Home Finance ବିଏଚ୍‍ ସିରିଜ ପାଇଁ ଟିକସ କମିବା ଆଶଙ୍କା

ବିଏଚ୍‍ ସିରିଜ ପାଇଁ ଟିକସ କମିବା ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ଭାରତ ସିରିଜର ଗାଡି ପଞ୍ଜିକରଣ ଚଳିତମାସ ୧୫ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏଥିଯୋଗୁଁ ମୋଟରଯାନ ଟିକସ ଆଦାୟ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହେଲାଣି । କାରଣ ଏହି ସିରିଜରେ ଗାଡି ପଞ୍ଜିକରଣ କରୁଥିବା ଅନେକ ଯାନ ମାଲିକ ଏବେ ସରକାରଙ୍କୁ ୧୫ବର୍ଷ ବଦଳରେ ମାତ୍ର ୨ବର୍ଷର ଟିକସ ଧରାଇବେ ।

କେନ୍ଦ୍ର ସରକାର ଆରମ୍ଭ କରିଥିବା ଭାରତ ସିରିଜ ଗାଡି ପଞ୍ଜିକରଣ ବ୍ୟବସ୍ଥା ଚଳିମାସ ୧୫ତାରିଖରୁ ଓଡିଶାରେ କାର୍ଯ୍ୟକାରୀ ହୋଇଛି । ତଦନୁଯାୟୀ ସେନା ଅଧିକାରୀ, ୪ରୁ ଅଧିକ ରାଜ୍ୟରେ ଦପ୍ତର ଥିବା ସଂସ୍ଥାର କର୍ମଚାରୀ, ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ ବ୍ୟକ୍ତି ହଇରାଣରୁ ରକ୍ଷା ପାଇବାପାଇଁ ଭାରତ ସିରିଜରେ ପଞ୍ଜିକରଣ କ୍ଷେତ୍ରରେ ପ୍ରାଥମିକତା ପାଇବେ । ତେବେ ବେସରକାରୀ ସଂସ୍ଥାର କର୍ମଚାରୀମାନେ ଅନ୍‍ଲାଇନ୍‍ ଜରିଆରେ ପରିବହନ ବିଭାଗର ଫର୍ମ ୬୦ ପୂରଣ କରିବେ । ସମସ୍ତେ ନିଜର ପରିଚୟପତ୍ର ଦେଖାଇ ଏହି ପଞ୍ଜିକରଣ ସୁବିଧା ପାଇପାରିବେ ।

ପରିବହନ ବିଭାଗ ଅଧିକାରୀଙ୍କ କହିବାକଥା ଯେ ଦୁଇବର୍ଷର ଟିକଟ ପଇଠ କରି ଗାଡି ପଞ୍ଜିକରଣ କରିଥିବା ମାଲିକମାନେ ଯଦି ଓଡିଶା ନଛାଡିଲେ ତେବେ ସେମାନଙ୍କୁ ଚିହ୍ନଟ କରିବା ଏତେ ସହଜ ନୁହେଁ । ଫଳରେ ମାତ୍ର ଦୁଇବର୍ଷର ଟିକସ ଦେଇ ବହୁ ଗାଡି ବିନା ଟିକସରେ ରାସ୍ତାରେ ଚଳାଚଳ କରିବେ । ସେହିଭଳି ଜଣେ ଜଣେ ବ୍ୟକ୍ତି ଟିକସ ଫାଙ୍କିବାପାଇଁ ନିଜ ନାମରେ ଏକାଧିକ ଗାଡି ପଞ୍ଜିକରଣ କରିବେ ।

କେନ୍ଦ୍ର ସରକାରଙ୍କର ଏହି ଭାରତ ସିରିଜ ଗାଡି ପଞ୍ଜିକରଣ ବ୍ୟବସ୍ଥା ଦେଶର ଅନ୍ୟ କେଉଁ ରାଜ୍ୟରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ଅନୁଧ୍ୟାନ ପରେ ଓଡିଶାରେ ଲାଗୁ ହୋଇଥିଲେ ଭଲ ହୋଇଥାନ୍ତା । ଯଦି ଏହାକୁ ଲାଗୁ କରିନଥିବା ଅନ୍ୟ ରାଜ୍ୟକୁ ଓଡିଶାରେ ପଞ୍ଜିକୃତ ଗାଡି ଯିବ ତେବେ ସେଠାରେ ମଧ୍ୟ ବିନା ଟିକସରେ ଚଳାଚଳ କରିବା ଏକ ପ୍ରକାର ନିଶ୍ଚିତ ।

ସେହିଭଳି ଗାଡି ପଞ୍ଜିକରଣ ଓ ନମ୍ବର ପ୍ରଦାନ କାର୍ଯ୍ୟ ଏବେ ଗାଡି ଡିଲରଙ୍କ ହାତରେ ଥିବାରୁ ଭାରତ ସିରିଜ ପଞ୍ଜିକରଣ ତାଲିକା ବର୍ଗରେ ଆସୁଥିବା ଲୋକେ ସହଜରେ ଗାଡି କିଣି ତାହାକୁ ଅନ୍ୟ ବ୍ୟକ୍ତିଙ୍କୁ ଚଳାଇବାକୁ ଦେବେ । ଦୁଇ ବର୍ଷର ଟିକସ ଦେଇ ଏହି ଗାଡି ରାସ୍ତାରେ ଗଡିବ । ଏଥିରେ ଗାଡି ବିକ୍ରେତା ଓ ସମ୍ପୃକ୍ତ କ୍ରେତାଙ୍କ ମଧ୍ୟରେ ବୁଝାମଣା ହେବ ଏବଂ ରାଜ୍ୟ ସରକାର ଟିକସ କ୍ଷତି ସହିବେ ବୋଲି ପରିବହନ ବିଭାଗର ଅଧିକାରୀମାନେ ଆଶଙ୍କା କରୁଛନ୍ତି ।

ଉଲ୍ଲେଖନୀୟ ଯେ ଭାରତ ସିରିଜ ପଞ୍ଜିକରଣ ପାଇଁ ଯେଉଁ ଟିକସ ସ୍ଲାବ ଧାର୍ଯ୍ୟ ହୋଇଛି ତଦନୁଯାୟୀ ଯଦି ଗୋଟିଏ ଗାଡିର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ କମ୍‍ ତା ହେଲେ ୮ ପ୍ରତିଶତ, ୧୦ରୁ ୨୦ଲକ୍ଷ ଟଙ୍କା ହୋଇଥିଲେ ୧୦ ପ୍ରତିଶତ ଓ ୨୦ଲକ୍ଷ ଟଙ୍କାରୁ ଅଧବକ ହୋଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ । ବିଏଚ୍‍ ସିରିଜ ନମ୍ବର କେବଳ କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ । ତେବେ ଏହି ସିରିଜ୍‍ରେ ୧୫ ବର୍ଷ ପରିବର୍ତ୍ତେ ମାତ୍ର ୨ବର୍ଷ ଟିକସ ଦେବାର ଯେଉଁ ବ୍ୟବସ୍ଥା ରହିଛି ତାହାର ପ୍ରତିକୂଳ ପ୍ରଭାବ ମୋଟରଯାନ ଟିକସ ଆଦାୟ ଉପରେ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । (ତଥ୍ୟ)