Home General ବିଏମ୍‍ସିର ଜୀବେ ଦୟା

ବିଏମ୍‍ସିର ଜୀବେ ଦୟା

ଭୁବନେଶ୍ୱର : ଚଳିତ ଲକ୍‌ଡ଼ାଉନ୍‌ରେ ମଧ୍ୟ ଜୀବେଦୟା ଭାବକୁ ମନେ ପକାଇ ଭୁବନେଶ୍ୱର ମହାନଗର ଇଲାକାରେ ଆରମ୍ଭ ହୋଇଛି ବୁଲା ଗାଈଗୋରୁ, ଷଣ୍ଢ ଏବଂ କୁକୁରଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ମଇ ମାସ ୫ ତାରିଖରୁ ଆରମ୍ଭ ହୋଇଥିବା ଏବଂ ୧୯ ତାରିଖ ପର୍ଯ୍ୟନ୍ତ ବଳବତର ଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧରୀ । ଓଡ଼ିଶା ସରକାରଙ୍କ ଏ ସଂକ୍ରାନ୍ତିୟ ନିର୍ଦ୍ଦେଶନାମାକୁ ଭିତିକରି ଏହି ନିଷ୍ପତି ନିଆଯାଇଛି ।

କାର୍ଯ୍ୟକ୍ରମକୁ ଗୋଷ୍ଠୀ ଅଭିମୁଖିକରି ଅଧିକରୁ ଅଧିକ ନାଗରିକ ଏଥିରେ କିପରି ସହଯୋଗ କରିବେ ସେଥିପାଇଁ ପଶୁ ସମ୍ବଳ ବିକାଶ ପାଇଁ କାର୍ଯ୍ୟ କରୁଥିବା ତିନୋଟି ସ୍ୱେଚ୍ଛାସେବୀ ସଂଗଠନକୁ ଏହି ଦାୟିତ୍ୱ ଦିଆଯାଇଛି । ସଂଗଠନ ଗୁଡିକ ହେଲେ, ରିହାବିଟେଟ୍ ଫାଉଣ୍ଡେସନ୍ (ଦକ୍ଷିଣ ପଶ୍ଚିମ ଜୋନ୍‌) ଆଳାପ( ଉତର ଜୋନ୍‌) ଏବଂ ପିପୁଲ୍ ଫର୍ ଆନିମଲ୍‌(ଦକ୍ଷିଣ ପୂର୍ବ ଜୋନ୍‌)ପାଇଁ ।

ଏହାର ତଦାରଖ ଓ ସମୀକ୍ଷା ପ୍ରକ୍ରିୟାକୁ ମଧ୍ୟ ଅଂଶଗ୍ରହଣ ଭିତିକ କରାଯାଇଛି । ପ୍ରାଣୀମାନଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତିଠାରୁୁ ଆରମ୍ଭ କରି ବଣ୍ଟନ ଏବଂ ଦୈନିକ ଗାଡିରେ ଯିବା, ଦୁଇବେଳା ଖାଦ୍ୟ ଦେବା, ଖାଦ୍ୟର ଓଜନ ଦେଖିବା, ଧାର୍ଯ୍ୟ ପରିମାଣର ଖାଦ୍ୟ ଦେବା ଇତ୍ୟାଦି ଅର୍ନ୍ତଭୁ୍‌କ୍ତ ।

ପ୍ରତ୍ୟହ ଦୁଇବେଳା ଖାଦ୍ୟରେ ୭.୫ କୁଇଣ୍ଟାଲ କୁକୁର ମାନଙ୍କ ରନ୍ଧା ଖାଦ୍ୟ ଏବଂ ଷଣ୍ଢମାନଙ୍କ ପାଇଁ ୩ କୁଇଣ୍ଟାଲ ଦିଆଯାଉଥିବାବେଳେ ଏହି ବାବଦରେ ସମୁଦାୟ କୋଡିଏ ହଜାର ଟଙ୍କା ବ୍ୟୟ ହେଉଛି, ଯାହାକୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ବହନ କରିବେ ।

ତେବେ ଦିନକୁ ଦୁଇବେଳା ଦିଆଯାଉଥିବା ଏହି ଖାଦ୍ୟର ପରିବହନ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ନିୟୋଜିତ ଗାଡିକୁ ବ୍ୟବହାର କରାଯାଉଛି । ଖାଦ୍ୟର ମାନକୁ ଦେଖିବା ପାଇଁ ନିୟମିତଭାବେ ସଂପୃକ୍ତ ସବ୍‌ଡିଭିଜିଓନାଲ୍ ପ୍ରାଣୀ ଅଧିକାରୀ ଏହାର ଦାୟିତ୍ୱ ନେଇ ନିୟମିତ ଯାଂଚ କରୁଛନ୍ତି ।

ସାଂପ୍ରତିକ ପରିସ୍ଥିତିକୁ ଧ୍ୟାନଦେଇ କରାଯାଉଥିବା ବୁଲା ଷଣ୍ଢ, ଗାଈଗୋରୁ ଏବଂ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଅନେକଙ୍କର ଏକ ଆଚରଣଗତ ଅଭ୍ୟାସ । ଯେହେତୁ ବର୍ତମାନ ପରିସ୍ଥିତରେ ବିଶେଷକରି ବଜାର ଅଂଚଳରେ ବୁଲୁଥିବା ପଶୁମାନଙ୍କର ଖାଦ୍ୟାଭାବ ଦେଖାଦେଇଛି ତେଣୁ ସେମାନଙ୍କ ଖାଦ୍ୟାଭାବ ମେଣ୍ଟାଇବାପାଇଁ ସରକାରଙ୍କ ନିର୍ଦେଶରେ ବି ଏମ୍ ସି କର୍ତୃପକ୍ଷ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ଆରମ୍ଭ କରିଛନ୍ତି ।