Home General ବିକ୍ରି କମୁଛି ଲାଭ ବଢୁଛି

ବିକ୍ରି କମୁଛି ଲାଭ ବଢୁଛି

ଭୁବନେଶ୍ୱର : ଗତ ତିନି ବର୍ଷ ମଧ୍ୟରେ ବୟନିକାର ଲୁଗା ଓ ସୂତା ବିକ୍ରି କମୁଥିବାବେଳେ ଏହି ସଂସ୍ଥାର ଲାଭ କିନ୍ତୁ ବଢିବାରେ ଲାଗିଛି । ତିନି ବର୍ଷରେ ବୟନିକା ୧୦ କୋଟି ଟଙ୍କାରୁ ଅଧିକ ନିଟ୍‍ ଲାଭ କରିଛି ।

ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଲଗାତାର ବୟନିକାର ଲୁଗା ବିକ୍ରି ୨୦୧୮-୧୯ ବର୍ଷରେ ୯୩ କୋଟି ୫ଲକ୍ଷ ଟଙ୍କା ଥିବାବେଳେ ୨୦୨୦-୨୧ ରେ ଏହା ୭୩କୋଟି ୨୪ଲକ୍ଷ ୮୦ହଜାର ଟଙ୍କାକୁ ହ୍ରାସ ପାଇଛି । ସେହିଭଳି ସୂତା ବିକ୍ରି ମଧ୍ୟ ଗତ ତିନିବର୍ଷ ଧରି କମିବାରେ ଲାଗିଛି ।

୨୦୧୮-୧୯ ବର୍ଷରେ ବୟନିକା ୨୩କୋଟଇ ୫୯ଲକ୍ଷ ଟଙ୍କାର ସୂତା ବିକ୍ରି କରିଥିବାବେଳେ ୨୦୧୯-୨୦ ବର୍ଷୋର ଏହା ୧୭କୋଟି ୫୩ଲକ୍ଷ ୯୦ହଜାର ଟଙ୍କାକୁ ହ୍ରାସ ପାଇଥିଲା । ୨୦୨୦-୨୧ ବର୍ଷରେ ସୂତା ବିକ୍ରି ପରିମାଣ ୧୫କୋଟି ୮୧ଲକ୍ଷ ଟଙ୍କାକୁ ହ୍ରାସ ପାଇଥିଲା । ଉଭୟ ଲୁଗା ଓ ସୂତା ବିକ୍ରି ପରିମାଣ ତିନି ବର୍ଷରେ ୧୧୬କୋଟି ୬୬ଲକ୍ଷ ଟଙ୍କାରୁ ହ୍ରାସ ପାଇ ୮୯ କୋଟି୫ଲକ୍ଷ ଟଙ୍କାରେ ପହଞ୍ଚିଛି ।

ହେଲେ ବୟନିକାର ଲାଭ କିନ୍ତୁ ବଢି ବଢି ଚାଲିଛି । ୨୦୧୮-୧୯ ବର୍ଷରେ ବୟନିକାର ନିଜସ୍ୱ ଲାଭ ପରିମାଣ ୧କୋଟି ୧୫ଲକ୍ଷ ୩୬ହଜାର ଟଙ୍କା ଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୪କୋଟି ୩୨ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୦-୨୧ ବର୍ଷରେ ଲାଭ ପରିମାଣ ବୃଦ୍ଧି ପାଇ ୪କୋଟି ୬୩ଲକ୍ଷ ଟଙ୍କାକୁ ଟପିଯାଇଛି । ସେହିଭଳି ଗଚ୍ଛିତ ଲାଭ ପରିମାଣ ମଧ୍ୟ ତିନି ବର୍ଷରେ ଲଗାତାର ଭାବେ ବୃଦ୍ଧି ପାଇ ୩୧ କୋଟି ଟଙ୍କାରୁ ୩୯କୋଟି ଟଙ୍କାରେ ପହଞ୍ଚିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)