Home General ବାଲେଶ୍ୱରକୁ ୯୨୨.୪୮ କୋଟି ସହାୟତା

ବାଲେଶ୍ୱରକୁ ୯୨୨.୪୮ କୋଟି ସହାୟତା

କରୋନା ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ମୋଟ ୨୨ ହଜାର ୨୬୭ କୋଟି ଟଙ୍କାର ସହାୟତା ଦେଇଥିବା ବେଳେ ସେଥିରୁ ବାଲେଶ୍ୱରକୁ ୯୨୨.୪୮ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଡ଼ାଲି, ଉଜ୍ଜଳା ଯୋଜନାରେ ଗ୍ୟାସ ଓ ଅନ୍ୟାନ୍ୟ ଆର୍ôଥକ ସହାୟତା ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବାଲେଶ୍ୱର ଜିଲ୍ଲାର ରୁପସା, ସାରଥା ଏବଂ ପୁରୁଣା ବାଲେଶ୍ୱରରେ ଦଳ ପକ୍ଷରୁ ଆୟୋଜିତ “ସାଧାରଣ ସଭା”ରେ ଯୋଗଦେଇ ଶ୍ରୀ ପ୍ରଧାନ ବାଲେଶ୍ୱରକୁ ସଂସ୍କାର ଏବଂ ଦେଶକୁ ଦିଗଦର୍ଶନ ଦେଇଥିବା ବ୍ୟାସକବି ଫକୀର ମୋହନ ସେନାପତି, କବିବର ରାଧାନାଥ ରାୟ, ସଂଗ୍ରାମୀ ବାଘା ଯତୀନ, କବି ଶ୍ରୀଧର ସ୍ୱାମୀ ମହାରାଜ, ବ୍ରଜନାଥ ରଥ, ରାଜା ବୈକୁଣ୍ଠ ନାଥ ଦେ ଏବଂ ସମାଜବାଦୀ ନେତା ସମରେନ୍ଦ୍ର କୁନ୍ଦୁଙ୍କ ସ୍ମୃତିଚାରଣ କରିବା ସହ ଏହି ଜନ୍ମମାଟିକୁ ଆସି ନିଜକୁ ସୌଭାଗ୍ୟଶାଳୀ ମନେକରୁଥିବା କହିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ସମୟରେ ମୋଦି ସରକାର ବାଲେଶ୍ୱରକୁ ଦେଇଥିବା ଆର୍ଥିକ ସହାୟତା ପ୍ୟାକେଜର ବିସ୍ତୁତ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବାଲେଶ୍ୱରର ୧୮.୪୬ ଲକ୍ଷ ହିତାଧିକାରୀଙ୍କୁ ମାସିକ ୫ କେଜି ଲେଖାଏଁ ଚାଉଳ ହିସାବରେ ମୋଟ ୬୪ ହଜାର ୬୧୦ ଟନ୍ ଚାଉଳ ଓ ପ୍ରତି ପରିବାରକୁ ମାସିକ ୧ କେଜି ଲେଖାଏଁ ଡାଲି ହିସାବରେ ଜିଲ୍ଲାର ୪.୯୨ ଲକ୍ଷ ହିତାଧିକାରୀଙ୍କୁ ମୋଟ ୩ ହଜାର ୪୪୪ ଟନ ଡାଲି ଯୋଗାଇ ଦିଆଯାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ବାଲେଶ୍ୱରର ୨.୪୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ୩ଟି ଲେଖାଏଁ ଏଲପିଜି ସିଲିଣ୍ଡରର ପ୍ରଦାନ କରାଯାଇଛି । ବାଲେଶ୍ୱରକୁ ମୋଟ ୭.୩୩ ଲକ୍ଷ ଟଙ୍କାର ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଛି ।

ବାଲେଶ୍ୱରର ୩.୫ ଲକ୍ଷ ଜନଧନ ଆକାଉଣ୍ଟଧାରୀ ମହିଳାଙ୍କୁ ୧୫୦୦ ଟଙ୍କା ଲେଖାଏଁ ହିସାବରେ ମୋଟ ୫୨.୫୦ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା ଯୋଜନାରେ ଜିଲ୍ଲାର ୨.୮୬ ଲକ୍ଷ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ହିସାବରେ ୨୮.୬୦ କୋଟି ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ ବାଲେଶ୍ୱରର ୭୫ ହଜାର ଚାଷୀ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହି ଯୋଜନାରେ ବାଲେଶ୍ୱରର ଚାଷୀଙ୍କୁ କରୋନା ସମୟରେ ସଶକ୍ତ କରିବା ପାଇଁ ମୋଟ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।

