Home Administration ବାଧ୍ୟତାମୂଳକ ଅବସର ବ୍ୟକ୍ତି ପେନସନ,ଗ୍ରାଚ୍ୟୁଟି ପାଇବେ

ବାଧ୍ୟତାମୂଳକ ଅବସର ବ୍ୟକ୍ତି ପେନସନ,ଗ୍ରାଚ୍ୟୁଟି ପାଇବେ

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଭଳି ଦୁର୍ନୀତି ଅଭିଯୋଗରେ ଫସୁଥିବା ଯେଉଁ ସରକାରୀ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି ସେମାନେ ପେନ୍‍ସନ, ଗ୍ରାଚ୍ୟୁଟି ଆଦି ପାଇବାକୁ ହକଦାର । ତେବେ ଦୁର୍ନୀତି ନିବାରଣ ମାମଲାରେ ସେମାନେ ଯଦି ଦଣ୍ଡିତ ହୁଅନ୍ତି ତାହେଲେ ପେନ୍‍ସନ ବନ୍ଦ ହେବାର ସମ୍ଭାବନା ରହିଛି ।

ଆଇନ୍‍ ବିଶାରଦମାନେ କହୁଛନ୍ତି ଯେ ଦୁର୍ନୀତି ମାମଲାଗୁଡିକର ଠିକଣା ଭାବେ ତଦନ୍ତ ପରେ ଫଏସିଲା ଯଦି ୪ରୁ ୬ମାସ ମଧ୍ୟରେ ହୋଇପାରନ୍ତା ତେବେ ଦଣ୍ଡବିଧାନ ଆଧାରରେ ସେମାନଙ୍କୁ ଚାକିରିରୁ ବିଦା କରାଯାଇ ପାରନ୍ତା । ଏହାଛଡା ସମ୍ପୃକ୍ତ ସରକାରୀ କର୍ମଚାରୀ ଦାଖଲ କରୁଥିବା ସମ୍ପତ୍ତି ତାଲିକା ଠାରୁ ତାଙ୍କର ଯଦି ଅଧିକ ସମ୍ପତ୍ତି ଥାଏ ଓ ତାହା ଘୋଷିତ ଆୟ ଠାରୁ ଅଧିକ ରୁହେ ସେ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ ବି ବହିଷ୍କାର ପର୍ଯ୍ୟନ୍ତ ଦଣ୍ଡବିଧାନ କରାଯାଇ ପାରିବ ।

ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସମ୍ବିଧାନର ୩୧୧ ଓ ଓଡିଶା ସିଭିଲ ସର୍ଭିସେସ୍‍ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଆପିଲ ରୁଲ୍ସର ୧୮ ଧାରାର ପ୍ରୟୋଗ କରି ଅନେକ କ୍ଷେତ୍ରରେ ଦୁର୍ନୀତିରେ ଛନ୍ଦି ହେଉଥିବା କିଛି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ଆଇନ୍‍ଗତ ବ୍ୟବସ୍ଥାନୁଯାୟୀ ସରକାରୀ ଚାକିରିରୁ ଯେଉଁମାନଙ୍କୁ ବିଦା କରାଯାଏ ସେମାନେ ପେନସନ ଆଦି ପାଇ ପାରିବେ ନାହିଁ । କିନ୍ତୁ ସ୍ୱେଚ୍ଛାକୃତ ଅବସର ଓ ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ଚାକିରିକାଳ ହିସାବ ଆଧାରରେ ତାଙ୍କୁ ପେନ୍‍ସନ ଗ୍ରାଚ୍ୟୁଟି ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ଦେବାର ବ୍ୟବସ୍ଥା ଅଛି, ଏମିତିକି ସ୍ୱେଚ୍ଛାକୃତ ଅବସର ଓ ବାଧ୍ୟତାମୂଳକ ଅବସର ପାଉଥିବା କର୍ମଚାରୀ ମଧ୍ୟ ପରବର୍ତ୍ତୀ ସମୟରେ ଅନ୍ୟ ଚାକିରି ପାଇବା କ୍ଷେତ୍ରରେ ପ୍ରତିବନ୍ଧକ ନାହିଁ ।

