Home Education ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ

ବିକାଶକୁ ନିୟନ୍ତ୍ରିତ କରିବା ଜରୁରୀ

ଭୁବନେଶ୍ୱର : ପରିବେଶ ଜନିତ ଦୁର୍ଦ୍ଦଶା ଏବଂ ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୃଥିବୀର ତାପମାତ୍ରା ୨୦୨୫ ବେଳକୁ ଅଧିକ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏଭଳି ପରିସ୍ଥିତିରୁ ପରିବେଶକୁ ସୁରକ୍ଷା ରଖିବା ନିମନ୍ତେ ସମସ୍ତ ପ୍ରକାର ଗଠନମୂଳକ ପ୍ରୟାସ କରିବାର ଆବଶ୍ୟକତା ରହିଛି ବୋଲି ଶନିବାର ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସ୍‌ନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍‌)ର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି. ଅମିତ ସ୍ଥାଲେକର ମତ ବ୍ୟକ୍ତ କରିଛନ୍ତି ।

ଯଦି ପୃଥିବୀର ତାପମାତ୍ରା ବଢ଼ି ଚାଲିବ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ପ୍ରୟାସ କରାଯିବ ନାହିଁ ତେବେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସହ ସମୁଦ୍ର ପତନ ବୃଦ୍ଧି ପାଇବ ଏବଂ ଏହା ଦ୍ୱାରା ମୁମ୍ବାଇ ଓ କୋଲକାତା ଭଳି ଉପକୂଳ ସହର ସମୁଦ୍ରରେ ଲୀନ ହୋଇଯିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ), ଏନ୍‌ଜିଟି ଓ ଓଡ଼ିଶା ଷ୍ଟେଟ୍ ଲିଗାଲ ସର୍ଭିସେସ୍ ଅଥରିଟିର ମିଳିତ ସହଯୋଗରେ ଆୟୋଜିତ ଓଡ଼ିଶା ଏନ୍‌ଭାଇରନ୍‌ମେଂଟ କଂଗ୍ରେସ୍ -୨୦୨୨ରେ ଜଷ୍ଟିସ୍ ସ୍ଥାଲେକର ଏହା କହିଛନ୍ତି ।

ବିକାଶମୂଳକ କାର୍ଯ୍ୟ ଯୋଗୁଁ ପରିବେଶରେ ସମସ୍ୟା ସୃଷ୍ଟି ହେଉଛି ତେଣୁ ସମୁଦ୍ର ବେଳାଭୂମିରେ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ ଉଲଂଘନ କରି ନିର୍ମାଣ ହେଉଥିବା ରିସୋର୍ଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ଯଦିଓ ସିଆର୍‌ଜେଡ୍ ନିୟମ ଅନୁଯାୟୀ ବେଳାଭୂମିର ୫୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନିମନ୍ତେ ଅନୁମତି ଦିଆଯାଇ ନାହିଁ ତେବେ ସମୁଦ୍ର କୂଳରେ ଅନେକ ନିର୍ମାଣ କାର୍ଯ୍ୟ କରାଯାଉଛି । ଯାହା ଦ୍ୱାରା ସମୁଦ୍ର ଅଧିକ ଗଭୀର ହେଉଛି ଏବଂ ବେଳାଭୂମି ସଂକୀର୍ଣ୍ଣ ହୋଇଯାଉଛି । ଏହା ବେଳାଭୂମି ବିଲୁପ୍ତ ହେବା ଆଡକୁ ମଧ୍ୟ ଗତି କରୁଛି ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜଷ୍ଟିସ୍ ସ୍ଥାଲେକର କହିଛନ୍ତି ।

କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ଆମେ ପରିବେଶ ସହିତ ଖେଳିପାରିବା ନାହିଁ । ତେଣୁ ଆମ ଚାରିପଟେ ହେଉଥିବା ପରିବେଶର ଅବକ୍ଷୟ ବିଷୟରେ ସଜାଗ ଏବଂ ସଚେତନ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜାତୀୟ ସବୁଜ ପ୍ରାଧିକରଣର ବିଶେଷଜ୍ଞ ସଦସ୍ୟ ଶ୍ରୀ ଶୈବାଳ ଦାସଗୁପ୍ତ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ପ୍ଲାଷ୍ଟିକ ଏବଂ ପଲିଥିନ୍ ବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେବାକୁ ଜଷ୍ଟିସ୍ ସ୍ଥାଲେକର ମତ ଦେଇଥିଲେ ।

