Home News in Odia ବାତ୍ୟା, ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ

ବାତ୍ୟା, ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସାଧାରଣ ହେବାର ସୂଚନା ଭାରତୀୟ ପାଣିପାଗ ବିଭାଗ ଦେବାପରେ ଜଳସମ୍ପଦ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଏ ନେଇ ଜିଲ୍ଲାପାଳମାନଙ୍କୁ ବନ୍ୟା ଓ ବାତ୍ୟା ଭଳି ଦୁର୍ବିପାକର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହଯାଇଛି ।

ଓଡିଶା ଉପକୂଳରେ ଗତ ଦୁଇ ତିନିବର୍ଷ ହେଲା ମୌସୁମୀ ଋତୁରେ ଏକାଧିକ ଛୋଟ ବଡ ବାତ୍ୟା ସହିତ ବନ୍ୟା ବି ସୃଷ୍ଟି ହେଉଛି । ବାତ୍ୟାର ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶା କ୍ଷତିଗ୍ରସ୍ତ ହେଉଥିବାବେଳେ ବନ୍ୟାର ପ୍ରଭାବ ଅଧିକଭାବେ ମହାନଦୀ ଅବବାହିକାରେ ପରିଲକ୍ଷିତ ହେଉଛି ।

ଯେହେତୁ ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ତେଣୁ ବାତ୍ୟା ଓ ବନ୍ୟା ଭଳି ବିପଦକୁ ବି ଏଡାଇ ଦିଆଯାଇ ନପାରେ । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଚଳାଇବାକୁ ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ବିଭାଗର ଅତିରିକ୍ତ ସଚିବ ସୁବ୍ରତ କୁମାର ପଣ୍ଡା ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ମଇ ଓ ଜୁନ୍‍ ମାସରେ ବଙ୍ଗୋପସାଗରେ ଦେଖା ଦେଉଥିବା ବାତ୍ୟା ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଉଛି । ତେବେ ଆଗୁଆ ପ୍ରସ୍ତୁତି ଦ୍ୱାରା ହିଁ ବାତ୍ୟା ସହିତ ପ୍ରବଳ ବର୍ଷା ଓ ବନ୍ୟାକୁ ମୁକାବିଲା କରାଯାଇ ପାରିବ ।

ବାତ୍ୟା ଓ ବନ୍ୟାକୁ ମୁକାବିଲା ପାଇଁ ଯେଉଁସବୁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ତାହା ଗ୍ରହଣ କରିବାପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥିପାଇଁ ଚଳିତ ମାସ ୮ତାରିଖରେ ଜଳସମ୍ପଦ ବିଭାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଗୁଆ ବନ୍ୟା ପ୍ରସ୍ତୁତି ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କ୍ଷେତ୍ର ସ୍ତରରେ ଥିବା ସମସ୍ତ ଯନ୍ତ୍ରୀ ନଦୀ ଅବବାହିକା ଅନୁଧ୍ୟାନ ସହିତ ଯେଉଁସବୁ ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି ତାହାକୁ ଚିହ୍ନଟ କରିବେ । ବାତ୍ୟା ଓ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ଦୁର୍ବଳ ନଦୀ ଓ କେନାଲ ବନ୍ଧ ଗୁଡିକ ଉପରେ ଏପ୍ରିଲ୍‍ ୧୬ରୁ ୨୬ ତାରିଖ ମଧ୍ୟରେ ପଦକ୍ଷେପ ନେବେ ।

ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ କ୍ଷେତ୍ର ସ୍ତରରେ ସ୍ଥିତି ଅନୁଧ୍ୟାନ କରିବାକୁଯିବା ସମୟରେ ଉପଜିଲ୍ଲାପାଳ, ତଦସିଲଦାରମାନେ ସେମାନଙ୍କ ସହିତ ସମନ୍ୱୟ ରକ୍ଷାଲାଗି ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିଭାଗ ପକ୍ଷରୁ ବିଭିନ୍ନ ନଦୀବନ୍ଧ ପରିଦର୍ଶନ ଓ ସ୍ଥିତି ସମୀକ୍ଷା କାର୍ଯ୍ୟ ଏପ୍ରିଲ୍‍ ୨୬ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here