Home General ବିଏମସିର ନୂଆ ଟୋଲ୍ ଫ୍ରି ନମ୍ବର

ବିଏମସିର ନୂଆ ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର : ସଫାଇ ମିତ୍ର କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) । ଦେଶରେ ସଫାଇ ମିତ୍ର କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥବା ବେଳେ ବିଏମ୍‍ସିରେ ଏହାକୁ ଯଥାଶୀଘ୍ର ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ନାଗରିକ ମାନଙ୍କୁ ପ୍ରକୃଷ୍ଠ ସୂଚନା ଦେଇ ସେମାନଙ୍କୁ ସମାଧାନର ଭାଗୀଦାର କରିବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଅଧିନରେ ଜାରି ହୋଇଛି ଦେୟମୁକ୍ତ ଫୋନ୍ସେବା-୧୪୪୨୦ ।

ତେବେ ଏହି ଫୋନସେବାକୁ ପ୍ରଥମ କରି ଲାଗୁ କରିବାରେ ଅନ୍ୟତମ ସଂସ୍ଥା ହେଉଛନ୍ତି ଭୁବନେଶ୍ୱର ମହାନଗର ନିଗମ । କାର୍ଯ୍ୟକ୍ରମ ଅନୁସାରେ ସହରରେ ଥିବା ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ଲାଇନର ସୁରକ୍ଷିତ ସଫେଇକୁ ପ୍ରୋତ୍ସାହନ କରିବା, ଏଗୁଡ଼ିକର ଯାନ୍ତ୍ରିକ ସଫେଇକୁ ଆଗେଇନେବା ଏବଂ ବିପଦପୂର୍ଣ୍ଣ ସଫେଇକୁ ନିରୁତ୍ସାହିତ କରିବା ପାଇଁ ତଥା ଏହି ସଫେଇ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ନାଗରିକମାନେ ଉକ୍ତ ଟୋଲ୍ ଫ୍ରି ନମ୍ବରର ଅହରାତ୍ର ସେବାର ସୁଯୋଗ ନେବାକୁ ମହାନଗର ନିଗମ ତରଫରୁ ନିବେଦନ କରାଯାଇଛି ।

ସୂଚନାଯୋଗ୍ୟ କି, ଏହି ଟୋଲ୍ ଫ୍ରି ନମ୍ବର୍ ଟିକୁ ଭୁବନେଶ୍ୱର ମହାନଗର ନିଗମର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ସହିତ ଲିଙ୍କ୍ କରାଯାଇଅଛି, ଯଦ୍ୱାରା ନାଗରିକମାନେ କୌଣସି ପ୍ରକାରର ସନ୍ଦେହରେ ରହିବେ ନାହିଁ । ଅନ୍ୟ ପକ୍ଷରେ ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ଲାଇନ୍ ର ନିରାପଦ ମଳ ନିସ୍ତାରଣକୁ ଉତ୍ସାହିତ କରିବାକୁ ନାଗରିକ ମାନଙ୍କର ଆଚରଣଗତ ପରିବର୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଅଧିନରେ ଅନେକ ଶିକ୍ଷା ସୂଚନା ଏବଂ ଯୋଗାଯୋଗ ବା ଆଇ.ଇ.ସି ପଦକ୍ଷେପ ନେବାକୁ କୁହାଯାଇଅଛି ।

କାର୍ଯ୍ୟକ୍ରମ ଅଧିନରେ ରହିଥିବା ସେବା ଗୁଡ଼ିକ ହେଉଛି ସୂଚନା ପ୍ରଦାନ, ଅହରାତ୍ର ଟୋଲ୍ ଫ୍ରି ସେବା ଉପଲବ୍ଧ, ରିଅଲ୍ ଟାଇମ୍ ବା ନିର୍ଦ୍ଧିଷ୍ଟ ସମୟରେ କେତେ ଅଭିଯୋଗ ଏବଂ କେତେ ସମାଧାନ ହୋଇଛି ସେ ସମ୍ବନ୍ଧୀୟ ବ୍ୟବସ୍ଥା, ଯଦି ଅଭିଯୋଗ ସମାଧାନ ହୋଇନାହିଁ ତେବେ ଏହାକୁ କ୍ଲୋଜ୍ କରାଯାଇ ପାରିବ ନାହିଁ ଇତ୍ୟାଦି ବ୍ୟବସ୍ଥା ରହିଛି ।