ଆଧୁନିକତା ଆମକୁ ବହୁ ମାତ୍ରାରେ ପ୍ରଭାବିତ କରୁଥିବା ବେଳେ ମାଟିପାତ୍ର ଭଳି ସାମଗ୍ରୀ ଆମେ ଭୁଲି ଯିବାକୁ ବସିଲୁଣୁ । ତେବେ ଆମକୁ ବର୍ତମାନ ପୁରାତନ ଯୁଗକୁ ଫେରିଯିବା ଉଚିତ୍ ଯେଉଁ ସମୟରେ ବିଭିନ୍ନ ସାମଗ୍ରୀ ଆଣିବା ନିମନ୍ତେ ମଣିଷ କାଗଜ ବ୍ୟାଗ ବ୍ୟବହାର କରୁଥିଲା । ମାଟିପାତ୍ର ବ୍ୟବହାର କରିବା ଦ୍ୱାରା କେବଳ ଯେ ଅଧିକ ନିଯୁକ୍ତି ଦେଇ ହେବ ତା’ନୁହେଁ ଆମେ ପ୍ରକୃତିକୁ ଫେରିପାରିବା । ଆମେ ପ୍ରକୃତିକୁ କଷ୍ଟ ଦେଲେ ସେ ଆମକୁ ମଧ୍ୟ କଷ୍ଟ ଦେବ ବୋଲି ସେ କହିଥିଲେ ।

ଶ୍ରୀ ଦାସଗୁପ୍ତ କହିଥିଲେ ଯେ ଆମ ଦେଶରେ ବର୍ଷକୁ ୫୨.୯୦ ମିଲିୟନ୍ ଟନ୍‌ର ସଲିଡ ୱେଷ୍ଟ ବାହାରୁଥିବା ବେଳେ ଏହା ମଧ୍ୟରୁ କେବଳ ୫.୬ ମିଲିୟନ୍ ଟନ୍ ହେଉଛି ପ୍ଲାଷ୍ଟକ୍ ୱେଷ୍ଟ । ଏଥିରୁ ୭୮ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗୃହୀତ ହେଉଥିôବା ବେଳେ ବାକି ୨୨ ପ୍ରତିଶତ ଆବର୍ଜନା ସୃଷ୍ଟି କରୁଛି ।ଏଭଳି ପରିବେଶ ମଧ୍ୟରେ ଭଲ ଖବର ହେଉଛି ଭାରତ ହେଉଛି ବିଶ୍ୱର ୧୦ଟି ଦେଶ ମଧ୍ୟରେ ଅନ୍ୟତମ ଯେଉଁଠାରେ କି ପ୍ରଭୃତ ଜଂଗଲ ରହିଛି । ଦେଶର ଭୂଭାଗର ୨୪.୬ ପ୍ରତିଶତ ଜଙ୍ଗଲ ଅଂଚଳ ରହିବା ସହ ୯୯, ୭୭୯ ବର୍ଗ କିମି ଘଂଚ ଜଙ୍ଗଲ ରହିଛି ବୋଲି ଶ୍ରୀ ଦାସଗୁପ୍ତା କହିଥିଲେ ।

ଇତିମଧ୍ୟରେ ଓଡ଼ିଶାରେ ସମୁଦାୟ ଜଙ୍ଗଲ ୫୩୭ ବର୍ଗ କିମି ବୃଦ୍ଧି ପାଇଛି ଯାହା ଉତ୍ସାହଜନକ । ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାସଗୁପ୍ତ କହିଛନ୍ତି ଯେ ସେମାନଙ୍କ ଉପରେ ନିର୍ଭର କରୁଛି ସେମାନେ କିପରି ଜାଗ୍ରତ ପ୍ରହରୀ ହୋଇ ପରିବେଶର ସୁରକ୍ଷା କରିବେ ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ପ୍ରଫେସର ବାସୁଦେବ ବେହେରା ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ପ୍ରଫେସର ଆଦିତ୍ୟ କିଶୋର ଦାସ ବକ୍ତବ୍ୟ ରଖିଥିଲେ । ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here