Home Environment ବାତ୍ୟା ଆଣିଲା ବନ୍ୟା

ବାତ୍ୟା ଆଣିଲା ବନ୍ୟା

ଭୁବନେଶ୍ୱର : ବାତ୍ୟା ୟାସ୍‍ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏବେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଥି ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ।

ଏଥି ଯୋଗୁଁ ସୃଷ୍ଟି ହେବାକୁ ଯାଉଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାପାଳ ଭଲ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି । ଏହା ସହିତ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଏସଆରସି କହିଛନ୍ତି ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ବିଭିନ୍ନ ନଦୀର ଜଳସ୍ତର ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ଏହା ଉପରେ ଜଳ ପ୍ରବାହିତ ହେଉଛି । ଉପରମୁଣ୍ଡରୁ ପାଣି ଆସିଲେ ଏଠାରେ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ । ସେହିପରି ଆଖୁଆପଦା ଠାରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି ।

ଶ୍ରୀ ରଥ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି । ସେହିପରି ସାଳନ୍ଦୀ ନଦୀରେ ବି ଜଳସ୍ତର କମିଛିୟ ସମୁଦ୍ରର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଅନେକ ଲୁଣା ବନ୍ଧ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି କେନ୍ଦ୍ରାପଡ଼ା ଓ ବାଲିଆପାଳ ଭଳି ସ୍ଥାନରେ ଲୁଣାବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି । ତେବେ କ୍ଷୟକ୍ଷତିର ଆକଳନ ଖୁବ୍‍ଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ଶିମିଳିପାଳରେ ରେକର୍ଡ ପରିମାଣ ବର୍ଷା ହୋଇଛି । ଭଞ୍ଜବସାରେ ୩୮୨ ମିଲିମିଟର, ରାମତୀର୍ଥରେ ୩୫୭, ବରେହିପାଣିରେ ୩୩୧, କବାଟ ଘାଇରେ ୩୦୬ ଓ ନଅଣାରେ ୨୭୮ ମି.ମି ବର୍ଷା ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏତେ ଅଧିକ ବର୍ଷା ହୋଇଥିବାରୁ ଶିିମିଳିପାଳରୁ ବାହାରିଥିବା ନଦୀରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି ।

ୟାସ ଝାଡ଼ଖଣ୍ଡ ମୁହାଁ ହୋଇଥିବାବେଳେ ରାଜ୍ୟ ସରକାର ବାତ୍ୟାଜନିତ ପ୍ରାକ୍ କ୍ଷୟକ୍ଷତିର ହିସାବ ଦେଇଛନ୍ତି । ବାତ୍ୟା ପ୍ରଭାବରେ ବାଲେଶ୍ୱର ଓ ଭଦ୍ରକରେ ସର୍ବାଧିକ କ୍ଷତି ହୋଇଥିବାବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ବିଶେଷ ପ୍ରଭାବିତ ହୋଇନାହିଁ । ୟାସ ଏବେ ମୟୂରଭଞ୍ଜ ଜିଲ୍ଲା ଦେଇ ଅତିକ୍ରମ କରୁଥିବାରୁ ତା’ର ପ୍ରଭାବରେ କ’ଣ ୟକ୍ଷତି ହେଉଛି ତାହା ଆସନ୍ତାକାଲି ସକାଳେ ଆକଳନ କରାଯାଇପାରିବ ।

ମୟୂରଭଞ୍ଜ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ଗଛ ଓ ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡ଼ି ପଡ଼ିଥିଲା । ତେବେ ଟେଲି ଯୋଗାଯୋଗ ବିଶେଷ ପ୍ରଭାବିତ ହୋଇନି । ମୋବାଇଲ ସେବା ସ୍ୱାଭାବିକ ରହିଛି । ଜୁଆର ମାଡ଼ି ଆସିବା ଯୋଗୁ ଅନେକ ଗାଁରେ ପାଣି ପଶିଯାଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୨୮ଟି ଗାଁ ଏବେ ଜଳବନ୍ଦୀ ଅଛି । ପାଣିଘେରରେ ଥିବା ଗାଁଗୁଡ଼ିକରେ ବିଦ୍ୟୁ ଖୁଣ୍ଟଗୁଡ଼ିକ ଉପୁଡ଼ି ପଡ଼ିଛି ଅବା ଶୋଇବା ଅବସ୍ଥାରେ ଢଳି ପଡ଼ିଛି । ଏ ସଂକ୍ରାନ୍ତରେ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ବିଦ୍ୟୁତ ବିଭାଗ ଦେବ । ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇନି । ସେଠାରେ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଆସନ୍ତାକାଲି ସୁଦ୍ଧା ଏହି ୩ଟି ଜିଲ୍ଲାରେ ବିଦ୍ୟୁତ ସେବା ସ୍ୱାଭାବିକ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

ସେହିପରି ଭଦ୍ରକ ସହରରେ ଆଜି ରାତିସୁଦ୍ଧା ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ । ବାଲେଶ୍ୱରର ଅଧିକାଂଶ ଅଞ୍ଚଳରେ ମଧ୍ୟ ଆଜି ବିଦ୍ୟୁତ ଯୋଗାଣକୁ ସମ୍ଭବପର କରାଯାଉଛି । ଆଉ କେତେ ସମୟ ମଧ୍ୟରେ ବିଦ୍ୟୁତ ଯୋଗାଣକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯାଇପାରିବ ସେ ନେଇ ଟିମ୍ ଦ୍ୱାରା ତ୍ୱରିତ ଆକଳନ ଜାରି ରହିଛି ।

ବାତ୍ୟାରେ ପୂର୍ତ୍ତ ବିଭାଗର ମୋଟ ୩୦୫ଟି ରାସ୍ତା ପ୍ରଭାବିତ ହୋଇଥିବାବେଳେ ସେଥିରୁ ୨୯୫ଟି ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରାଯାଇଛି । ଏସବୁ ରାସ୍ତାରୁ ଗଛ ହଟାଇ ଦିଆଯାଇଛି । ବାକି ୧୦ଟି ରାସ୍ତା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଜଳବନ୍ଦୀ ଅଞ୍ଚଳରେ ଥିବାରୁ ଟିକେ ସମସ୍ୟା ହେଉଛି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ମୋଟ ୩୦୦ଟି ରାସ୍ତା ପ୍ରଭାବିତ ହୋଇଥିବାବେଳେ ସେଥିରୁ ୨୦୦ଟି ରାସ୍ତାକୁ ସ୍ୱାଭାବିକ କରାଯାଇଛି ।

ପାନୀୟ ଜଳ ବ୍ୟବସ୍ଥା ସ୍ୱାଭାବିକ ରହିଛି । ପାନୀୟ ଜଳ ବିଭାଗ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ଜେନେରେଟର, ମୋବାଇଲ ଟ୍ୟାଙ୍କର ଓ ପାଣି ଟାଙ୍କି ମାଧ୍ୟମରେ ଜଳଯୋଗାଣକୁ ସ୍ୱାଭାବିକ କରୁଛନ୍ତି । ବିଦ୍ୟୁତ ଯୋଗାଣ ହେବାପରେ ଜଳଯୋଗାଣ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହେବ । ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଗଛପଡ଼ି ୨ଜଣ ଲୋକ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି । ତା’ର ତଦନ୍ତ ଚାଲିଛି । ମୁଖ୍ୟମନ୍ତ୍ରୀ ମଧ୍ୟ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।