Home General ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର ଅଧିକାରୀମାନେ ଯୋଗ ଦେଇ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ବିଦ୍ୟୁତ ଶକ୍ତି, ଟେଲିଯୋଗାଯୋଗ, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ଜରୁରି ସେବା ଯୋଗାଣ ସୁନିଶ୍ଚିତ କରିବା ସହିତ ଏଥିରେ ବାଧା ଉତ୍ପନ୍ନ ହେବା କ୍ଷେତ୍ରରେ ତୁରନ୍ତ ପୁନରୁଦ୍ଧାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଆହୁରି, ଜରୁରି ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ସହ ଏଗୁଡ଼ିକର ବାଧାମୁକ୍ତ ପରିବହନ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଜୱାଦ ବାତ୍ୟାରେ ପରିଣତ ହେବ । ଏହା ଡିସେମ୍ବର ୪ ତାରିଖ ୨୦୨୧ ଶନିବାର ସକାଳେ ଉତ୍ତର ଆନ୍ଧ୍ର ପ୍ରଦେଶ – ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ପୂର୍ବରୁ କ୍ୟାବିନେଟ ସଚିବ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକ ସହିତ ପରିସ୍ଥିତି ଏବଂ ପ୍ରାକ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ୨୪ ଘଣ୍ଟା ନଜର ରଖିଛି ଏବଂ ରାଜ୍ୟ ସରକାର, କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏସଡିଆରଏଫର ପ୍ରଥମ କିସ୍ତି ଜାରି କରାଯାଇ ସାରିଛି । ଡଙ୍ଗା, ଗଛ କଟା ଯନ୍ତ୍ର, ଟେଲିକମ ଉପକରଣ ସହିତ ଏନଡିଆରଏଫର ୨୯ଟି ଦଳକୁ ପୂର୍ବରୁ ପ୍ରଭାବିତ ରାଜ୍ୟମାନଙ୍କରେ ମୁତୟନ କରାଯାଇ ସାରିଛି ଏବଂ ୩୩ଟି ଦଳକୁ ପ୍ରସ୍ତୁତ ରଖାଯାଇଛି।

ରିଲିଫ, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ଜାହାଜ ଓ ହେଲିକପ୍ଟର ମୁତୟନ କରାଯାଇଛି । ବାୟୁ ସେନା ଏବଂ ସ୍ଥଳସେନାର ଇଞ୍ଜିନିୟରିଂ ଟାସ୍କ ଫୋର୍ସକୁ ଡଙ୍ଗା ଏବଂ ଉଦ୍ଧାରକାରୀ ଉପକରଣ ସହିତ ମୁତୟନ ଲାଗି ପ୍ରସ୍ତୁତ ରଖାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ନିରୀକ୍ଷଣ ବିମାନ ଏବଂ ହେଲିକପ୍ଟର ଗୁଡ଼ିକର ନିରନ୍ତର ଆକାଶମାର୍ଗରୁ ନିରୀକ୍ଷଣ ଜାରି ରଖିଛନ୍ତି । ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ଏବଂ ମେଡ଼ିକାଲ ଦଳକୁ ପୂର୍ବ ଉପକୂଳରେ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି ।

ବିଦ୍ୟୁତ ଯୋଗାଣ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ଲାଗି ଟ୍ରାନ୍ସଫର୍ମ, ଡିଜିସେଟ ଏବଂ ଅନ୍ୟାନ୍ୟ ଉପକରଣ ସହିତ ଜରୁରିକାଳୀନ ମୁକାବିଲା ବ୍ୟବସ୍ଥାକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସକ୍ରିୟ କରାଯାଇଛି । ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଟେଲିକମ ଟାୱାର ଏବଂ ଏକ୍ସଚେଞ୍ଜ ଉପରେ ଲଗାତାର ନଜର ରଖାଯାଇଛି ଏବଂ ଟେଲିକମ ନେଟୱର୍କକୁ  ସ୍ୱଭାବିକ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରାଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଏବଂ ପ୍ରଭାବିତ ଅଞ୍ଚଳରେ କୋଭିଡ ମୁକାବିଲା ପାଇଁ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଜାହାଜଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଜରୁରିକାଳୀନ ଜାହାଜଗୁଡ଼ିକୁ ମୁତୟନ କରାଯାଇଛି । ଉପକୂଳ ଅଞ୍ଚଳରେ ଥିବା କେମିକାଲ ଏବଂ ପେଟ୍ରୋକେମିକାଲ ୟୁନିଟ୍ ଭଳି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପାଇଁ ସତର୍କ ସୂଚନା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ବିପଦସଙ୍କୁଳ କ୍ଷେତ୍ରରୁ ଲୋକମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରସ୍ତୁତିରେ ରାଜ୍ୟ ଏଜେନ୍ସିଗୁଡ଼ିକୁ ଏନଡିଆରଏଫ ପକ୍ଷରୁ ସହାୟତା କରାଯାଉଛି। ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଲୋକମାନଙ୍କୁ ଅବଗତ କରାଇବା ଲାଗି ନିୟମିତ ଭାବେ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଏନଡିଆରଏଫ ଡିଜି ଏବଂ ଆଇଏମଡି ଡିଜି ଅଂଶଗ୍ରହଣ କରିଥିଲେ ।