ସର୍ଭିସ କୋଡ୍‍ ଓ ଅନ୍ୟାନ୍ୟ ଆଇନ୍‍ଗତ ବ୍ୟବସ୍ଥାନୁଯାୟୀ ନିର୍ଦ୍ଦିଷ୍ଟ ବୟସସୀମା ଅତିକ୍ରାନ୍ତ କରିଥିବା କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ନିୟମିତ ବ୍ୟବଧାନରେ ସମୀକ୍ଷା କରାଯାଇ କର୍ତ୍ତୃପକ୍ଷ ହୃଦ୍‍ବୋଧ କଲେ ସେମାନଙ୍କୁ ପେନସନ,ଗ୍ରାଚ୍ୟୁଟି ଆଦି ସହିତ ବାଧ୍ୟତାମୂଳକ ଅବସର ଦେବାର ବ୍ୟବସ୍ଥା ରହିଛି । ଏହାଛଡା ଯେଉଁ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ତଦନ୍ତ ସମ୍ଭବପର ନୁହେଁ କିମ୍ବା ରାଷ୍ଟ୍ରପତି କିମ୍ବା ରାଜ୍ୟପାଳ ସମ୍ପୃକ୍ତ କର୍ମଚାରୀଙ୍କୁ ଦେଶର ନିରାପତ୍ତା ଜନିତ ସ୍ୱାର୍ଥ ଦୃଷ୍ଟିରୁ ବିନା ତଦନ୍ତରେ ବିଦା କରିବାକୁ ଚାହିଁବେ ସେମାନଙ୍କ ପ୍ରତି ବି ଦଣ୍ଡବିଧାନ ହୋଇପାରିବ ।

ତେବେ ବହୁ କ୍ଷେତ୍ରରେ ବିନା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଚାକିରିରୁ ବିଦା ହେଉଥିବା କର୍ମଚାରୀମାନେ ଆଇନ୍‍ ଅଦାଲତରେ ସେମାନଙ୍କ ବହିଷ୍କାର ଆଦେଶ ବିରୁଦ୍ଧରେ ମାମଲା ରୁଜୁ କରି ପୁଣି ଚାକିରିକୁ ଫେରୁଛନ୍ତି । ଏଭଳି ନଜିର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ରହିଛି । ଏହି ଭିତ୍ତିଭୂମିରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ପ୍ରାମାଣିକ ତଥ୍ୟ ଆଧାରରେ ଚାକିରିରୁ ବହିଷ୍କାର କରାଗଲେ ସେମାନେ ଅବଶିଷ୍ଟ ଜୀବନକାଳ ପର୍ଯ୍ୟନ୍ତ ପେନସନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତେ ନାହିଁ ଏବଂ ଏଥିଯୋଗୁଁ ଦୁର୍ନୀତିଗ୍ରସ୍ତଙ୍କ ମନରେ ଅଧିକ ଭୟ ରୁହନ୍ତା ।

ଜାତୀୟ ହାରଠାରୁ ଓଡିଶାରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ଅବଶ୍ୟ ଅଧିକ ରହୁଛି । ତେବେ ଗତବର୍ଷର ହିସାବ ଅନୁଯାୟୀ ଓଡିଶାରେ ବିଚାର ପ୍ରତୀକ୍ଷାରେ ପାଖାପାଖି ୨୩ହଜାର ଆର୍ଥିକ ଅପରାଧ ମାମଲା ଥିବାବେଳେ ଏଥିରୁ ମାତ୍ର ୧୩୨ଟି ଫଏସଲା ହୋଇଥିଲା ଏବଂ ତନ୍ମଧ୍ୟରୁ ୬୨ଟିରେ ଦଣ୍ଡବିଧାନ କରାଯାଇଥିଲା । ଏହି କିସମର ଅପରାଧିକ ମାମଲାର ମାତ୍ର ୦.୬ ପ୍ରତିଶତ ଫଏସଲା ହୋଇଥିବାବେଳେ ଏଥିରେ ଦଣ୍ଡବିଧାନ ହାର ୪୭ ପ୍ରତିଶତ ଥିଲା । ବିଳମ୍ବିତ ବିଚାର ପ୍ରକ୍ରିୟା ବସ୍ତୁତଃ ଦୁର୍ନତୀଗ୍ରସ୍ତଙ୍କୁ ସୁହାଉଥିବା ଆଇନ୍‍ ବିଶାରଦମାନେ କହୁଛନ୍ତି । (ତଥ୍ୟ)