Home General ବାଲି ମାଫିଆଙ୍କ ଟାର୍ଗେଟରେ ଅଫିସର

ବାଲି ମାଫିଆଙ୍କ ଟାର୍ଗେଟରେ ଅଫିସର

ଭୁବନେଶ୍ୱର : ବାଲି, ମୋରମ, ପଥର ଭଳି ଲଘୁ ଖଣିଜ ସାମଗ୍ରୀର ଚୋରା ଚାଲାଣ ରୋକିବା ଲାଗି ଉଦ୍ୟମ କରୁଥିବା ଅଧିକାରୀମାନଙ୍କ ଉପରେ ବାରମ୍ବାର ମାଫିଆମାନେ ମରଣାନ୍ତକ ଆକ୍ରମଣ କରିବା ପ୍ରଶାସନ ପାଇଁ ବଡ ଆହ୍ୱାନ ପାଲଟିଛି । କେଉଁଠି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଗାଡି ମଡାଇ ହତ୍ୟା ଉଦ୍ୟମ ହେଉଛି ତ ଆଉ କେଉଁଠି ରକ୍ତାକ୍ତ ଆକ୍ରମଣ କରିବାକୁ ମାଫିଆମାନେ ପଛାଉ ନାହାନ୍ତି ।

ଏବେ ବାଲେଶ୍ୱରର ଉପଜିଲ୍ଲାପାଳଙ୍କ ସରକାରୀ ଗାଡିକୁ ବାଲି ମାଫିଆମାନେ ଭାଙ୍ଗିରୁଜି ଚୁର୍‍ମାର କରିବା ସହ ତାଙ୍କୁ ଓ ତାଙ୍କ ଗାଡି ଚାଳକଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ସରକାରୀ ଗାଡି ଚାଳକଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଉପଜିଲ୍ଲାପାଳ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।

ଏହା ପୂର୍ବରୁ ଭୋଗରାଇ ଅଞ୍ଚଳରେ ପଶ୍ଚିମବଙ୍ଗର ବାଲି ମାଫିଆମାନେ ମେସିନ ଲଗାଇ ସୁବର୍ଣ୍ଣରେଖା ନଦୀରୁ ବାଲି ଉଠାଇବା ଘଟଣାର ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ସେମାନେ ମରଣାନ୍ତକ ଆକ୍ରମଣ କରିବା ସହ କେତେକ ଗ୍ରାମବାସୀଙ୍କୁ ମଧ୍ୟ ଅପହରଣ କରିନେବା ଭଳି ଅଭିଯୋଗ ଆସିଥିଲା ।

ରାଜଧାନୀର ଅନତି ଦୂରରେ ଖୋର୍ଦ୍ଧା ଉପକଣ୍ଠରେ ପଥର ମାଫିଆମାନେ ତହସିଲଦାର ଓ ଆର୍‍ଆଇମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରିବା ସହ ସେମାନଙ୍କୁ ଗାଡି ଚଢାଇ ମାରିଦେବାଲାଗି ଉଦ୍ୟମ କରିଥିବାର ନଜିର ରହିଛି । ଏମିତିକି ଚୋରା ପଥର ଗାଡିକୁ ଅଟକାଇବାବେଳେ ପୁଲିସଙ୍କୁ ମଧ୍ୟ ଏହି ମାଫିଆମାନେ ଛାଡୁନାହାନ୍ତି ।

ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାଲି, ମୋରମ ସମେତ ଅନ୍ୟାନ୍ୟ ମୂଲ୍ୟବାନ ପଥରର ଚୋରା କାରବାର ଏକପ୍ରକାର ପ୍ରଥାରେ ପଡିଗଲାଣି । କେତେକ କ୍ଷେତ୍ରରେ ଏହି ମାଫିଆମାନଙ୍କୁ ଉଚ୍ଚ ପ୍ରଶାସନିକ ସ୍ତରରୁ ସହଯୋଗ ମିଳିବାରୁ ସେମାନେ ଚୋରା ବ୍ୟବସାୟରେ ବାଧା ଉପୁଯାଉଥିବା ଅଧିକାରୀଙ୍କୁ ମଧ୍ୟ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି ।