ଏଥିରେ ନାଗରିକମାନେ ଅଧିକରୁ ଅଧିକ ଅଂଶଗ୍ରହଣ କରିବା ପାଇଁ ନିୟମିତ ବ୍ୟବଧାନରେ, ବିଭିନ୍ନ ୱାର୍ଡ଼ ସ୍ତରୀୟ ଏବଂ ଜୋନ୍ ସ୍ତରୀୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମ ଯାହାକି ହେଲ୍ପଲାଇନ୍ ସମ୍ବନ୍ଧୀୟ ଧାରଣା, ସଫାଇ ମିତ୍ର (ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ଲାଇନ୍ ର ସଫେଇ ଦାୟିତ୍ୱରେ ଥିବା) ଙ୍କୁ ପ୍ରୋତ୍ସାହନ, ବେନିୟମ କାର୍ଯ୍ୟ ପାଇଁ ପଦକ୍ଷେପ, ଅଧିକରୁ ଅଧିକ ମଳ ପରିଚାଳନା ଆବଶ୍ୟକ କରୁଥିବା ସ୍ଥାନ ଗୁଡ଼ିକର ଚିହ୍ନଟିକରଣ, ରହିଥିବା ଆଇନ୍ ବ୍ୟବସ୍ଥା ବାବଦରେ ଧାରଣା ଏବଂ ନାଗରିକ ମାନଙ୍କ ଉପରେ କାର୍ଯ୍ୟକ୍ରମର ପ୍ରଭାବ ଇତ୍ୟାଦିକୁ ଜାଣିବା ପାଇଁ ଉଲ୍ଲେଖ ରହିଛି ।

ଟୋଲ୍ ଫ୍ରି ନମ୍ବର ବ୍ୟତୀତ କାର୍ଯ୍ୟକ୍ରମର ଅନ୍ୟ ଦିଗ ଗୁଡ଼ିକ ହେଲା ଏଥିରେ ସମସ୍ତ ମହାନଗର ନିଗମ ସାମିଲ୍ ହୋଇଛନ୍ତି । କାର୍ଯ୍ୟକ୍ରମ ଅଧିନରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସମୀକ୍ଷା କରାଯିବାର ବ୍ୟବସ୍ଥା ସାଙ୍ଗକୁ ଉତ୍ତମ ପରିଚାଳନା କରିଥିବା ମହାନଗର ନିଗମକୁ ସମ୍ମାନିତ କରାଯିବାର ବ୍ୟବସ୍ଥା ରହିଛି । ସୂଚନାଯୋଗ୍ୟ କି, ଉତ୍ତମ ମଳ ପରିଚାଳନା ପାଇଁ ନିକଟ ଅତୀତରେ ଭୁବନେଶ୍ୱର ମହାନଗର ନିଗମକୁ ଆଇ.ଏସ୍.ଓ ର ମାନ୍ୟତା ମିଳିଅଛି ।

ବିଶେଷ କରି ବସ୍ତିବାସିନ୍ଦାଙ୍କ ପରିମଳ ତଥା ମଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ସ୍ୱତନ୍ତ୍ର ରିହାତି ସେସପୁଲ୍ ସେବା ଯୋଗାଇ ଦିଆଯାଉଅଛି, ତେଣୁ ଭୁବନେଶ୍ୱରକୁ ଏ ଦିଗରେ ଆହୁରି ଉନ୍ନତ କରି ଆଗେଇନେବା ଓ ପରିବେଶଗତ ବିକାଶକୁ ନିଶ୍ଚିତ କରାଇବାରେ ବିଏମସି ନିରନ୍ତର ନାଗରିକ ସହଯୋଗ ଆଶା କରୁଛି ବୋଲି କହିଛନ୍ତି ଡ଼େପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ ।

LEAVE A REPLY

Please enter your comment!
Please enter your name here