Home General ବିଏମ୍‍ସି ପାର୍କିଂ ପାଇଁ ଲୋକେ ନୟାନ୍ତ

ବିଏମ୍‍ସି ପାର୍କିଂ ପାଇଁ ଲୋକେ ନୟାନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ପାର୍କିଂ ଜରିଆରେ ଅର୍ଥ ଆଦାୟ ନିଶା ଯୋଗୁଁ ରାଜଧାନୀବାସୀ ଏବେ ହନ୍ତସନ୍ତ । ସହରର ଅନ୍ୟ କେଉଁଠାରେ ନୁହେଁ, ଏଜି ଛକରେ ଥିବା ଟ୍ରାଫିକ ଥାନା ଠାରୁ କେଇହାତ ଦୂରରେ ରାସ୍ତା ଉପରେ ବିଏମ୍‍ସି ଗାଡିମୋଟର ପାର୍କିଂ କରି ଲୋକଙ୍କୁ ହଟହଟା କରୁଛି ।

ବିଏମ୍‍ସି ଏବେ ଏଜିଛକରୁ ରାଜମହଲ ପର୍ଯ୍ୟନ୍ତ ଲମ୍ବିଥିବା ଦୁଇପଟ ସଡକ ଉପରେ ଗାଡି ପାର୍କିଂ ପାଇଁ ଅନୁମତି ଦେଇଛି । ଦୁଇ ପଟରେ ଥିବା ହାଟ ବଜାରକୁ ଯାଉଥିବା ଲୋକେ ରାସ୍ତା ଉପରେ ଅବାଧରେ ଚାରି ଚକିଆ ଓ ଦୁଇ ଚକିଆ ପାର୍କିଂ କରି ଯାଉଛନ୍ତି । ଏଥିପାଇଁ ଅବଶ୍ୟକ ସେମାନେ ବିଏମ୍‍ସିର ଆଦାୟକାରୀଙ୍କୁ ଫି ଦେଉଛନ୍ତି । ହେଲେ ଏହି ସଡକର ଗୋଟିଏ କଡରେ ଗାଡି ପାର୍କିଂ ଯୋଗୁଁ ରାସ୍ତାଟି ଅଣଓସାରିଆ ହୋଇଯାଉଛି ।

ଏଥିଯୋଗୁଁ ଦିନବେଳା ଅଫିସ ସମୟ ବିଶେଷକରି ୧୦ଟାରୁ ୧୧ଟା ଓ ସଂଧ୍ୟା ସମୟରେ ଏହି ରାସ୍ତାରେ ଗାଡିମୋଟର ତ ଦୂରରକଥା ସାଇକେଲଟିଏ ବି ନେଇ ଯାଇ ହେଉନାହିଁ । ରାଜମହଲରୁ ଏଜି ଓ ଏଜିରୁ ରାଜମହଲ ଗାଡି ଜାମ୍‍ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ବିଏମ୍‍ସିର ପାର୍କିଂ ବ୍ୟବସ୍ଥା । କାରଣ ଚାରି ଚକିଆ ଗାଡି ପାର୍କିଂ କରି ହାଟକୁ ଯାଇଥିବା ଲୋକେ ଯେତେବେଳେ ନିଜ ଗାଡିକୁ ରାସ୍ତା ଉପରକୁ ବାହାର କରୁଛନ୍ତି ସେତେବେଳେ ସେହି ଅଣଓସାରିଆ ରାସ୍ତାଟି ଏକ ପ୍ରକାର ଅବରୋଧ ହୋଇଯାଉଛି । ଫଳରେ ପଛକୁ ପଛ ଶହ ଶହ ଗାଡି ଅଟକି ରହୁଛି ।

ଅବସ୍ଥା ଏଭଳି ହେଉଛି ଯେ ରାଜମହଲରୁ ଏଜି ଛକ ଅତିକ୍ରମ କରିବାପାଇଁ ଅତି କମ୍‍ରେ ଅଧାଘଣ୍ଟା ସମୟ ଲାଗିଯାଉଛି । ଯିଏ ଯେଉଁବାଟେ ପାରୁଛି ରାସ୍ତାରେ ଗହଳି କରୁଛି । ବିଏମ୍‍ସିର ଗାଡି ପାର୍କିଂ ସାଙ୍ଗକୁ ଠେଲାଗାଡିରେ ଉଠା ଦୋକାନୀଙ୍କ ଭିଡ ବି ରାଜଧାନୀବାସୀଙ୍କ ପାଇଁ ସମସ୍ୟା ହୋଇଛି ।

କିଛିଦିନ ତଳେ ରାଜଧାନୀର ନୂଆ ଟ୍ରାଫିକ ଡିସିପି ଦାୟିତ୍ୱ ସହିତ ବିଭିନ୍ନ ଟ୍ରାଫିକ ଛକ ଗସ୍ତ କରି ବାମପଟ ରାସ୍ତା ଅବରୋଧ ନକରିବାପାଇଁ ଚେତାବନୀ ଦେଇଥିଲେ । ବିଭିନ୍ନ ଟ୍ରାଫିକ ଛକରେ ବି ଏ ନେଇ ମାଇକରେ ପ୍ରଚାର ସହିତ ଛକ ସ୍ଥାନରେ ବାମପଟେ ପ୍ଲାଷ୍ଟିକ ଖମ୍ବ ରଖାଯାଇଛି । ହେଲେ ଏହାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ଅନ୍ୟ ସ୍ଥାନ ତ ଦୂରରକଥା ଖୋଦ ଏଜି ଛକ ଉପରେ ସଂଧ୍ୟା ସମୟରେ ଛକର ବାମପଟେ କିଭଳି ଅବସ୍ଥା ସୃଷ୍ଟି ହେଉଛି ତାହା ଟ୍ରାଫିକ ଅଧିକାରୀମାନେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।

ରାଜଧାନୀର ରାସ୍ତାଘାଟକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଚକଚକିଆ କରୁଥିବାବେଳେ ବିଏମ୍‍ସି ଏଠାରେ ତାହା ପାର୍କିଂ ସ୍ଥାନ ସୃଷ୍ଟି କରୁଛି । ତେବେ ଅନ୍ୟ ରାସ୍ତା ନୁହେଁ, ଖୋଦ୍‍ ଏଜି ଛକରୁ ରାଜମହଲ ରାସ୍ତାର ଦୁଇପଟେ ବିଏମ୍‍ସି ବ୍ୟବସାୟ ନକରିବା ଏବଂ ଅବ୍ୟବହୃତ ହୋଇ ପଡିଥିବା ଏହି ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଗାଡି ପାର୍କିଂ ପାଇଁ ସୁବିଧା କରିବାକୁ ସାଧାରଣଲୋକେ ମତ ଦେଉଛନ୍ତି । (ତଥ୍ୟ)