଅଧିକ ଅପରାଧିକ ମାମଲା ଓଡିଶା ହାଇକୋର୍ଟରେ ଗଡୁଛି । ୩ରୁ ୫ବର୍ଷର ପୁରୁଣା ଅପରାଧିକ ମାମଲା ସଂଖ୍ୟା ଏଠାରେ ୬୦୯୬ ଥିବାବେଳେ ବର୍ଷେରୁ ୩ବର୍ଷର ଏହି କିସମର ମାମଲା ସଂଖ୍ୟା ୧୦,୯୮୮ ରହିଛି । ଏହାଛଡା ବର୍ଷକ ମଧ୍ୟରେ ଓଡିଶା ହାଇକୋର୍ଟରେ ରୁଜୁ ହୋଇ ବିଚାର ପ୍ରତୀକ୍ଷାରେ ଆଉ ୧୫,୨୪୯ଟି ମାମଲା ରହିଛି ।

ଓଡିଶା ହାଇକୋର୍ଟରେ ଆଜି ସୁଦ୍ଧା ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ତାହାର ଫଏସଲା ପାଇଁ ଅନ୍ୟୁନ ୪୨ଜଣ ବିଚାରପତିଙ୍କର ଆବଶ୍ୟକତା ଥିବା ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି । କିନ୍ତୁ ବିଚାରପତି ପଦବୀ ସଂଖ୍ୟା ବଢାଇବା ତ ଦୂରରକଥା ବର୍ଷ ବର୍ଷ ଧରି ଅନୁମୋଦିତ ବିଚାରପତି ପଦବୀଗୁଡିକରୁ ଅଧିକାଂଶ ସମୟରେ ପ୍ରାୟ ଅଧା ଖାଲି ରହୁଛି । ଗତ ୫ମାସ ମଧ୍ୟରେ ଓଡିଶା ହାଇକୋର୍ଟରେ ପ୍ରାୟ ୪ହଜାର ମାମଲା ବଢିଛି । କରୋନା ସ୍ଥିତି ନଥିଲେ ଏହି ସଂଖ୍ୟା ଆହୁରି ଢେର ଅଧିକ ହୋଇଥାନ୍ତା ।

କମ୍‍ ସଂଖ୍ୟକ ବିଚାରପତି ଯୋଗୁଁ ଓଡିଶା ହାଇକୋର୍ଟ ଉପରେ ପୁରୁଣା ମାମଲାର ପ୍ରବଳ ଚାପ ଥିବାବେଳେ ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ଉଚ୍ଛେଦ କରାଯାଇଥିବାରୁ ଏଠାରେ ପଡି ରହିଥିବା ବିଭିନ୍ନ କିସମର ପ୍ରାୟ ୭୨ହଜାର ମାମଲାର ଅତିରିକ୍ତ ଚାପ ଓଡିଶା ହାଇକୋର୍ଟ ଉପରେ ଲଦିଦେବାପାଇଁ ଉଦ୍ୟମ ଚାଲିଛି ।

ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଏବର୍ଷ ଅବସରଗ୍ରହଣ କରିବାକୁ ଥିବା ୨ଜଣ ବିଚାରପତିଙ୍କ ସହିତ ଆଉ ୨ଜଣ ଅଭିଜ୍ଞ ଆଇନ୍‍ଜୀବୀଙ୍କୁ ନେଇ ସ୍ୟାଟ୍‍ରେ ପଡିଥିବା ବାକିଆ ମାମଲାର ଫଏସଲା ସହିତ ଚାକିରି ସଂକ୍ରାନ୍ତୀୟ ଅନ୍ୟାନ୍ୟ ନୂଆ ମାମଲାର ବିଚାର କରାଯାଇ ପାରିଲେ ଏହି ବୋଝ ହାଲକା ହୋଇପାରିବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here