କୋଭିଡ୍ -୧୯ ପରିଚାଳନା ପାଇଁ ବାଲେଶ୍ୱରକୁ ୪ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି । କୃଷି ଭିତ୍ତିଭୂମି ବିକାଶ ପାଣ୍ଠିରେ ନାବାର୍ଡ଼ ଦ୍ୱାରା ବାଲେଶ୍ୱର ପାଇଁ ୦.୪୦ କୋଟି ମୂଲ୍ୟର ୨ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ସ୍ୱ-ନିଧି ଯୋଜନାରେ ବାଲେଶ୍ୱର ସହରରେ ଚିହ୍ନଟ ୨୨୦୦ ଉଠା ଦୋକାନୀଙ୍କ ପାଇଁ ୦.୨୮ କୋଟି ମଞ୍ଜୁର କରାଯାଇଛି ।

କରୋନା ସମୟରେ ବାଲେଶ୍ୱରର ୧.୩୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୧୯.୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ବାଲେଶ୍ୱରରେ ଥିବା ଇପିଏଫଓ ଆକାଉଣ୍ଟଧାରୀମାନେ ୮.୮୬ କୋଟି ଟଙ୍କାର ଲାଭ ପାଇଛନ୍ତି । ବାଲେଶ୍ୱରକୁ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ôଥକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣସ୍ୱରୂପ ୨୪୬ କୋଟି ଟଙ୍କା ଦିଆଯାଇଛି । ନନ୍ ମିଲିୟନ ପ୍ଲସ ସିଟିର ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ ବାଲେଶ୍ୱରକୁ ୩୦ କୋଟି ଟଙ୍କା ଦିଆଯାଇଛି ।

ବାଲେଶ୍ୱରରେ ଆଶ୍ରୟ ସ୍ଥଳି ଏବଂ ୩ ଓଳା ଖାଇବା ପାଇଁ ଏସଡ଼ିଆରଏଫରୁ ଅଗ୍ରୀମ ୭୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଏନଡ଼ିଆରଏଫରୁ ୫.୯୮ କୋଟି ଟଙ୍କା ଦିଆଯାଇଛି । ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରୀୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନ ସମୟରେ ବାଲେଶ୍ୱରର ବିଦ୍ୟୁତ୍ ବିତରଣ ସଂସ୍ଥା(ଡ଼ିସକମ୍)କୁ ବିଜୁଳି କିଣିବା ପାଇଁ ୨.୮ କୋଟିର ରିହାତି ପ୍ରଦାନ କରିଛନ୍ତି ।

ଏପ୍ରିଲ ୨୦୨୦ରୁ ସେପ୍େଟମ୍ବର ୨୦୨୦ ମଧ୍ୟରେ ମନରେଗା ଅଧୀନରେ ମଜୁରୀ ବାବଦକୁ ୭୦.୮ ଲକ୍ଷ ଅତିରିକ୍ତ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୩.୫୪ ଲକ୍ଷ ଜବ୍ କାର୍ଡ ପ୍ରଦାନ କରାଯାଇଛି । ମଇ ୨୦୨୦ରେ ହୋଇଥିବା ଅମ୍ପନ ବାତ୍ୟା ପାଇଁ ବାଲେଶ୍ୱରକୁ ୧୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଜଳ ଜୀବନ ମିଶନରେ ୨୦୨୦-୨୧ ଆର୍ôଥକ ବର୍ଷରେ ବାଲେଶ୍ୱର ପାଇଁ୨୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ମୋଦି ସରକାର ବାଲେଶ୍ୱର ଓ ଓଡ଼ିଶା ପାଇଁ ଅର୍ଥ ଦେଉଛନ୍ତି କିନ୍ତୁ କାମ ଏଠାରେ ହେଉ ନାହିଁ । ୨୦ ବର୍ଷର ଲମ୍ବା ଶାସନରେ ରହିବା ପରେ ମଧ୍ୟ ଏଠାକାର ଯୁବକ ପରିବାର ଏବଂ ଆତ୍ମୀୟ ଲୋକଙ୍କୁ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯାଉଛି । ମାତ୍ର ମୋଦି ସରକାର କରୋନା ସମୟରେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି ।

ଏହାସହ ବାଲେଶ୍ୱରରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ରୋଜଗାର ଦେବାର ବ୍ୟବସ୍ଥା କରିଛନ୍ତି । ସ୍ଥାନୀୟ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିଧାୟକ ପ୍ରାର୍ଥୀ ମାନସ ଦତ୍ତଙ୍କ ସହ ବିଜେପି ସର୍ବଦା ସାଥୀରେ ରହିଛି । ଏହି ଅବସରରେ ଶ୍ରୀ ପ୍ରଧାନ ବାଲେଶ୍ୱରବାସୀ ଦଳୀୟ ବିଧାୟକ ପ୍ରାର୍ଥୀ ମାନସ ଦତଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ନିବେଦନ କରିଥିଲେ ।