ଓଡିଶା ରାଜସ୍ୱ ସେବାର ଜଣେ ଅଧିକାରୀ ଚୋରା ବାଲିଗାଡି ଜବତ କରି ମୋଟା ଅଙ୍କର ଜରିମାନା ଆଦାୟ କରିବା ପରେ ତାଙ୍କ ପ୍ରତି କ୍ଷୁବ୍ଧ ହୋଇଥିବା ମାଫିଆମାନେ ଉଚ୍ଚ ମହଲରେ ଧରାଧରି କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବଦଳି କରିବା ଭଳି ଘଟଣା ଘଟୁଛି ବୋଲି ଭଦ୍ରକ ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି ।

ଗଞ୍ଜାମ ଜିଲ୍ଲାରେ ବର୍ଷ ବର୍ଷ ଧରି ଗୁଣ୍ଡାଗିରି କରି ବାଲିଘାଟ ନିଲାମ କରାଇ ନଦେଇ କିଛି ଅସାମାଜିକ ବ୍ୟକ୍ତି ଆସ୍କା ତହସିଲ ଅଞ୍ଚଳରେ ଏକଚାଟିଆ ଚୋରାବାଲି ଚାଲାଣ କରୁଥିଲେ । ଏମାନଙ୍କୁ ଖାତିର ନକରି ସେନାବାହିନୀରୁ ଆସି ଓଏଏସ୍‍ ଚାକିରିରେ ଯୋଗ ଦେଇଥିବା କେଳୁ ଚରଣ ରଣସିଂ ଆସ୍କା ତହସିଲଦାର ଥିବାବେଳେ ଉଚ୍ଚ ଅଧିକାରୀଙ୍କ ଅନୁମୋଦନ ନେଇ ବାଲିଘାଟକୁ ଲିଜ୍‍ ଦେଇ ରାଜକୋଷକୁ ଅର୍ଥ ଆଣିବାରେ ଚୋରା ବେପାରୀମାନେ ଏତେ ଉତ୍‍କ୍ଷିପ୍ତ ହୋଇଗଲେ ଯେ, ଏହି ଓଏଏସ୍‍ ଅଫିସରଙ୍କୁ ନିଲମ୍ବିତ ହେବାକୁ ପଡିଲା । ଏମିତିକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ପଦୋନ୍ନତି କ୍ଷେତ୍ରରେ ମଧ୍ୟ ବ୍ୟାଘାତ ସୃଷ୍ଟି କରାଗଲା ।

ବାଲି ମାଫିଆଙ୍କ ବିରୋଧରେ ଲଢି ଏଭଳି ଦଶା ଭୋଗିଥିବା ଅଧିକାରୀଙ୍କ ପ୍ରତି ହୋଇଥିବା ଦଣ୍ଡବିଧାନକୁ ଅତୀତରେ ସ୍ୟାଟ୍‍ ନାକଚ କରିଦେଇ ତାଙ୍କ କନିଷ୍ଠ ଅଧିକାରୀ ଯେବେଠାରୁ ପଦୋନ୍ନତି ପାଇଲେ ତାଙ୍କୁ ସେହି ତାରିଖରୁ ପଦୋନ୍ନତି ସହ ଉଚ୍ଚ ପାହ୍ୟାର ଦରମା ଦେବାକୁ ଆଦେଶ କରିଥିଲେ । ଏହା ବିରୋଧରେ ସରକାର ହାଇକୋର୍ଟ ଓ ସୁପ୍ରିମେକୋର୍ଟରେ ହାରିବା ପରେ ଶ୍ରୀ ରଣସିଂଙ୍କୁ ତାଙ୍କ ପ୍ରାପ୍ୟ ମିଳି ନଥିଲା ।

ଇତିମଧ୍ୟରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ତେବେ ଏହି ପୂର୍ବତନ ସୈନିକ ଜଣକ ରାଜସ୍ୱ ବିଭାଗ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଲଢିବା ପରେ ଯାଇ ଗତ ଜାନୁଆରୀ ମାସରେ ତାଙ୍କୁ ବକେୟା ପାଉଣା ମିଳିଛି । ଶ୍ରୀ ରଣସିଂ କହିଛନ୍ତି ଯେ, ବାଲି ମାଫିଆଙ୍କୁ ଉଚ୍ଚ ମହଲରୁ ପ୍ରୋତ୍ସାହନ ମିଳୁଥିବାରୁ ବହୁ କ୍ଷେତ୍ରରେ ତହସିଲଦାର, ଅତିରିକ୍ତ ତହସିଲଦାର, ଆର୍‍ଆଇ, ସୁପରଭାଇଜର ଆଦି ସେମାନଙ୍କ କଳା କାରବାର ରୋକିବାକୁ ସାହାସ କରିପାରୁନାହାନ୍ତି । (ତଥ୍ୟ)