Home Excise ବିକ୍ରି ମଦରୁ ଅଧା ବିୟର

ବିକ୍ରି ମଦରୁ ଅଧା ବିୟର

ଭୁବନେଶ୍ୱର : ଓଡିଶାରେ ବର୍ଷକୁ ୨୫ କୋଟି ଲିଟରରୁ ଅଧିକ ପରିମାଣର ମଦ ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ବିକ୍ରୟ କରାଯାଉଛି । ଏଥି ମଧ୍ୟରୁ ବିୟରର ପରିମାଣ ପ୍ରାୟ ଅଧା ।

ଗତ ଆର୍ଥିକ ବର୍ଷରେ ଓଡିଶାରେ ୧୨୦୯.୬୭ ଲକ୍ଷ ଲିଟର ବିୟର ବିକ୍ରୟ ହୋଇଥିବାବେଳେ ବିଦେଶୀ ମଦ ବିକ୍ରି ହୋଇଛି ୫୮୩.୪୪ଲକ୍ଷ ଲିଟର । ଏହାଛଡା ଆମ ରାଜ୍ୟରେ ଉକ୍ତ ସମୟରେ ୬୪୪ଲକ୍ଷ ଲିଟର ମହୁଲି ମଦ ବିକ୍ରୟ କରାଯାଇଥିବାବେଳେ ୮୪.୩୭ଲକ୍ଷ ଲିଟର ଦେଶୀ ମଦ ବି ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ଖାଉଟିମାନଙ୍କୁ ଯୋଗାଯାଇଛି ।

ବର୍ଷକୁ ବର୍ଷ ମଦୁଆଙ୍କ ସଂଖ୍ୟା ବଢୁଥିବାବେଳେ ଏଥିସହ ତାଳଦେଇ ମଦ ବେପାର ବି ବୃଦ୍ଧି ପାଇବାରେ ଲାଗିଛି । ଗତ ଆର୍ଥିକ ବର୍ଷରେ ଆମ ରାଜ୍ୟରେ ୫୦୯ଟି ମହୁଲି ମଦ ଦୋକାନ ଓ ତାହାର ୧୨୪୦ଟି ଶାଖା ଦୋକାନ ଥିଲା । ଏହାଛଡା ୬୭୩ଟି ଠିପି ଖୋଲା ମଦ ଦୋକାନ ଚାଲୁଥିବାବେଳେ ୪୬ଟିବିୟର ପାର୍ଲର, ୧୯ଟି ଠିପିଖୋଲା କ୍ଲବ, ୩୫ଟି ମିଲିଟାରୀ କ୍ୟାଣ୍ଟିନ, ୫୧ଟି ତାଡି ଓ ୧୧୬୩ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ମଧ୍ୟ ରହିଥିଲା । ଏହାଛଡା ୪୪୬ଟି ଠିପି ଖୋଲା ରେଷ୍ଟୁରାଣ୍ଟ ଓ ୧୯୩ଟି ହୋଟେଲରେ ମଧ୍ୟ ବିଦେଶୀ ମଦ ପରିବେଷଣ ପାଇଁ ବ୍ୟବସ୍ଥା ଥିଲା ।

ମଦୁଆଙ୍କ ଚାହିଦା ଓ ବଢି ଚାଲୁଥିବା ମଦ ବ୍ୟବସାୟକୁ ଆଖିଆଗରେ ରଖି ରାଜ୍ୟରେ ମଦ ଦୋକାନ ସଂଖ୍ୟା ବଢି ଚାଲିଛି । ଏବେ ରାଜ୍ୟରେ ଚାରି ହଜାରରୁ ଅଧିକ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି । ଅନ୍ୟ ପକ୍ଷରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପ୍ରତି ସପ୍ତାହରେ ଚୋରା ମଦ ଧରାପଡୁଛି । ଯେଉଁ ମାତ୍ରାରେ ଗାଁ ଗହଳରୁ ରାଜଧାନୀ ପର୍ଯ୍ୟନ୍ତ ମଦୁଆଙ୍କ ଦୌରାତ୍ମ୍ୟ ବଢୁଛି ସେଥିରୁ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡିକରେ ଯେତେ ମଦ କାରବାର ହେଉଛି ତାହାର ଢେର ଗୁଣ ଅଧିକ ମଦ ନିଶାଡିମାନେ ସେବନ କରୁଥିବା ଆଶଙ୍କା କରାଯାଉଛି ।

ଅବକାରୀ ଆଇନ୍‍ରେ ନିଶା ନିବାରଣ କଥା ଲେଖାଯାଇଛି ଏବଂ ନିଶାପ୍ରତି ସତର୍କ ରହିବାଲାଗି ସଚେତନା ସୃଷ୍ଟି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ କିଛି ଅର୍ଥ ବ୍ୟୟ କରୁଛନ୍ତି । ଏହାଛଡା ସବୁ ଜିଲ୍ଲାରେ ନିଶାମୁକ୍ତି କେନ୍ଦ୍ରମାନ ଖୋଲାଯାଇ ସେଥିରେ ବି କିଛି ଅଭ୍ୟାସଗତ ନିଶାଡିଙ୍କୁ ନିଶାମୁକ୍ତ କରିବାପାଇଁ ଚାଲିଥିବା ପ୍ରୟାସରେ ବି ସରକାର କିଛି ଅର୍ଥ ଖର୍ଚ୍ଚ କରୁଛନ୍ତି । ଏସବୁ ସଚେତନତା ସତ୍ୱେ ମଦ ସମେତ ଅନ୍ୟାନ୍ୟ ନିଶା ବ୍ୟବହାର ବଢି ବଢି ଚାଲିଛି ।

ବରିଷ୍ଠ ଅଧିକାରୀମାନେ କହୁଛନ୍ତି ଯେ ନିଶାର ଭୟାବହତା ସମ୍ପର୍କରେ ସରକାର ସଚେତନ ଅଛନ୍ତି । ଲୋକେ ନିଜ ଆଡୁ ନିଶା ଛାଡିଦେଲେ ସେମାନଙ୍କୁ କେହି ମଦ କି ଅନ୍ୟାନ୍ୟ ନିଶା ସାମଗ୍ରୀ କିଣିବାପାଇଁ ବାଧ୍ୟ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ନିଶାଡିମାନଙ୍କ ଚାହିଦା ମେଣ୍ଟାଇବା ଲାଗି ଆବଶ୍ୟକ ପଡୁଥିବା ବିଶୁଦ୍ଧ ମଦ ଯଦି ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକ ମାଧ୍ୟମରେ ଯୋଗାନଯାଏ ତେବେ ଚୋରା ମଦର କାରବାର ବୃଦ୍ଧି ପାଇ ଭୟଙ୍କର ମଦମୃତ୍ୟୁ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।

୧୯୯୦ ମସିହା ବେଳକୁ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ବାର୍ଷିକ ୪୦କୋଟି ଟଙ୍କାରୁ କମ୍‍ ଥିବାବେଳେ ୨୦୦୦ ମସିହା ବେଳକୁ ଏହା ପ୍ରାୟ ୧୩୬ କୋଟି ଟଙ୍କାରେ ସୀମିତ ଥିଲା । ତେବେ ୨୦୧୨ ମସିହାରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ପାଖାପାଖି ୧୩୮୦ କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୬୪୫୫ କୋଟି ଟଙ୍କାକୁ ଟପିଥିଲା । ୨୦୨୩-୨୪ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପ୍ରାୟ ୭୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । (ତଥ୍ୟ)