Home News in Odia ବାଳିକା, ମହିଳା ଅଧିକ ନିଖୋଜ

ବାଳିକା, ମହିଳା ଅଧିକ ନିଖୋଜ

ଭୁବନେଶ୍ୱର : ରାଜ୍ୟରେ ଯେତିକି ସଂଖ୍ୟାରେ ବାଳକ ନିଖୋଜ ହେଉଛନ୍ତି ତାହାର ପ୍ରାୟ ୫ଗୁଣା ବାଳିକା ଓ ପ୍ରାୟ ୨୦ଗୁଣ ମହିଳା ନିଖୋଜ ହେଉଛନ୍ତି । ରାଜ୍ୟ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି ।

ବିଜେଡି ବିଦାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ ୨୦୧୯ ମସିହାରେ ରାଜ୍ୟୋର ୫୩୮ଜଣ ବାଳକ ନିଖୋଜ ହୋଇଥିବାବେଳେ ୨୬୯୩ ଜଣ ବାଳିକା ଓ ୯୬୮୭ଜଣ ମହିଳା ନିଖୋଜ ହୋଇଥିଲେ । ଏହି ସମୟରେ ନିଖୋଜ ବାଳକଙ୍କ ମଧ୍ୟରୁ ୪୭୭ଜଣଙ୍କୁ ଠାବ କରାଯାଇଥିବାବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୨୯୮ ଓ ୪୭୯୬ ରହିଥିଲା ।

ସେହିଭଳି ୨୦୨୦ ମସିହାରେ ୩୩୯ଜଣ ବାଳକ ନିଖୋଜ ହୋଇଥିବାବେଳେ ୨୫୫୮ଜଣ ବାଳିକା ଓ ୮୯୭୦ଜଣ ମହିଳା ନିଖୋଜ ହୋଇଥିଲେ । ନିଖୋଜ ବାଳକଙ୍କ ମଧ୍ୟରୁ ୨୭୯ଜଣଙ୍କ ପତ୍ତା ମିଳିଥିବାବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୨୦୬୧ ଓ ୩୬୭୦ ରହିଥିଲା ।

ଗତବର୍ଷ ଅର୍ଥାତ୍‍ ୨୦୨୧ରେ ସମଗ୍ର ରାଜ୍ୟରେ ୨୧୯ଜଣ ବାଳକ ନିଖୋଜ ହୋଇଥିବାବେଳେ ୨୪୫୨ ଜଣ ବାଳିକା ଓ ୭୩୧୬ ଜଣ ମହିଳା ନିଖୋଜ ହୋଇଥିଲେ । ହଜିଥିବା ବାଳକଙ୍କ ମଧ୍ୟରୁ ୧୫୧ ଜଣ ଠାବ ହୋଇଥିବାବେଳେ ଠାବ ହୋଇଥିବା ବାଳିକା ଓ ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୧୫୧୨ ଓ ୧୪୫୪ ରହିଥିଲା ।

ତେବେ ରାଜ୍ୟରେ ଶିଶୁ ଓ ମହିଳା ଅପରହରଣ ଓ ନିଖୋଜ ସଂଖ୍ୟା ବୃଦ୍ଧି ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ବେହେରା ଖାରଜ କରିଦେଇଛନ୍ତି ।